Unknown

 

 

 

 

 

 

 

 

 

 

ଦୁଇଟି ନଗରୀର କାହାଣୀ

ଅନୁବାଦ

ଶ୍ରୀ ଯୋଗେନ୍ଦ୍ର ପଟ୍ଟନାୟକ

 

 

 

 

 

 

 

 

 

ଦୁଇଟି ନଗରୀର କାହାଣୀ

 

(ଚାର୍ଲ୍‍ସ ଡିକେନ୍‍ସଙ୍କ A Tale of Two Citiesର ଓଡ଼ିଆ ଅନୁବାଦ)

ଅନୁବାଦ

ଶ୍ରୀ ଯୋଗେନ୍ଦ୍ର ପଟ୍ଟନାୟକ

 

।। ଦୁଇପଦ କଥା ।।

 

ଇଂରାଜୀ ସାହିତ୍ୟରେ ଚାର୍ଲସ୍‌ ଡିକେନ୍‍ସଙ୍କ ସ୍ଥାନ ଅତି ଉଚ୍ଚରେ । ପ୍ରାୟ ଦୁଇଶହ ବର୍ଷ ପୂର୍ବେ ତାଙ୍କର ଜନ୍ମ । ସେ ବଡ଼ କଷ୍ଟରେ ମଣିଷ ହୋଇଥିଲେ । ଦାରିଦ୍ର୍ୟର ଲାଞ୍ଛନା, ଅପମାନ ତାଙ୍କୁ ବିଚଳିତ କରି ପାରିନଥିଲା । ଡିକେନ୍‍ସ ଦଳିତ ନିଷ୍ପେଷିତଙ୍କ ପାଇଁ ଲେଖିଯାଇଛନ୍ତି, ସେଥିପାଇଁ ବିଶ୍ଵ ଦରବାରରେ ତାଙ୍କର ସାହିତ୍ୟ ଉଚ୍ଚକୋଟିର ହୋଇପାରିଛି । ଡିକେନ୍‍ସ ଏକ ବିରାଟ ଆଦର୍ଶ । ଗଭୀର ଅଧ୍ୟବସାୟ ଓ ଶ୍ରମ ହିଁ ତାଙ୍କ ଜୀବନର ସାର୍ଥକତା ଓ ସାଫଲ୍ୟର କାରଣ-

 

ଏହି ପୁସ୍ତକଟି ଓଡ଼ିଶାର କିଶୋର କିଶୋରୀଙ୍କ ଉଦ୍ଦେଶ୍ୟରେ ତାଙ୍କର ବିଶ୍ଵବିଖ୍ୟାତ ଉପନ୍ୟାସ A Tale of Two Citiesର ଅନୁବାଦ । ମାତ୍ର ଏହା ଆକ୍ଷରିକ ଅନୁବାଦ ନୁହେଁ । ଫରାସୀ-ବିପ୍ଳବର ଏକ ଅଧ୍ୟାୟ ଏଠାରେ ବର୍ଣ୍ଣିତ ହୋଇ ଆଜିର ସାଧାରଣତନ୍ତ୍ର ଏବଂ କାଲିର ରାଜତନ୍ତ୍ରର ପାର୍ଥକ୍ୟ ଦେଖାଇ ଦିଆହୋଇଛି । ପୁସ୍ତକଟି ଓଡ଼ିଶାର କିଶୋର କିଶୋରୀମାନଙ୍କୁ ଆନନ୍ଦ ଦେବ–ଏହା ମୋର ଆଶା ।

 

ଅନୁବାଦକ

Image

 

। ଏକ ।

 

ଖ୍ରୀଷ୍ଟଜନ୍ମର ୧୭୭୫ ବର୍ଷ ପରେ ଏ ଘଟଣାର ଆରମ୍ଭ । ନଭେମ୍ବର ମାସର ଏକ ସଞ୍ଜ-। ଡୋଭାର୍ ରାସ୍ତାରେ ଗୋଟିଏ ଘୋଡ଼ାଗାଡ଼ି ଛୁଟିଛି । ଏକ ବିରାଟ ଲମ୍ବା ଗାଡ଼ି; ଅନେକ ଲୋକ ସେଥିରେ ଯାଇପାରନ୍ତି । ସେତେବେଳେ ରେଳଗାଡ଼ି ନଥିଲା । ଡାକ ଏହି ପ୍ରକାର ଘୋଡ଼ାଗାଡ଼ି ଗୁଡ଼ିକରେ ଚଳାଚଳ କରୁଥାଏ ।

 

ଇଂଲିଶ୍ ପ୍ରଣାଳୀଟି ସତେଇଶ ମାଇଲ ମାତ୍ର ଚଉଡ଼ା । ଏକପାଖରେ ଇଂଲଣ୍ଡ, ଆରପାଖରେ ଫ୍ରାନସ । ଦୁଇ ଦେଶ ଭିତରେ ଲୋକଙ୍କର ଯିବାଆସିବା ଅନବରତ ଚାଲିଥାଏ । ଏହି ଡାକଗାଡ଼ି ଛଡ଼ା ସେସବୁ ଲୋକଙ୍କର ଚଳାଚଳ କରିବାର ଉପାୟ ସେକାଳରେ ଅନ୍ୟ କିଛି ନଥିଲା । ମଝିରେ କେବଳ ଜଳଭାଗଟିକୁ ପାରି କରିବା ପାଇଁ ଥିଲା ଜାହାଜ ।

 

ସେହି ସଞ୍ଜରେ ଡାକଗାଡ଼ିଟି ଗୋଟିଏ ଛୋଟ ପାହାଡ଼ର ତଳେ ତଳେ ଚାଲିଛି । ହଠାତ୍ ଜଣେ ଲୋକ ସେହି ଗାଡ଼ିଆଡ଼କୁ ଘୋଡ଼ା ଛୁଟାଇ ଆସିବାର ଦେଖାଗଲା । ସେ ଗାଡ଼ି ନିକଟକୁ ଆସି ଚିତ୍କାର କରି ଉଠିଲା—“ଗାଡ଼ି ରଖ ।” ଡାକଗାଡ଼ିର ଚାଳକ ଗାଡ଼ି ଅଟକାଇଦେଲା । ଅଶ୍ଵାରୋହୀ ସାଙ୍ଗେ ସାଙ୍ଗେ କବାଟ ନିକଟକୁ ଆସି ପଚାରିଲା—“ଟେଲସନ୍ ବେଙ୍କ୍‌ର ମିଷ୍ଟର୍ ଲରି ଏ ଗାଡ଼ିରେ ଅଛନ୍ତି କି ?” ଗାଡ଼ି ଭିତରୁ ମୁହଁ ବଢ଼ାଇ ଜଣେ ଭଦ୍ରଲୋକ କହିଲେ—“ମୁଁ ମିଷ୍ଟର ଲରି । କ’ଣ ଦରକାର କହନ୍ତୁ ?”

 

ଏହା ଶୁଣି ଲୋକଟା ତା ପକେଟରୁ ଖଣ୍ଡିଏ ଲଫାଫା ବାହାର କଲା । ସେହିଟିକୁ ମିଷ୍ଟର ଲରିଙ୍କ ଆଡ଼କୁ ବଢ଼ାଇ ଧରି କହିଲା—“ଆପଣଙ୍କର ଚିଠି ।”

 

—“ମୋର ଚିଠି ?”

 

—“ହଁ, ବ୍ୟାଙ୍କରୁ ଆସିଛି—ଜରୁରୀ ଚିଠି ।”

 

ମି: ଲରି ଲୋକଟି ହାତରୁ ଚିଠିଟି ନେଇ ଶୀଘ୍ର ଖୋଲି ପଢ଼ିଲେ । ଚିଠିଟି ଖୁବ୍ ସଂକ୍ଷିପ୍ତ-। ସେଥିରେ ଲେଖାଥିଲା—“ମି: ଲରି, ଡୋଭାର୍‌ର ରୟେଲ-ଜଜ୍‍ ହୋଟେଲରେ ଟିକିଏ ଅପେକ୍ଷା କରିବେ । ସେ ଭଦ୍ରମହିଳା ସେଠାକୁ ଆସିବେ । ଆପଣଙ୍କ ସହିତ ତାଙ୍କର ଦେଖାହେବା ପ୍ରୟୋଜନ ।”

 

ଚିଠିଟି ପଢ଼ି ସାରି ମି: ଲରି ପୁଣି ଲଫାଫାରେ ବନ୍ଦ କଲେ । ପକେଟରେ ରଖି କହିଲେ–“ଆଚ୍ଛା, ବର୍ତ୍ତମାନ ତୁମେ ଯାଇପାର ।”

 

ଅଶ୍ଵାରୋହୀ ଅଭିବାଦନ କରି ଚାଲିଗଲା । ଡାକଗାଡ଼ିଟି ପୁଣି ଦ୍ରୁତ ବେଗରେ ଛୁଟିବାକୁ ଲାଗିଲା । ପରଦିନ ସକାଳେ ସେହି ଡାକଗାଡ଼ିଟି ଆସି ଠିଆ ହେଲା ରୟେଲ ଜଜ୍‍ ହୋଟେଲ ଆଗରେ । ଗାଡ଼ି ଅଟକିଲା ପରେ ହୋଟେଲର ମୁଖ୍ୟ ଖାନସମା ଆଗେଇ ଆସି ମି: ଲରିଙ୍କୁ ଖାତିର କରି ଉପରକୁ ନେଇଗଲା ।

 

ଟେଲସନ୍ ବ୍ୟାଙ୍କ୍ ଖୁବ ବଡ଼ ବ୍ୟାଙ୍କ୍ । ଲଣ୍ଡନ ଓ ପ୍ୟାରିସ୍, ଏହି ଦୁଇ ରାଜଧାନୀରେ ତାର ପ୍ରଚୁର କାରବାର । ସେହି ବିଖ୍ୟାତ ବ୍ୟାଙ୍କର ସମସ୍ତ କାର୍ଯ୍ୟର ଦେଖାଶୁଣା ଭାର ମି: ଲରିଙ୍କ ଉପରେ । ତେଣୁ ତାଙ୍କୁ ଖାତିର କରିବାପାଇଁ ଯେ ହୋଟେଲର ଲୋକମାନେ ଆସିବେ, ଏ କଥା ଜଣାଶୁଣା । ମି: ଲରି ହୋଟେଲର ମ୍ୟାନେଜରଙ୍କୁ ତାଙ୍କ ପାଇଁ ଦିଓଟି ଭଲ କୋଠରି ବ୍ୟବସ୍ଥା କରି ଦେବାକୁ କହିଲେ । କୋଠରି ଦୁଇଟିରୁ ଗୋଟିକରେ ରହିବେ ଜଣେ ତରୁଣୀ—ସେ ଆଜି ଆସିବେ-। ସଙ୍ଗେ ସଙ୍ଗେ କୋଠରି ଠିକ୍ ହୋଇଗଲା । ମି: ଲରି କୋଠରି ଭିତରକୁ ଯାଇ ପୋଷାକ ବଦଳାଇବା ସଙ୍ଗେ ସଙ୍ଗେ ପ୍ରାତଃଭୋଜନ ନେଇ ଜଣେ ଖାନସମା ଆସିଲା । ମି: ଲରି ଶୀଘ୍ର ଖାଇବା ଶେଷ କରି ବାହାରି ପଡ଼ିଲେ । ତାଙ୍କ ଇଚ୍ଛା ସମୁଦ୍ରକୂଳରେ ଘେରାଏ ବୁଲି ଆସିବେ-

 

ଡୋଭାର୍ ସହରଟି ଠିକ୍ ସମୁଦ୍ରକୂଳରେ ନୁହେଁ—ଟିକିଏ ଦୂରରେ ଏକ ପାହାଡ଼ ଧାରରେ । ସମୁଦ୍ରତୀରରେ ଠିଆହୋଇ ଯଦି କେହି ସହର-ଆଡ଼କୁ ଅନାଏ, ତାର ହଠାତ୍ ମନେ ହେବ, ସହରଟା ଯେପରି ସମୁଦ୍ର ଭୟରେ ଦୂରକୂ ପଳାଇବାକୁ ଚେଷ୍ଟା କରୁଥିଲା; କିନ୍ତୁ ବେଶି ଦୂରକୁ ଯାଇ ପାରିନି—ମଝି ରାସ୍ତାରେ ଏକ ପାହାଡ଼ ପାଇ ତାରି ବୁକୁରେ ମୁହଁ ଲୁଚାଇଛି । ସମୁଦ୍ର କିନ୍ତୁ ଏତେ ସହଜରେ ଛାଡ଼ିଦେବାକୁ ରାଜି ନୁହେଁ । ସେ ସହରଟାକୁ ଧରିବା ପାଇଁ ପାହାଡ଼ ସମାନ ଢେଉ-ପିଆଦା ପଠାଉଛି; ମାତ୍ର ଢେଉଗୁଡ଼ାକ ସହରକୁ ଧରି ନପାରି କୂଳ ଉପରେ ଉଛୁଳି ପଡ଼ୁଛନ୍ତି-। ମଝିରେ ଭାଜି ପଡ଼ୁଛି ତୀରର ମାଟି, ପଥର, ବାଲି । ସ୍ଥାନଟି ବୁଲିବା ପାଇଁ ଯେ ମନୋରମ ତା ବି ନୁହେଁ । ତା ସାଙ୍ଗକୁ ସନ୍ତସନ୍ତିଆ ପାଗ ଓ ଜଳୋଚ୍ଛ୍ୱାସର ଘୁ-ଘୁ ବିରକ୍ତିକର ଶବ୍ଦ-

 

ସେତେବେଳେ ଡୋଭାରରେ ବ୍ୟବସାୟ ଖୁବ୍ କମ୍; କିନ୍ତୁ ବ୍ୟବସାୟ ନକରି ମଧ୍ୟ ଜଣେ ଅଧେ ହଠାତ୍ ବଡ଼ଲୋକ ହୋଇଥାନ୍ତି । କାରଣ ଜାହାଜ ତ ମଝିରେ ମଝିରେ ସମୁଦ୍ରରେ ଡୁବୁଥାଏ । ସେ ସବୁ ଜାହାଜର ଅନେକ ମାଲ ଭାସି ଭାସି କୂଳରେ ଆସି ଲାଗେ । ସେ ଭିତରେ ବେଳେ ବେଳେ ସୁନା, ହୀରା, ଜହରତ୍ ବାକ୍‌ସ ମଧ୍ୟ ମିଳେ । ଡୋଭାର୍‌ର ଉପକୂଳଟା ଏପରି ଭାବରେ ଦନ୍ତୁରିତ ଯେ ସେଠାରେ ଭାସି ଭାସି ଲାଗିବା ଜିନିଷ ସହଜରେ ପୁଣି ସମୁଦ୍ରକୁ ଫେରିଯାଇ ପାରେନା । ଏବେ ଯେପରି ସରକାରୀ ଲୋକ ଏସବୁ ଭାସି ଆସିଥିବା ମାଲ ସଂଗ୍ରହ କରିବାକୁ ନିଯୁକ୍ତ ହୋଇଛନ୍ତି, ସେତେବେଳେ ତାହା ନଥିଲା; ତେଣୁ ଜିନିଷ ପାଇବା ଲୋଭରେ ଡୋଭାର୍‌ର ଲୋକେ ଅବସର ପାଇଲେ ଏହି ସମୁଦ୍ରତୀରରେ ଘୂରି ବୁଲନ୍ତି ।

 

ସେଦିନ ମଧ୍ୟ ଏହି ଅଭିପ୍ରାୟରେ କେତେ ଜଣ ଲୋକ ସମୁଦ୍ର ତୀରରେ ବୁଲୁଥିଲେ । ସେମାନଙ୍କର ଏ ପ୍ରକାର ବୁଲାବୁଲି ମି: ଲରିଙ୍କୁ ଭଲ ଲାଗିଲା ନାହିଁ । ଅନେକ ସମୟ ଯାଏ ସମୁଦ୍ର ଆଡ଼କୁ ଚାହିଁ ରହି ସେ ହୋଟେଲକୁ ଫେରିଗଲେ ।

 

ସଞ୍ଜରେ କୁହୁଡ଼ିର ଛାୟା ଚାରିଆଡ଼େ ଘେରି ଆସିଲା । ସେପାଖର ଫ୍ରାନସର ଉପକୂଳ ଆଉ ଭଲ ଦେଖାଯାଉ ନାହିଁ । ସେପଟକୁ ଅନାଇ ମି: ଲରିଙ୍କ ମନ ଭିତରେ ନାନା ଚିନ୍ତା ଉଦୟ ହେବାକୁ ଲାଗିଲା । ପନ୍ଦର ବର୍ଷ ପୂର୍ବେ ଗୋଟିଏ ଦୁଇବର୍ଷ ଶିଶୁକୁ କୋଳରେ ନେଇ ଫରାସୀ ଦେଶରୁ ସେ ପଳାଇ ଆସିଥିଲେ । ସେହି ଦୁଇ ବର୍ଷର ଶିଶୁ ଆଜି ସତର ବର୍ଷର ତରୁଣୀ । ତାହାକୁ ଆଜି ପୁଣି ଫ୍ରାନସକୁ ନେଇଯିବା ଦରକାର ହେଉଛି । ରୟେଲ-ଜଜ୍‍ ହୋଟେଲକୁ ଆସି ତାରି ଅପେକ୍ଷାରେ ବସି ରହିଛନ୍ତି ମି: ଲରି । ଅବଶ୍ୟ ଆଜି ଦିନଟା ତାଙ୍କୁ ଏପରି ଅପେକ୍ଷା କରିବାକୁ ପଡ଼ିଥାନ୍ତା, କାରଣ ଆସନ୍ତା କାଲି ପୂର୍ବରୁ ଅନ୍ୟ ଜାହାଜ ନାହିଁ ।

 

ସନ୍ଧ୍ୟା ଗଡ଼ି ରାତି ହେଲାଣି । ଖାଇବା ଘରେ ଲୋକଙ୍କ ଭିଡ଼ ଦେଖି ମି: ଲରି ତାଙ୍କର ଖାଦ୍ୟ ଅନ୍ୟ ସ୍ଥାନରେ ଦେବାକୁ କହିଲେ । ସେ ନିର୍ଜନରେ ବସି ଚିନ୍ତା କରିବାକୁ ଚାହାନ୍ତି । ଏହି ଯେ ତରୁଣୀଟି ଆସୁଛି, ଏହା ସାଙ୍ଗରେ କିପରି ଭାବରେ ଆଳାପ କରିବେ, ଏବେ ବି ସେ ଭାବି ପାରୁନାହାନ୍ତି; କିନ୍ତୁ ବୁଝାମଣା ଠିକ୍ ହେବା ଦରକାର । ତା ନହେଲେ ଦୁଇଜଣଙ୍କର ବିପଦ ରହିଛି ।

 

ଖାଇବା ଶେଷ ହେବା ପୂର୍ବରୁ ବାହାର ଦରଜାରେ ଗୋଟିଏ ଘୋଡ଼ାଗାଡ଼ିର ଶବ୍ଦ ଶୁଣାଗଲା । ଦୁଇମିନଟ୍ ପରେ ଜଣେ ଖାନସମା ଆସି ମି: ଲରିଙ୍କୁ ଜଣାଇଲା ଯେ ଜଣେ ତରୁଣୀ ତାଙ୍କ ସହିତ ସାକ୍ଷାତ୍ କରିବାକୁ ଚାହାନ୍ତି । ଖାନସମା ପୁଣି କହିଲା ଯେ ଯେଉଁ ଘରଟି ମହିଳାଙ୍କ ପାଇଁ ବନ୍ଦୋବସ୍ତ ହୋଇଥିଲା, ସେହି ଘରେ ସେ ଅପେକ୍ଷା କରିଛନ୍ତି ।

 

ମି: ଲରି ଶୀଘ୍ର ଖିଆ ଶେଷ କରି ସେହି କୋଠରିକୁ ଚାଲିଲେ । କୋଠରି ଭିତରର ନିଷ୍ପ୍ରଭ ଆଲୋକ ଯୋଗୁଁ ହଠାତ୍ ସେ କିଛି ଦେଖିବାକୁ ପାଇଲେ ନାହିଁ; କିନ୍ତୁ ଗୋଟିଏ ମିଠା କଣ୍ଠସ୍ଵର ସେ ଶୁଣିଲେ । କିଏ ଯେପରି ତାଙ୍କୁ ଆସନ ଗ୍ରହଣ କରିବା ପାଇଁ ଅନୁରୋଧ କଲା । ମିଷ୍ଟର ଲରି ଏଥର ଦେଖିପାରିଲେ ଯେ ଆଗରେ ଜଣେ ତରୁଣୀ ନିଆଁ ପାଖରେ ଠିଆ ହୋଇଛି । ହାତରେ ତାର ଟୋପି । ଝିଅଟିର ବୟସ ସତର । ପାତଳ ଲମ୍ବା ଚେହେରା, ବେଶ୍ ସୁନ୍ଦରୀ, ମଥାରେ ଭରିରହିଛି ସୁନେଲି କେଶ । ମି: ଲରି ନମସ୍କାର କଲେ—ଅପରିଚିତ ବୟସ୍କ ଭଦ୍ରଲୋକଙ୍କର ଯେ ପ୍ରକାର ନମସ୍କାର କରିବା ଉଚିତ ଜଣେ ତରୁଣୀକୁ— ସେହି ପ୍ରକାର ନମସ୍କାର । କାରଣ ଯେଉଁ ଟିକକ ପରିଚୟ ସେତେଦିନ ତଳେ ହୋଇଥିଲା, ତାହା ଏ ଝିଅଟିର ମନେ ରହିବା କଥା ନୁହେଁ । ପନ୍ଦର ବର୍ଷ ପୂର୍ବେ ଏହି ଲୁସି ମ୍ୟାନେଟ୍‍କୁ ସେ ଫରାସୀ ଦେଶରୁ କୋଳ କରି ଅବଶ୍ୟ ନେଇଆସିଥିଲେ; କିନ୍ତୁ ଏହି ଦୀର୍ଘ ପନ୍ଦର ବର୍ଷ ଭିତରେ ତାହାକୁ ଦେଖିବାକୁ ସୁଯୋଗ ପାଇନାହାଁନ୍ତି । ସେତେବେଳେ ଲୁସି ମ୍ୟାନେଟ୍‍କୁ ପାଳନ କରୁଥିଲେ ପଲ୍ଲୀଅଞ୍ଚଳର ଗୋଟିଏ ବିଦ୍ୟାଳୟର ଜଣେ ପରିଚାଳକ—ଅବଶ୍ୟ ବ୍ୟାଙ୍କ ତରଫରୁ ଲୁସିର ସମସ୍ତ ଖର୍ଚ୍ଚ ବହନ କରା ହୋଇଥିଲା ।

 

ଝିଅଟି ପ୍ରଥମେ କଥା ଆରମ୍ଭ କଲା—“ବ୍ୟାଙ୍କରୁ ଗତକାଲି ଖଣ୍ଡିଏ ଚିଠି ପାଇଛି ମୋ ବାପାଙ୍କ ସମ୍ବନ୍ଧରେ । କେବଳ ଟଙ୍କା ପଇସା ନୁହେଁ, ବାପାଙ୍କର ନିଜ କଥା ମଧ୍ୟ କିଛି ଚିଠିରେ ଅଛି-। ଏତେଦିନ ପରେ ଏ ପ୍ରକାର ଚିଠି ଆସିଲା—ଏଥିରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି । ବାପାଙ୍କୁ ମୁଁ ଆଖିରେ ଦେଖିନାହିଁ, ଶୁଣିଛି ଯେ ମୋର ଜନ୍ମର କେତେକ ମାସ ପୂର୍ବେ...”

 

ମି: ଲରି ନୀରବରେ ଶୁଣିଯାଉଥିଲେ ଝିଅଟିର କଥା ।

 

ଝିଅଟି କହି ଚାଲିଥିଲା—“ବ୍ୟାଙ୍କର ଚିଠିରେ ମୋତେ କୁହାଯାଇଛି ଏହି ହୋଟେଲରେ ଆସି ଆପଣଙ୍କ ସହିତ ଦେଖାକରିବା ପାଇଁ । ଆପଣ ମୋତେ ପ୍ୟାରିସ୍‌କୁ ନେଇଯିବେ ଓ ମୋର ବାପାଙ୍କର ଯାହା ଦରକାର ହେବ ସେହିପରି ବ୍ୟବସ୍ଥା କରିବେ ।”

 

ମି: ଲରି କହିଲେ—“ହଁ, ସେଇ ପ୍ରକାର ଖବର ପାଇଛି ।’’

 

ଝିଅଟିର କଥା ସେତେବେଳେ ମଧ୍ୟ ଶେଷ ହୋଇନାହିଁ । ସେ କହିଲା—“ଚିଠିରେ ଏ କଥା ମଧ୍ୟ ଲେଖାଥିଲା ଯେ ଏ ସର୍ମ୍ପକରେ ସବୁ କିଛି ଆପଣଙ୍କଠାରୁ ଜାଣିପାରିବି ।”

 

ମି: ଲରି କିପରି ଭାବରେ ତାଙ୍କ କଥାଟା ଆରମ୍ଭ କରିବେ ତାହା ଭାବି ଠିକ୍ କରିବା ପୂର୍ବରୁ ଝିଅଟି ପୁଣି ପ୍ରଶ୍ନ କଲା—“ଆଚ୍ଛା, ଆପଣ କଣ ମୋ ନିକଟରେ ସଂପୂର୍ଣ୍ଣ ଅପରିଚିତ ?”

 

ଏ ପ୍ରଶ୍ନର ସିଧାସଳଖ ଉତ୍ତର ନ ଦେଇ ମି: ଲରି ଓଲଟା ପ୍ରଶ୍ନ କଲେ—“ଅପରିଚିତ ନୁହଁ କି ?”

 

ଝିଅଟିର କପାଳରେ ଚିନ୍ତାର ରେଖା ଦେଖାଗଲା । ଖୁବ୍ ଚିନ୍ତିତ ହୋଇ ସେ ଧୀରେ ଧୀରେ ଚେଆର ଉପରେ ବସିପଡ଼ିଲା । ମି: ଲରି ପୂର୍ବର କଥା ଏକାବେଳକେ ଛପାଇ ଦେଲେ—ଏହା ଯେପରି ତାଙ୍କରି ନୂତନ ପରିଚୟ ହେଉଛି । ସେ କହିବାକୁ ଆରମ୍ଭ କଲେ—

 

“କୁମାରୀ ମାନେଟ୍‍, ମୁଁ ବ୍ୟବସାୟୀ ଲୋକ । ବ୍ୟବସାୟ କଥା ଓ ଆପଣଙ୍କ ସହିତ କଥାବାର୍ତ୍ତା ପାଇଁ ଆସିଛି । ବ୍ୟବସାୟ ବ୍ୟାପାରରେ ଆମେ ଜଣେ ଜଣେ ମହକିଲଙ୍କ ଜୀବନର କୌଣସି କୌଣସି ଘଟଣା ସଙ୍ଗେ ସମୟେ ସମୟେ ଜଡ଼ିତ ହୋଇପଡ଼ୁ । ସେହିଭଳି ଗୋଟିଏ କଥା ଆପଣଙ୍କୁ କହିବାକୁ ଚାହେଁ ।”

 

—“ମହକିଲ କଥା ?”

 

—“ହଁ ମହକିଲ କଥା ଯେଉଁମାନେ ଆମ ବ୍ୟାଙ୍କ୍ ସହିତ ନେଣ ଦେଣ କରନ୍ତି, ତାଙ୍କୁ ଆମେ ମହକିଲ କହୁଁ । ସେ ଭଦ୍ରଲୋକ ଥିଲେ ଫରାସୀ ବୈଜ୍ଞାନିକ, ଉଚ୍ଚ ଧରଣର ପଣ୍ଡିତ ଓ ଚିକିତ୍ସକ ।”

 

—“ତାଙ୍କ ଘର କଣ ବୋଭେଇୟାରେ ?”

 

—“ହଁ, ଆପଣଙ୍କ ବାପା ମସିଏ ମ୍ୟାନେଟ୍‍ଙ୍କ ପରି ଭଦ୍ରଲୋକ ମଧ୍ୟ ଥିଲେ ବୋଭେୟାବାସୀ । ଏହାଙ୍କର ମଧ୍ୟ ଦେଶରେ ଖ୍ୟାତି ଥିଲା । ପ୍ୟାରିସ୍‌ରେ ତାଙ୍କ ସହିତ ମୋର ପରିଚୟ ହୁଏ । ଟଙ୍କା ଦେଣ ନେଣ ନେଇ ଅବଶ୍ୟ ଆଳାପ, ତେବେ ଟିକିଏ ଗୋପନୀୟ ବ୍ୟାପାର ଥିଲା ଏହା ଭିତରେ । ମୁଁ ସେତେବେଳେ ଆମର ପ୍ୟାରିସ୍ ଅଫିସରେ । କୋଡ଼ିଏ ବର୍ଷ ଆଗର କଥା କହୁଛି ।”

 

“—କଣ କହିଲେ...କୋଡ଼ିଏ ବର୍ଷ ପୂର୍ବର କଥା ?”

 

—“ହଁ, କୋଡ଼ିଏ ବର୍ଷ ପୂର୍ବର କଥା । ସେ ଜଣେ ଇଂରେଜ ମହିଳାଙ୍କୁ ବିବାହ କରିଥିଲେ । ତାଙ୍କ ସମ୍ପତ୍ତିର ଭାର ମୋ ଉପରେ ଥିଲା । ଏ ପ୍ରକାର ଅନେକ ଫରାସୀ ଭଦ୍ରଲୋକଙ୍କର ସମ୍ପତ୍ତିର ଭାର ମୋତେ ନେବାକୁ ହୋଇଥିଲା ସେତେବେଳେ ବ୍ୟାଙ୍କ୍ ତରଫରୁ । କେବଳ ବ୍ୟବସାୟ ଦିଗରୁ ସମ୍ପର୍କ । ସେଥିରେ ବନ୍ଧୁତ୍ୱ ନାହିଁ; ଦରଦ ନାହିଁ; ସାରାଦିନ ବ୍ୟାଙ୍କରେ ବସି ମହକିଲ ପରେ ମହକିଲର ହିସାବ ଯେପରି ପରୀକ୍ଷା କରେ ଠିକ୍ ସେପରି—ମୁଁ କର୍ତ୍ତବ୍ୟ କରି ଯିବାପାଇଁ ଗୋଟିଏ କଳ, ଅନ୍ୟ କିଛି ନୁହେଁ । ହଁ, ଯାହା କହୁଥିଲି—ସେହି ବୋଭେୟାବାସୀ ଭଦ୍ରଲୋକ ମରିଗଲେ—ଯଦି ନ ମରିଥାନ୍ତେ—ଆରେ, ଏ କଣ ? ଚମକି ଉଠିଲେ ଯେ ?”

 

ଲୁସି ସତରେ ଚମକି ଉଠି ଶକ୍ତ କରି ମି: ଲରିଙ୍କ ହାତକୁ ଧରି ପକାଇଲା ନିଜର ଦୁଇ ହାତରେ । ମି: ଲରି ବୁଝିପାରିଲେ ଲୁସି ମନରେ ଭୟ ହୋଇଛି; କିନ୍ତୁ ସେ ଯେ କି ଭୟ ଜାଣନ୍ତି ନାହିଁ ।

 

ସେହିପରି ଭାବରେ ଲୁସିର ହାତ ଚାପି ଧରି ମି: ଲରି ଶାନ୍ତ ଭାବରେ କହୁଥାନ୍ତି—“ହଁ କହୁଥିଲେ, ସେ ଭଦ୍ରଲୋକ ଯଦି ମାରିଯାଇ ନ ଥାନ୍ତେ ମିସ୍ ମାନେଟ୍‍—ଆପଣ ମନେ ମନେ ଧାରଣା କରନ୍ତୁ ଯେ ଭଦ୍ରଲୋକଟି ମରିଯାଇ ନାହାନ୍ତି—ତା ବଦଳରେ ସେ ହଠାତ୍ ହଜି ଯାଇଛନ୍ତି–ଅସାଧାରଣ ଶକ୍ତିମାନ୍ କୌଣସି ଶତ୍ରୁ ତାଙ୍କୁ ଉଠାଇ ନେଇ ଯାଇ ଅତି ଗୋପନୀୟ ସ୍ଥାନରେ ଲୁଚାଇ ରଖିଛି । ତାଙ୍କର କୌଣସି ସନ୍ଧାନ ଆତ୍ମୀୟ ବନ୍ଧୁମାନେ ଶତଚେଷ୍ଟା ସତ୍ତ୍ୱେ ବି ପାଉନାହାଁନ୍ତି–ଧାରଣା କରି ପାରୁଛନ୍ତି ତ ? ତାହେଲେ ବର୍ତ୍ତମାନ ବୁଝି ଦେଖନ୍ତୁ ଯେ ସେହି ଅଭାଗା ଭଦ୍ରଲୋକଟିର କି ଦୟନୀୟ ଅବସ୍ଥା !”

 

ଏ ପର୍ଯ୍ୟନ୍ତ କହି ଲରି ଟିକିଏ ରହିଗଲେ—ବୋଧହୁଏ ମିସ୍ ମାନେଟ୍‍ଙ୍କୁ ପ୍ରସ୍ତୁତ କରିବା ପାଇଁ । ତା’ ପରେ ଆଗଠାରୁ ନିମ୍ନ ଗଳାରେ କହିଲେ—“ଠିକ୍ ଏହି ଅବସ୍ଥା ଡାକ୍ତର ମାନେଟ୍‍ଙ୍କର ଘଟିଥିଲା—ଆପଣଙ୍କ ବାପାଙ୍କର ।”

 

ଲୁସି ମାନେଟ୍‍ ଅନାଇଛି । ତାର ଆଖିର ଚାହାଣିରେ ଭୟ ଓ ସଂଶୟ । ସେ ଅସହାୟ ଦୃଷ୍ଟି ଦେଖି ଦୁଃଖ ହେଲା ମି: ଲରିଙ୍କର; କିନ୍ତୁ ଦୁଃଖରେ କଥା ଚାପିଦେଲେ ତ ଚଳିବ ନାହିଁ । ସେ ପୁଣି କହିବାକୁ ଲାଗିଲେ—“ହଁ, ଏ ପ୍ରକାର ଘଟଣା ଫରାସୀ ଦେଶରେ ବହୁତ ଘଟୁଛି । ଫ୍ରାନସରେ ଯେଉଁମାନେ ଧନୀ, ମାନୀ, ବଡ଼ ଜମିଦାର, ସେମାନେ ଇଚ୍ଛା କଲେ ଯେକୌଣସି ବ୍ୟକ୍ତିକୁ ବ୍ୟାଷ୍ଟିଲ୍ କାରାଗାରରେ ଆବଦ୍ଧ କରିପାରନ୍ତି ସାରା ଜୀବନ ପାଇଁ । ଏକ ପ୍ରକାର ସରକାରୀ ଫର୍ମ ଅଛି—ସେହି ଫର୍ମ ପୂରଣ କରିଦେଲେ ହେଲା । ଯାହାର ନାମ ଲେଖି ଦିଆହେବ; ସେ ସଙ୍ଗେ ସଙ୍ଗେ ଅନ୍ତର୍ଦ୍ଧାନ ହେବ । ତାର ସ୍ତ୍ରୀ କନ୍ୟା ଯାଇ ରାଜରାଣୀଙ୍କ ପାଦତଳେ ନିଜ କଲିଜା କାଟି ପୂଜା ଦେଲେ ମଧ୍ୟ କିଛି ଫଳ ହେବ ନାହିଁ । ପୁଣି ଆତ୍ମୀୟ ସ୍ଵଜନମାନେ ବନ୍ଦୀର ସମ୍ବାଦ ପର୍ଯ୍ୟନ୍ତ ପାଇବେ ନାହିଁ ଯେ ସେ ଅଭାଗା ବଞ୍ଚିଛି ନା ମରିଛି । ଏ ପ୍ରକାର ଘଟଣା ଫରାସୀ ଦେଶରେ ଘଟେ-। ଯେଉଁ ଭାଗ୍ୟହୀନ ବୋଭେୟାବାସୀ ଡାକ୍ତରଙ୍କ କଥା ମୁଁ ଆପଣଙ୍କୁ କହୁଥିଲି, ତାଙ୍କର ସ୍ତ୍ରୀଙ୍କ ଭାଗ୍ୟରେ ଏପରି ଘଟଣା ଘଟିଥିଲା । ଯଦିବା ତାଙ୍କର ସାହସ ଥିଲା ଅସୀମ, ଧୈର୍ଯ୍ୟ ଅତୁଳନୀୟ—ସେ ସ୍ଵାମୀଙ୍କୁ ଏ ପ୍ରକାର ଅଦ୍ଭୁତ ଭାବରେ ହରାଇବାର ବ୍ୟଥା ବେଶି ଦିନ ସହ୍ୟ କରିପାରି ନଥିଲେ । ଗୋଟିଏ ସନ୍ତାନର ସେ ଜନନୀ । ସନ୍ତାନଟି ଯେତେବେଳେ ଜନ୍ମଗ୍ରହଣ କଲା, ସେତେବେଳକୁ ତାଙ୍କର ସ୍ଵାମୀ ନିଖୋଜ ହୋଇଛନ୍ତି ।”

 

କଥାରେ ବାଧାଦେଇ ଚାପା ଗଳାରେ ଲୁସି କହିଲା—“ସନ୍ତାନଟି ବୋଧହୁଏ ଝିଅ ?”

 

ମି: ଲରି କହିଲେ—“ହଁ ଝିଅ । ଝିଅଟିକୁ ଦୁଇବର୍ଷ ନ ହେଉଣୁ ତାର ମା’କୁ ମଧ୍ୟ ସେ ହରାଇଲା । ମାତ୍ର ବୁଦ୍ଧିମତୀ ଜନନୀ ମରିବା ପୂର୍ବରୁ ଗୋଟିଏ କୌଶଳ କରି ଯାଇଥିଲେ–ଝିଅଟିକୁ ଜଣାଇ ଦେଇଥିଲେ ଯେ ତାର ବାପା ମରିଯାଇଛନ୍ତି ।’’

 

ଲୁସିର ସାରା ଦେହଟି ରହି ରହି କମ୍ପି ଉଠିବାକୁ ଲାଗିଲା । ମି: ଲରି ପୁଣି କହିଲେ–“ସ୍ଵାମୀ ବଞ୍ଚିଛନ୍ତି, ଅଥଚ ତାଙ୍କ ନିକଟକୁ ଯିବାର ଉପାୟ ନାହିଁ, ତାଙ୍କର ସମ୍ବାଦ ନେବାର ଉପାୟ ନାହିଁ—ଏ ପ୍ରକାର ଅସହାୟ ଅବସ୍ଥାରେ ମଣିଷର ମନରେ କି ଦାରୁଣ ଯାତନା ହୁଏ, ସେ ସେଇ ଦୁଇ ବର୍ଷରେ ଭଲକରି ବୁଝିପାରିଥିଲେ । ଝିଅ ମଧ୍ୟ ଯେମିତି ବାପା ପାଇଁ ସେହି ପ୍ରକାର କ୍ଳେଶ ଭୋଗ ନ କରେ, ସେଥିପାଇଁ ଏ କୌଶଳ ସେ କରିଥିଲେ । ଆରେ ଏ କଣ, ଆପଣ ଆଣ୍ଠୁମାଡ଼ି ବସିପଡ଼ିଲେଣି ଯେ ?”

 

“ମୋତେ ଦୟା କରନ୍ତୁ ! ସତକଥା ମୋତେ କହନ୍ତୁ—ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି । ଆପଣ ମୋତେ ସତକଥା କହନ୍ତୁ !” କାତର-ଭାବରେ ଲୁସି କହିଉଠିଲା ।

 

ଏ ଅବସ୍ଥାରେ କଣ ଯେ କରାଯିବ ବୁଝି ନ ପାରି ମି: ଲରି କହିଲେ—“ମୋତେ ବିପଦରେ ପକାଇଲେ । ଆପଣଙ୍କ ଅବସ୍ଥା ଦେଖି ମୋର ମଥା ଘୂରିଯାଉଚି ।” ଏହା କହୁ କହୁ ମି: ଲରି ଲୁସିକୁ ତଳୁ ଉଠାଇ ଯତ୍ନର ସହିତ ଚେୟାରରେ ବସାଇଦେଲେ । ଲୁସିର ଅସ୍ଥିରତା ଆସ୍ତେ ଆସ୍ତେ କମି ଆସିଲା । ମି: ଲରି ମଧ୍ୟ ମଥା ଠିକ୍ କରି ନିଜର ଗଳ୍ପ ପୁଣି ଆରମ୍ଭ କଲେ ।

 

—“ଶୁଣନ୍ତୁ ତା ହେଲେ ମିସ୍ ମାନେଟ୍‍ ! ଆପଣଙ୍କର ମାଆ ଠିକ୍ ଏହି ବ୍ୟବସ୍ଥା ଆପଣଙ୍କ ସମ୍ବନ୍ଧରେ କରିଥିଲେ । ତାପରେ ଦିନେ ସେ ସ୍ଵର୍ଗକୁ ଚାଲିଗଲେ । ଆପଣଙ୍କ ପିତାଙ୍କର ସନ୍ଧାନରେ ସେ ଅବିରାମ ଲାଗିଥିଲେ ଶେଷ ପର୍ଯ୍ୟନ୍ତ । ଆପଣ ଦିନକୁ ଦିନ ବଡ଼ ହୋଇ ଉଠିଲେ । ଆପଣଙ୍କର ପିତା ବଞ୍ଚିଛନ୍ତି— ବଞ୍ଚି ମଧ୍ୟ ମୃତପ୍ରାୟ—ଏ କଥା ଆପଣ ତ କେବେ ଜାଣିନାହାନ୍ତି । ତା ଯଦି ଜାଣିଥାନ୍ତେ ତା ହେଲେ ଆପଣଙ୍କ ମାଆଙ୍କ ପରି ଆପଣଙ୍କର ମଧ୍ୟ ଜୀବନ ଗଡ଼ିଚାଲନ୍ତା ସଂଶୟ ଓ ଯାତନା ଭିତରେ । ମାଆଙ୍କ ଆଶୀର୍ବାଦରୁ ଏତେ ଦିନଯାଏ ସେ ଯାତନାରୁ ମୁକ୍ତି ପାଇଛନ୍ତି ।”

 

ଲୁସିର ସୁନେଲି କେଶଦାମଆଡ଼କୁ ସହାନୁଭୂତିଭରା ନୟନରେ ଅନାଇ ରହିଥିଲେ ମି: ଲରି—ଯେପରି ତାଙ୍କ ଆଖିରୁ ଗଭୀର ସ୍ନେହ ଝରି ପଡ଼ୁଥିଲା । ହଠାତ୍ ତାଙ୍କର ମନେହେଲା—ପିତାଙ୍କର ଦୁର୍ଭାଗ୍ୟର କଥା ପ୍ରଥମରୁ ଜାଣିପାରିଥିଲେ ଏହି ସତର ବର୍ଷ ବୟସ୍କା ଝିଅର କେଶଦାମ ହୁଏତ ଆଜି ଧଳା ହୋଇଥାନ୍ତା—ଯାତନାବହ୍ନିରେ ଦଗ୍‌ଧ ହୋଇ ।

 

କିଛି ସମୟ ଚୁପ୍ ରହି ମି: ଲରି ପୁଣି କହିଲେ—“ନା ସମ୍ପତ୍ତିର କୌଣସି କଥା ନାହିଁ— ନୂଆ ଖବର ମଧ୍ୟ ନାହିଁ । କିନ୍ତୁ...”

 

ମି: ଲରିଙ୍କର ଗୋଟିଏ ହାତ ଲୁସିର ହାତଭିତରେ ବନ୍ଦୀ ହୋଇ ରହିଛି ବହୁ ସମୟ; ତା ଉପରେ ଯେପରି ଖୁବ୍ ବେଶି ଚାପ ପଡ଼ୁଛି ଏଥର । ପୁଣି ଲୁସିର ଦୁଇ ଭ୍ରୂଲତା ମଝିରେ ଚିନ୍ତାର ରେଖା । କେବଳ ସେହି ରେଖାଆଡ଼କୁ ଅନାଇ ମି: ଲରି ବୁଝିପାରିଲେ ଯେ କି ଭୟାନକ ବେଦନା ଓ ବିଭୀଷିକା ଏଇ କୁମାରୀର ଅନ୍ତରରେ ଭରିଯାଇଛି । ଲୁସିର ଚେତନା ଯେପରି ଅଧାଅଧି ଲୋପ ପାଇଯାଇଛି । ସେ ଲରିଙ୍କ କଥା ଶୁଣୁଛି ସତ; କିନ୍ତୁ କୌଣସି ଅର୍ଥ ବୁଝିପାରୁନାହିଁ ।

 

ମି: ଲରି କହିଲେ—“ହଁ, ସେ ମିଳିଛନ୍ତି—ସେ ବଞ୍ଚିଛନ୍ତି...ଅବଶ୍ୟ ଖୁବ୍ ବଦଳିଯାଇଛନ୍ତି-। ଶରୀର ଓ ମନ ଏକାବେଳକେ ଭାଙ୍ଗିଗଲା ପରି ମନେହେଉଛି । ଅବଶ୍ୟ ଆଶା କରୁଛି ସେ ହୁଏତ ଭଲ ଅଛନ୍ତି । ଅନ୍ତତଃ ସେ ଯେ ବଞ୍ଚିଛନ୍ତି ଏଇଟା କମ୍ କଥା ନୁହେଁ । ବ୍ୟାଷ୍ଟିଲରୁ ବାହାରିବା ପରେ ତାଙ୍କୁ ନିଆଯାଇଛି ତାଙ୍କର ଏକ ପୁରାତନ କର୍ମଚାରୀର ଘରକୁ । ଆମେ ସେଠାକୁ ବର୍ତ୍ତମାନ ଯିବା । ମୁଁ ଯାଉଛି—ଦେଖେ ତାଙ୍କୁ ଚିହ୍ନି ପାରୁଛି କି ନା, ଅର୍ଥାତ୍ ସେ ପ୍ରକୃତରେ ଆପଣଙ୍କ ପିତା କି ନୁହେଁ । ସେଇଟା ଠିକ୍ କରିବା ଭାର ମୋର ଏବଂ ଆପଣଙ୍କର ଦାୟିତ୍ୱ ହେଲା ଆପଣଙ୍କ ସ୍ନେହ ଓ ସେବାରେ ତାଙ୍କୁ ପୁଣି ନୂତନ ଜୀବନ ଦେବା, ଜୀବନର ଆନନ୍ଦ ଓ ଆଶା ପୁଣି ଫେରାଇ ଆଣିବା-।” ଲୁସିର ଦେହ ଭିତରେ ଏକ ଶିହରଣ ଖେଳିଗଲା । ସେ ଯେପରି ସ୍ଵପ୍ନରେ କହି ଉଠିଲା—“ବାବା ! ମୋ ବାପା ବଞ୍ଚିଅଛନ୍ତି । ତାଙ୍କୁ ମୁଁ ଦେଖିପାରିବି !”

 

ସେ କଥାର ଉତ୍ତର ନ ଦେଇ ମି: ଲରି କହିଲେ—“ଆଉ ଗୋଟିଏ କଥା ମନେ ରଖିବା ଦରକାର ମିସ୍ ମାନେଟ୍‍ ! ପ୍ୟାରିସରେ ରାଜାଙ୍କର ଯେଉଁ ବ୍ୟାଷ୍ଟିଲ୍ କାରାଗାର ରହିଛି, ତାହା ନାଁକୁ କାରାଗାର ହେଲେ ମଧ୍ୟ ଗୋଟିଏ ଦୁର୍ଗ—ଖୁବ୍ ମଜବୁତ୍ । ଶତ୍ରୁମାନେ ସେଠାରେ ଆପଣଙ୍କର ବାପାଙ୍କୁ ଅଟକ ରଖିଥିଲେ ! ସେ ଶତ୍ରୁ କିଏ ଓ ତାଙ୍କୁ କାହିଁକି ଅଟକ ରଖିଥିଲା ଏ ସବୁ ବିଷୟରେ ସନ୍ଧାନ କରିବା ବର୍ତ୍ତମାନ ବିପଜ୍ଜନକ । ଆମର ବର୍ତ୍ତମାନ କର୍ତ୍ତବ୍ୟ ହେବ ତାଙ୍କୁ ଯେତେ ଶୀଘ୍ର ସମ୍ଭବ ଫ୍ରାନସରୁ ବାହାର କରି ଆଣିବା । ଦେଖନ୍ତୁ ମୁଁ ଇଂରେଜ । ଇଂଲଣ୍ଡ ରାଜାର ମୁଁ ପ୍ରଜା । ତା ଛଡ଼ା ଟେଲସନ୍ ବ୍ୟାଙ୍କ୍‌ର ପଦସ୍ଥ କର୍ମଚାରୀ ହିସାବରେ ଫରାସୀ ଦେଶରେ ମୋର କିଛିଟା ସମ୍ମାନ ମଧ୍ୟ ଅଛି; କିନ୍ତୁ ତଥାପି ବ୍ୟାଷ୍ଟିଲର ନାମ ମୁହଁରେ ଉଚ୍ଚାରଣ କରିବାକୁ ଭୟ ଲାଗେ । କିନ୍ତୁ ଏ କଣ–ଲୁସି ଲୁସି !”

 

ଲୁସି ସ୍ଥିର ହୋଇ ବସିଥିଲା । କିନ୍ତୁ ମି: ଲରିଙ୍କର କଥା ଶୁଣୁ ଶୁଣୁ କେତେବେଳେ ତାର ଚେତନା ଲୁପ୍ତ ହୋଇଯାଇଥିଲା । ଦିଓଟି ଆଖି କେବଳ ବିସ୍ଫାରିତ କରି ଲରିଙ୍କ ଆଡ଼କୁ ସେ ଅନାଇଛି । ସବୁ ଆଗ ପରି ଠିକ୍ ଅଛି; କିନ୍ତୁ ତାର ଦେହରେ ଜ୍ଞାନ ନାହିଁ । ଏପରି କଠିନ ଭାବରେ ଲୁସି ମି: ଲରିଙ୍କର ହାତ ଦିଓଟି ଧରିଥିଲା ଯେ ତାଙ୍କର ହଲିବାର ଉପାୟ ନ ଥିଲା । ହଲାଇଦେଲେ ଲୁସି ତଳକୁ ଗଡ଼ି ପଡ଼ିବ । ସୁତରାଂ ସେଇଭାବରେ ବସି ରହି ମି: ଲରି ହୋଟେଲର ଦାସୀମାନଙ୍କୁ ସାହାଯ୍ୟ ପାଇଁ ଡାକିବାକୁ ଲାଗିଲେ ।

Image

 

। ଦୁଇ ।

 

ପ୍ୟାରିସ୍ ମହାନଗରୀର ଗୋଟିଏ ଗରିବ ବସ୍ତି—ସେଣ୍ଟ ଆଣ୍ଟଇନ୍ । ବସ୍ତିର ଏକ ରାସ୍ତାଧାରରେ ଡିଫାର୍ଜର ମଦ ଦୋକାନ । ଦୋକାନ ଆଗରେ ପ୍ରକାଣ୍ଡ ଗୋଟିଏ ମଦ ପିମ୍ପା ଭାଙ୍ଗି ଯାଇ ମଦର ସ୍ରୋତ ରାସ୍ତାରେ ବୋହିଯାଇଛି ଓ ଲାଲ ମଦରେ ରାସ୍ତାଟି ମଧ୍ୟ ଲାଲ ହୋଇଯାଇଛି-। ଅବଶ୍ୟ, ଏପରି ଦିନ ମଧ୍ୟ ଆଉ ଦୁଇଦିନ ପରେ ଆସିଲା ଯେତେବେଳେ ସେଣ୍ଟ ଆଣ୍ଟଇନ୍‍ର ଏ ରାସ୍ତାରେ ସତରେ ବୋହି ଯାଇଥିଲା ରକ୍ତର ସ୍ରୋତ—ସେ କଥା ପରେ । ଆଜି କିନ୍ତୁ ବିନା ପଇସାରେ ମଦ ଖାଇବାର ଏହି ସୁଯୋଗ ପାଇ ବସ୍ତିର ନାରୀ ପୁରୁଷ, ଶିଶୁ, ବୃଦ୍ଧ ସମସ୍ତେ ତାହା ଆକଣ୍ଠ ପାନ କରି ନେଉଛନ୍ତି । ଉଚ୍ଚ ନୀଚ ପଥୁରିଆ ରାସ୍ତାରେ ଛୋଟ ବଡ଼ ଗାତ ଗୁଡ଼ିକ ମଦର କୁଣ୍ଡରେ ପରିଣତ ହୋଇଛି । ସେଥିରୁ ଆଞ୍ଜୁଳା ଆଞ୍ଜୁଳା କରି ସେମାନେ ପାନ କରୁଛନ୍ତି ତାଙ୍କର ମନର ଆବେଗ ମେଣ୍ଟାଇ । କିଏ ବା ପିଆଲା ଭର୍ତ୍ତିକରି ବାଲ୍‌ଟି ଭିତରକୁ ଢାଳୁଛି-। କିଏ ପୁଣି ରୁମାଲ ଭିଜାଇ ଶିଶୁ ପାଟିରେ ଚିପୁଡ଼ି ଦେଉଛି । ବସ୍ତି ଭିତରେ ଯେପରି ଗୋଟାଏ ଉତ୍ସବ ଚାଲିଛି ।

 

ଦୌଡ଼ାଦୌଡ଼ି, ହସାହସି—କେହି କେହି ପୁଣି ହାତ ଧରାଧରି ହୋଇ ନାଚିବାକୁ ଆରମ୍ଭ କରିଛନ୍ତି । ତାର ଦୋକାନ ଦୁଆରେ ଠିଆହୋଇ ଡିଫାର୍ଜ ଦେଖୁଛି ବସ୍ତି ଲୋକଙ୍କର ଏହି ଆନନ୍ଦ । ପିମ୍ପା ଭାଙ୍ଗିଛି ସେଇଟା ଆଡ଼ତଦାରର କ୍ଷତି, ଡିଫାର୍ଜର ନୁହେଁ; ତେଣୁ ସେ ବିଚଳିତ ହୋଇନି । ବସ୍ତିର ଗରିବଗୁରୁବାଏ ଟିକିଏ ଯଦି ଆନନ୍ଦ ପାଆନ୍ତି ତେବେ ପାଆନ୍ତୁ । ପଇସା ଖର୍ଚ୍ଚ କରି ମଦ ଖାଇବା ଅବସ୍ଥା ତ ତାଙ୍କର ନାହିଁ । ଶେଷରେ ରାସ୍ତାର ଗାତଗୁଡ଼ିକରେ ମଧ୍ୟ ମଦ ରହିଲା ନାହିଁ ।

 

ସେହି ସମୟ ଅଧାମାତାଲ କଦର୍ଯ୍ୟ ଚେହେରାର ଗୋଟିଏ ଲୋକ ଆଙ୍ଗୁଠି ଆଗରେ ଟିକିଏ ମଦ ଲଗାଇ ପାଖ ଘରର କାନ୍ଥରେ ଲେଖିଲା—

 

‘ରକ୍ତ ! ରକ୍ତ’

 

ଲେଖାଟି ଆଖିରେ ପଡ଼ିବା ମାତ୍ରକେ ଧୀର ଶାନ୍ତ ଡିଫାର୍ଜ ହଠାତ୍ ଭୟାନକ ବ୍ୟସ୍ତ ହୋଇ ସେଠାକୁ ଦୌଡ଼ିଗଲା ଓ ହାତରେ କାଦୁଅ ଉଠାଇ ଶୀଘ୍ର ସେ ଲେଖା ଉପରେ ନେସିଦେଲା-। ତାପରେ ଲେଖକର ଜାମା ଉପରେ ନିଜର କଦୁଆ ମଖା ହାତଟି ପୋଛୁ ପୋଛୁ ତିରସ୍କାର କରି କହିଲା—“ଗେସପାର୍ଡ଼ ! ଏ ସବୁ କଣ ରାସ୍ତା ଉପରେ କରିବାର କଥା ? ଯାହା ମୁଁ ଦେଖୁଛି ପାଗଳାଗାରଦକୁ ତୁମକୁ ପଠାଇବା ଦରକାର ।” ଗେସ୍‌ପାର୍ଡ଼ ହସି ହସି ଚାଲିଗଲା । ଡିଫାର୍ଜ ମଧ୍ୟ ନିଜ ଦୋକାନରେ ପଶିଲା । ସେଠାରେ ବସି ଦୋକାନ ଦେଖାଶୁଣା କରୁଛି ତାର ସ୍ତ୍ରୀ ମାଡ଼ାମ୍‍ ଡିଫାର୍ଜ । ମାଡ଼ାମ୍‍ ଡିଫାର୍ଜ ତାର ସିଲାଇ ନେଇ ବ୍ୟସ୍ତ । ଆଖି ଟେକି କେଉଁଆଡ଼େ ଅନାଇବାର ଅବସର ନାହିଁ । ସେହି ସିଲାଇ ଆଡ଼କୁ ମନୋଯୋଗ ଦେଇ କେହି ଯଦି ଲକ୍ଷ୍ୟ କରନ୍ତା, ତାର ଚକ୍ଷୁ ସ୍ଥିର ହୋଇଯାନ୍ତା । ନାନା ରଙ୍ଗର ସୂତାରେ ଥାକକୁ ଥାକ କେବଳ ନାମ ଲେଖା-। ହଜାରେ ହେବ ନାମ । କାହାର ଏସବୁ ନାମ—କିଏ ଜାଣେ ?

 

ସ୍ଵାମୀକୁ ଦେଖି ମାଡ଼ାମ୍‍ ଡିଫାର୍ଜ ଥରେ ମାତ୍ର ଟିକିଏ କାଶିଲା । ସ୍ଵାମୀର ମନେହେଲା କେହି ଅପରିଚିତ ବ୍ୟକ୍ତି ହୁଏତ ଆସିଛି, ତା ନ ହେଲେ ଏପରି ଭାବରେ ଅସମୟରେ ତା ସ୍ତ୍ରୀ କାଶି ନଥାନ୍ତା । ସେ ଖରିଦଦାରଙ୍କ ଭିତରେ ମିଶିଗଲା ।

 

କିଏ ବସିଛି ମଦର ଗ୍ଳାସ ନେଇ । କେଉଁଠି ଅବା ଦୁଇ ବନ୍ଧୁ ମିଶି ଡୋମିନୋ ଖେଳିବାକୁ ବସିଛନ୍ତି । ମଥା ହଲାଇ ଡିଫାର୍ଜ ସମସ୍ତଙ୍କୁ ସମ୍ଭାଷଣ ଜଣାଇଲା ଏବଂ ସମସ୍ତଙ୍କର ସମ୍ଭାଷଣ ଗ୍ରହଣ କଲା । ଗୋଟିଏ ଜାଗାରେ ତିନି ଜଣ ଲୋକ ଠଆହୋଇ ନିମ୍ନ ଗଳାରେ କଥା ହେଉଥିଲେ ହାତରେ ମଦ ଗିଲାସ ଧରି ।

 

ଜଣେ କହୁଥିଲା—“ରାସ୍ତାର ମଦଟା ବୋଧହୁଏ ବସ୍ତି ଲୋକେ ସବୁଟା ପେଟରେ ପକାଇଛନ୍ତି, ବୁଝିଲ ଜେକ୍‌ସ ?”

 

ଡିଫାର୍ଜ ଉତ୍ତର ଦେଲା—“ହଁ, ଗୋଟିଏ ବିନ୍ଦୁ ମଧ୍ୟ ବଞ୍ଚିନାହିଁ ଜେକ୍‌ସ ।”

 

ତିନିଜଣ ଭିତରୁ ଦ୍ଵିତୀୟ ଜଣକ କହିଲା— “କଳା ରୁଟି ଖାଇ ଖାଇ ସେମାନଙ୍କର ଜୀବନ ବିତିଯାଏ— ମଦ ତ ଖାଇବାକୁ ପାନ୍ତି ନାହିଁ—ନା କଣ ଜେକ୍‍ସ ?”

 

ଡିଫାର୍ଜ ଉତ୍ତର ଦେଲା—“ଠିକ୍ କହୁଚ ଜେକ୍‌ସ !”

 

ତୃତୀୟ ବ୍ୟକ୍ତିଟି ଏଥର କହିଲା—“ଯା’ ହେଉ, ମୁହଁର ସ୍ଵାଦୁ ବଦଲାଇବାର ଗୋଟାଏ ସୁଯୋଗ ପାଇଲେ ଏ ଅଭାଗା ଦଳ ! କଣ ଠିକ୍ କଥା ନା ?”

 

ଡିଫାର୍ଜ ଉତ୍ତର ଦେଲା—“ନିଶ୍ଚୟ !”

 

ଏହି ଗୋଟିଏ ନାମର ଆଦାନପ୍ରଦାନ ମାଡ଼ାମ୍‍ ଡିଫାର୍ଜର ନଜର ଏଡ଼ାଇ ପାରିନି । ପ୍ରତିଥର ତାର ଭ୍ରୂକୁଞ୍ଚିତ ହୋଇଛି ଏବଂ ପ୍ରତିଥର ସେ ଟିକିଏ କାଶିଛି । ଡିଫାର୍ଜ ତା’ପରେ ତିନିଜଣ ଲୋକଙ୍କୁ ତାର ସ୍ତ୍ରୀ ସଙ୍ଗରେ ପରିଚିତ କରାଇଦେଲା । ମାଡ଼ାମ୍‍ ଡିଫାର୍ଜ ଟିକିଏ ମଥା ନୂଆଁଇ ସେମାନଙ୍କ ଅଭିବାଦନ ଗ୍ରହଣ କଲା ଏବଂ ସଙ୍ଗେ ସଙ୍ଗେ ଚକିତ ଦୃଷ୍ଟିରେ ଥରେ ତିନିଜଣଙ୍କୁ ଦେଖିନେଲା । ତାହାର ସିଲାଇ କିନ୍ତୁ ଟିକିଏ ହେଲେ ବନ୍ଦ ଦେଲା ନାହିଁ, ସମାନ ଭାବରେ ଚାଲିଲା-

 

ଡିଫାର୍ଜ ସେହି ଲୋକ ତିନିଜଣଙ୍କୁ କହିଲା—“ହଁ, ଯେଉଁ ଘରଟି ତମେ ଦେଖିବାକୁ ଚାହିଁଥିଲ ସେଇଟି ଛ’ ତାଲା ଉପରେ । ସିଧା ଉପରକୁ ଉଠିଗଲେ ଦେଖିବାକୁ ପାଇବ ।”

 

 

ମଦର ଦାମ୍ ଦେଇ ସେମାନେ ଉପରକୁ ଉଠିଗଲେ । ସେମାନେ ଚାଲିଯିବାପରେ ଜଣେ ବୃଦ୍ଧ ଭଦ୍ରଲୋକ ପଛ ବେଞ୍ଚରୁ ଉଠିଆସି ଡିଫାର୍ଜକୁ କହିଲେ—“ମୁଁ ଗୋଟିଏ ଅନୁରୋଧ କରିପାରେ ?”

 

ଡିଫାର୍ଜ କହିଲା—“ନିଶ୍ଚୟ” । ବୃଦ୍ଧ ତାଙ୍କ ବକ୍ତବ୍ୟର ପ୍ରଥମ ଶବ୍ଦଟି ଉଚ୍ଚାରଣ କରିବାମାତ୍ରେ ଡିଫାର୍ଜ ଚମକି ଉଠିଲା । ତାପରେ ବିଶେଷ ମନୋଯୋଗ ଦେଇ ସେ ଭଦ୍ରଲୋକଙ୍କର କଥା ଶୁଣିଲା ଓ ଶୁଣିସାରି ଘରୁ ବାହାରିଗଲା ।

 

ସେହି ଦୋକାନର ଗୋଟିଏ କଣରେ ବେଞ୍ଚ ଉପରେ ସତର ବର୍ଷ ବୟସର ଜଣେ ତରୁଣୀ ବସିଥିଲେ । ତାଙ୍କୁ ଡାକିନେଇ ବୃଦ୍ଧ ଭଦ୍ରଲୋକ ମଧ୍ୟ ଡିଫାର୍ଜ ପଛେ ପଛେ ଚାଲିଲେ । ମାଡ଼ାମ୍‍ ଡିଫାର୍ଜ ସେତେବେଳେ ଆପଣା ମନକୁ ସିଲାଇ କରି ଚାଲିଛି । ସେ ବୋଧହୁଏ କିଛି ଦେଖିବାକୁ ପାଇନାହିଁ । “ଅନେକଟା ଉପରକୁ ଶିଡ଼ିରେ ଯିବାକୁ ହେବ । ଧୀରେ ଧୀରେ ଉଠିବା ଭଲ ।” —ଡିଫାର୍ଜ ବେଶ୍ ବିରକ୍ତ କଣ୍ଠରେ କଥାଗୁଡ଼ିକ କହିଲା । ତା ପଛରେ କୁମାରୀ ମାନେଟ୍‍ କୁ ନେଇ ମି: ଲରି ଚାଲିଛନ୍ତି । ମି: ଲରି ଫୁସ୍ ଫୁସ୍ କରି ପଚାରିଲେ—“ସେ କଣ ଏକା ?”

 

ଡିଫାର୍ଜ କହିଲା—“ଏହା ନୁହଁ ତ ତାଙ୍କ ପାଖରେ ଆଉ କିଏ ରହିବ ?”

 

—ସବୁବେଳେ ଏକୁଟିଆ ଥାନ୍ତି ?

 

—ଏକୁଟିଆ ତ ଥାଆନ୍ତି—ତା ଛଡ଼ା ସବୁବେଳେ କବାଟ ବନ୍ଦ କରିଥାନ୍ତି । ଦୀର୍ଘ ଦିନ କାରାଗାରର କୋଠରିରେ ବନ୍ଦୀ ଥାଇ ତାଙ୍କର ଏପରି ଅଭ୍ୟାସ ହୋଇଯାଇଛି ଯେ, ଖୋଲାରେ ରହିବା ସେ ସହ୍ୟ କରିପାରନ୍ତି ନାହିଁ ।

 

—କିଛି ପରିବର୍ତ୍ତନ ହୋଇନାହିଁ ?

 

—ଯେଉଁଦିନ ବ୍ୟାଷ୍ଟିଲର ଲୋକ ଆସି ତାଙ୍କୁ ମୋ ହାତରେ ପ୍ରଥମେ ଦେଇଗଲା, ସେଦିନ ତାଙ୍କୁ ଯେଉଁ ପ୍ରକାର ଦେଖିଛି ସେ ଅବସ୍ଥା ଆଜି ମଧ୍ୟ ସେହିପରି ଅବିକଳ ।

 

—ସେ କଣ ଖୁବ୍ ବଦଳିଯାଇଛନ୍ତି ?

 

—“ବଦଳି !!” ଗୋଟାଏ ଅସ୍ଵାଭାବିକ ସ୍ଵରରେ ଡିଫାର୍ଜ କଥାଟା କହିଉଠିଲା ଏବଂ ସଙ୍ଗେ ସଙ୍ଗେ ଗୋଟାଏ ଭୀଷଣ ଶପଥ ଉଚ୍ଚାରଣ କରି କାନ୍ଥ ଉପରେ ମାରିଲା ଗୋଟାଏ ବିଧା । ମି: ଲରିଙ୍କର ବୁଝିବାକୁ ଆଉ ବାକି ରହିଲା ନାହିଁ ଯେ ମସିୟେ ମାନେଟ୍‍ଙ୍କ ପରିବର୍ତ୍ତନଟା କେତେ ସାଂଘାତିକ ।

 

ଶିଡ଼ିର ମଝି ରାସ୍ତାରେ ଦୁଇ ଥର ବିଶ୍ରାମ ପାଇଁ ଅଟକି ଅବଶେଷରେ ସେମାନେ ଆସି ଉପରେ ପହଞ୍ଚିଲେ । ସେଠାରୁ ପୁଣି ଗୋଟିଏ ସରୁ କାଠଶିଡ଼ି ଦେଇ ଗୋଟିଏ ଛୋଟ କୋଠରିକୁ ଯିବାକୁ ପଡ଼ିଲା । କୋଠରିର ତାଲା ବନ୍ଦ ଅଛି ଏବଂ ଦ୍ଵାର ଫାଙ୍କରେ ଉଙ୍କି ମାରୁଛନ୍ତି ସେଇ ତିନୋଟି ଜେକ୍‌ସ—ଟିକିଏ ପୂର୍ବରୁ ଯେଉଁମାନଙ୍କୁ କଥା ହେବାର ଦେଖାଯାଇଥିଲା ଡିଫାର୍ଜ ସାଙ୍ଗରେ । ଡିଫାର୍ଜ ପଛରେ ଦୁଇଜଣ ଅପରିଚିତ ଲୋକଙ୍କୁ ଦେଖି ସେମାନେ ଶୀଘ୍ର ତଳକୁ ଚାଲିଗଲେ । ମି: ଲରି ବିରକ୍ତରେ ଡିଫାର୍ଜକୁ ପଚାରିଲେ—“ତମେ କଣ ଲୋକ ଡାକିଆଣ ମି: ମ୍ୟାନେଟ୍ ଙ୍କୁ ଦେଖିବା ପାଇଁ ?”

 

ଡିଫାର୍ଜ ଉତ୍ତର ଦେଲା—“ତାଙ୍କ ଅବସ୍ଥା ଦେଖିଯିବା ପାଇଁ ବିଶିଷ୍ଟ ବିଶିଷ୍ଟ ଲୋକଙ୍କୁ ଆଣେ ନିଶ୍ଚୟ ।”

 

—“ବିଶିଷ୍ଟ ? ବିଶିଷ୍ଟ କି ପ୍ରକାର ?” —ପ୍ରଶ୍ନ କଲେ ଲରି ।

 

—“ବିଶେଷ ଲୋକ, ଅର୍ଥାତ୍ ସେମାନଙ୍କର ନାମ ଜେକ୍‌ସମୋ ପରି । ଆପଣ ଇଂରେଜ, ସେ ସବୁ ବୁଝିପାରିବେ ନାହିଁ । ଫରାସୀ ଦେଶ ପକ୍ଷରେ ବର୍ତ୍ତମାନ କଣ ଯେ ପ୍ରୟୋଜନ, ତା ମୋ ଅପେକ୍ଷା ଆପଣଙ୍କର ବେଶି ଜାଣିବାର କଥା ନୁହେଁ ।” ଏହା କହି ଓ ଉତ୍ତରକୁ ଅପେକ୍ଷା ନ କରି କବାଟ ଉପରେ ଜୋରରେ କେଇ ଥର ଆଘାତ କଲା ଡିଫାର୍ଜ । ସେ ଘର ଭିତରେ ଥିବା ଲୋକଟିର ମନ ଯେପରି ଆକର୍ଷଣ କରିବାକୁ ଚାହେଁ । ତାପରେ ସେ ତାଲା ଖୋଲିଦେଲା ଓ ଘର ଭିତରକୁ ଆଗେଇ ଯାଇ କଣ ଯେପରି ଗୋଟାଏ କଥା ସେ କହିଲା । ଅତି କ୍ଷୀଣସ୍ଵରରେ ଗୋଟିଏ ଜବାବ ମଧ୍ୟ ଶୁଣାଗଲା ସେ କଥାର । ମି: ଲରି କୋଠରି ଭିତରେ ପ୍ରବେଶ କଲେ ଲୁସି ମ୍ୟାନେଟ୍‍କୁ ସାଙ୍ଗରେ ନେଇ । ସେ ତାକୁ ଶକ୍ତ କରି ଧରି ରଖିଥିଲେ, ନ ହେଲେ ଲୁସି ପକ୍ଷରେ ସଳଖ ହୋଇ ଠିଆହେବା ହୁଏତ ସମ୍ଭବ ହୁଅନ୍ତା ନାହିଁ ।

 

ଲୁସି କହିଲା—“ମୋତେ ଭୟ ଲାଗୁଛି ।”

 

ମି: ଲରି କହିଲେ—“ଭୟ କଣ ? କେଉଁଥିପାଇଁ ଭୟ ?

 

ଲୁସି ତାଙ୍କ କାନରେ କହିଲା—“କିଏ ଜାଣେ କଣ ଦେଖିବା ?”

 

ଘରଟି ଛୋଟ ଓ ଅନ୍ଧକାର । ଏକ ଦିଗରୁ ଗୋଟିଏ ଝରକା ଦେଇ ସାମାନ୍ୟ ଆଲୋକ ଆସି ଭିତରେ ପଡ଼ିଛି । ଭଲ କରି ଝରକା ଖୋଲିଦେଲେ ଅଧିକ ଆଲୋକ ହୁଏତ ଆସି ପାରନ୍ତା; କିନ୍ତୁ ତାହା ଖୋଲା ହୋଇନାହିଁ । ହୁଏତ ଘରେ ଥିବା ଲୋକ ଆଖିରେ ବେଶି ଆଲୋକ ସହ୍ୟ ହୁଏନା । ସେହି ସାମାନ୍ୟ ଆଲୋକରେ ଗୋଟିଏ ତଳୁଆ ବେଞ୍ଚରେ ବସି ଜଣେ ପକ୍ଵକେଶ ବୃଦ୍ଧ ଆପଣା ମନକୁ ଜୋତା ସିଲାଇ କରୁଛି ।

 

ଡିଫାର୍ଜ କହିଲା—“ସୁପ୍ରଭାତ !”

 

ସେକେଣ୍ଡକ ପାଇଁ ବୃଦ୍ଧଙ୍କ ମୁଣ୍ଡଟି ଉପରକୁ ଉଠିଲା—ତାପରେ ତାଙ୍କର ଅତି କ୍ଷୀଣ ସ୍ଵର ଭାସି ଆସିଲା ଯେପରି ଅତି ଦୂରରୁ—“ସୁପ୍ରଭାତ ।”

 

ଡିଫାର୍ଜ କହିଲା—“ବହୁତ ପରିଶ୍ରମ କରୁଛନ୍ତି ତ ?”

 

ଅନେକ ସମୟ ଯାଏ କୌଣସି ଉତ୍ତର ନାହିଁ । ଶେଷରେ ଆଉ ଥରେ ସେହି ଆନତ ମସ୍ତକ ଉପରକୁ ଉଠିଲା ଏକ ସେକେଣ୍ଡ ପାଇଁ ଏବଂ ସେହି ସ୍ଵର ପୁଣି ଶୁଣାଗଲା—“ହଁ, ମୁଁ କାମ କରୁଛି ।” ଏଥର ଦିଓଟି କୋଟରଗତ ଆଖି ମୁହୁର୍ତ୍ତକ ପାଇଁ ଡିଫାର୍ଜ ଆଡ଼କୁ ଚାହିଁଲା ଓ ତାପରେ ଜୋତା ସିଲାଇ କରିବାକୁ ପୁଣି ନଇଁପଡ଼ିଲା । କିଛି ସମୟ ନୀରବ ରହିବା ପରେ ଡିଫାର୍ଜ କହିଲା–“ଏ ଝରକାଟା ଖୋଲି ଦେବାକୁ ଚାହେଁ । ବେଶି ଆଲୋକରେ ଆପଣଙ୍କର କଣ ଅସୁବିଧା ହେବ କି ?”

 

—କଣ କହୁଛ ?

 

—ଆଉ ଟିକିଏ ଆଲୋକ ସହ୍ୟ କରି ପାରିବେ କି ?

 

—“ଆଲୋକ ଆଣିବ ଯଦି ସହ୍ୟ କରିବାକୁ ହେବ ।” ଶେଷ କଥା ଉପରେ ଯେଉଁ ଟିକିଏ ଜୋର୍ ପଡ଼ିଲା, ବୋଧହୁଏ ବୃଦ୍ଧ ତାହା ବୁଝିପାରିଲେ ନାହିଁ । ଡିଫାର୍ଜ ଝରକାଟି ଆଉ ଟିକିଏ ଖୋଲିଦେଲା । ଆଲୋକର ଝରଣା ଘରେ ଭରି ଉଠିଲା ଓ ସେହି ଆଲୋକରେ ବେଶ୍ ଭଲ କରି ତାଙ୍କୁ ଲକ୍ଷ୍ୟ କରିବା ସମ୍ଭବ ହେଲା । ଅଧା ସିଲାଇ ଗୋଟିଏ ଜୋତା କୋଳରେ ନେଇ ସେ ବସିଛନ୍ତି । ବେଶି ଆଲୋକ ସେ ଅନେକ ଦିନ ହେଲା ଆଖିରେ ଦେଖି ନାହାନ୍ତି । ହଠାତ୍ ପ୍ରଚୁର ଆଲୋକ ଘର ଭିତରେ ପଡ଼ି ତାଙ୍କର ଆଖିକୁ ବୋଧହୁଏ କଷ୍ଟ ଦେଉଥିଲା; ତେଣୁ ସେ ଆଖି ଦୁଇଟି ଗୋଟିଏ ହାତରେ ଢାଙ୍କି ରଖିଛନ୍ତି । ଜୋତା ସିଲାଇର କିଛି ଯନ୍ତ୍ରପାତି ଏବଂ କେତେକ ଟୁକୁରା ଚମଡ଼ା ପାଦ ପାଖରେ ପଡ଼ିଛି । ପକ୍ୱକେଶ ଓ ଦାଢ଼ି ବିପର୍ଯ୍ୟସ୍ତ । ଶୀର୍ଣ୍ଣ କପାଳ ତଳେ ଅତିରିକ୍ତ ବଡ଼ ବଡ଼ ଦିଓଟି ଆଖି । ମୁହଁର ଶୀର୍ଣ୍ଣତା ଓ ମୁଣ୍ଡର ବିପର୍ଯ୍ୟସ୍ତ କେଶ ଯୋଗୁଁ ଆଖି ଦୁଇଟି ଅଧିକ ବଡ଼ ବଡ଼ ଦେଖାଯାଉଛି । ଲୁଗାପଟା ଶହେ ଜାଗାରେ ଛିଣ୍ଡାଫଟା । ସାର୍ଟର ବୋତାମ ଖୋଲା, ତାରି ତଳେ ଛାତିର ପଞ୍ଚରାହାଡ଼ ଗଣି ନେଇ ହେବ । ଦେହର ଚମଡ଼ା, ପିନ୍ଧିବାଲୁଗା, ପାଦର ମୋଜା...ଏଥିରେ ଖରା ଓ ପାଣି ପବନ ବହୁଦିନ ହେଲା ଲାଗିନାହିଁ । ସବୁ କଦର୍ଯ୍ୟ ଏବଂ ହଳଦିଆ ହୋଇଯାଇଛି; ତେଣୁ କେଉଁଟା ଚମଡ଼ା ଓ କେଉଁଟା ଲୁଗା ଚିହ୍ନବା କଷ୍ଟ । ଯେଉଁ ହାତଟି ଦ୍ଵାରା ବୃଦ୍ଧ ଆଲୋକକୁ ଆଢ଼ୁଆଳ କରୁଥିଲେ, ବୃଦ୍ଧଙ୍କର ସେଇ ହାତର ହାଡ଼ ପର୍ଯ୍ୟନ୍ତ ଯେପରି ସ୍ଵଚ୍ଛ ଦେଖାଯାଉଥିଲା ଆଲୋକ ଭିତରେ ।

କାମ ବନ୍ଦ କରି ନୀରବରେ ସେ ସାମାନାଆଡ଼କୁ ଚାହିଁ ରହିଲେ । ଚକ୍ଷୁରେ ଲକ୍ଷ୍ୟହୀନ ଦୃଷ୍ଟି—କୁଆଡ଼କୁ ଚାହିଁବାକୁ ହେବ ତାହା ଯେପରି ସେ ଜାଣି ପାରୁନାହାନ୍ତି । ଥରେ ଡାହାଣକୁ, ଆଉ ଥରେ ବାଁକୁ ଆଖି ଫେରାଉଛନ୍ତି ଶବ୍ଦ ଅନ୍ଵେଷଣରେ ।

ଡିଫାର୍ଜ ପଚାରିଲା—“ଆପଣ କଣ ଏ ଜୋତା ହଳକ ଆଜି ଶେଷ କରିବାକୁ ଚାହାନ୍ତି-?” ଏହି ପ୍ରଶ୍ନ କରି ସେ ମି: ଲରିଙ୍କୁ ଇସାରାରେ ପାଖକୁ ଆସିବାକୁ କହିଲା ।

ବୃଦ୍ଧ ପଚାରିଲେ—“ତମେ କଣ କହୁଚ ?”

—ଜୋତା ହଳକ କଣ ଶେଷ କରିବାକୁ ଚାହାନ୍ତି ?”

—“ନାଁ, ଶେଷ କରିବାକୁ ଚାହେଁ ଏପରି କିଛି ନୁହେଁ । ତେବେ ହୋଇଯାଇପାରେ ।” ଏହା କହି ପୁଣି ସେ କାମରେ ଲାଗିଗଲେ ।

ମି: ଲରି ଧୀରେ ଧୀରେ ଆଗେଇ ଆସିଲେ । କୁମାରୀ ମାନେଟ୍‍ କବାଟ ନିକଟରେ ଅପେକ୍ଷା କରିବାକୁ ଲାଗିଲେ । ମି: ଲରି ଡିଫାର୍ଜ ପାଖକୁ ଆସି ଠିଆ ହେବାର ଦିମିନିଟ ପରେ ବୃଦ୍ଧ ପୁଣି ମୁହଁ ଟେକି ଚାହିଁଲେ । ଜଣେ ଲୋକର ଜାଗାରେ ଦୁଇଜଣ ଦେଖି ମଧ୍ୟ ସେ ଟିକିଏ ହେଲେ ବିସ୍ମୟ ପ୍ରକାଶ କଲେ ନାହିଁ । ଥରେ ମାତ୍ର ହାତର ଆଙ୍ଗୁଳି ଓଠରେ ଲାଗିଲା ।

ଡିଫାର୍ଜ କହିଲା—“ଆପଣଙ୍କ ସାଙ୍ଗରେ ଜଣେ ଭଦ୍ରଲୋକ ଦେଖା କରିବାକୁ ଆସିଚନ୍ତି-।”

—କଣ କହିଲ ?

—ଜଣେ ଭଦ୍ରଲୋକ ଦେଖା କରିବାକୁ ଆସିଚନ୍ତି ।

ଜୋତା ଉପରୁ ଆଖି ଦିଓଟି ଥରେ ଉପରକୁ ଉଠିଲା ମୁହୂର୍ତ୍ତକ ପାଇଁ; ହାତ କିନ୍ତୁ କାର୍ଯ୍ୟରେ ବ୍ୟସ୍ତ ।

ଡିଫାର୍ଜ କହିଲା—“ଜୋତାଟା ଭଦ୍ରଲୋକଙ୍କୁ ଦେଖାନ୍ତୁ ଠିକ୍ ହେଉଛି କି ନାହିଁ ।” ଏହା କହି ସେ ଜୋତାଟା ଉଠାଇ ଲରିଙ୍କ ହାତରେ ଦେଇ କହିଲା—“ଏଇଟା କି ଜୋତା ଭଦ୍ରଲୋକଙ୍କୁ ପଚାରନ୍ତୁ ।”

ଏଥର ଅନେକ ସମୟ ପାଇଁ ବୃଦ୍ଧ ନୀରବ । ତାପରେ ଉତ୍ତର ଦେଲେ—“ତମେ କଣ ପଚାରୁଥିଲ । ଭୁଲି ଯାଉଚି । କଣ କହୁଥିଲ ?”

 

—ମୁଁ କହୁଥିଲି, ଏ ଜୋତାଟା କି ଜୋତା ଏହାଙ୍କୁ କହନ୍ତୁ ।

 

“ଏ ଝିଅମାନଙ୍କର ଜୋତା—ତରୁଣୀମାନଙ୍କର ବୁଲିବାର ଜୋତା ଏବକାର ଫେସନ ଏହି ରକମର । ଏ ଫେସନ ମୁଁ କେବେ ଆଖିରେ ଦେଖିନାହିଁ, ତେବେ ଗୋଟାଏ ନମୁନା ଦେଖାଉଥିଲି ।”

 

ଡିଫାର୍ଜ କହିଲା—“ଯେ ତିଆରି କରୁଥିଲେ ତାଙ୍କର ନାମ ସେ ଜାଣିବାକୁ ଇଚ୍ଛା କରନ୍ତି-।”

 

ହାତରେ ଜୋତା ନାହିଁ । ଥରେ ଡାହାଣ ହାତର ପାପୁଲି ବାଁ ହାତରେ ଓ ବାଁ ହାତର ପାପୁଲି ଡାହାଣ ହାତରେ ଧରି ବୃଦ୍ଧ ନାଡ଼ି ଟିପିବାକୁ ଲାଗିଲେ । ତା’ ପରେ ମୁହଁଭରା ଦାଢ଼ିରେ ହାତ ବୁଲାଇଲେ ଅବିରାମ ଗତିରେ । ଅନ୍ଧାରରେ ମନଟା ଭରିଛି—ଦୀର୍ଘ ଦିନର ପୁଞ୍ଜିଭୂତ ଅନ୍ଧକାର । ଡିଫାର୍ଜର କଥା ବିଜୁଳିର ଝଲକ ପରି ସେ ଅନ୍ଧକାରରେ ତାଙ୍କୁ ଆଲୋକ ଦେଉଛି; କିନ୍ତୁ ପର ମୁହୂର୍ତ୍ତରେ ଆଗପରି ଜମାଟବନ୍ଧା ଅନ୍ଧକାରରେ ପୁଣି ବିଲୀନ ହୋଇଯାଉଛି । ଦୁର୍ବଳ ରୋଗୀ ଯେତେବେଳେ ମୂର୍ଚ୍ଛାଯାଏ, ସେତେବେଳେ ତାର ଚେତନା ଫେରାଇ ଆଣିବା କଠିନ ।

 

ବୃଦ୍ଧଙ୍କୁ ଦେଖି ମି: ଲରିଙ୍କର ସେଇଆ ମନେହେଲା; କିନ୍ତୁ ତାହା ଯେତେ କଠିନ ହେଉପଛକେ ଚେଷ୍ଟା କରିବାକୁ ହେବ ବର୍ତ୍ତମାନ ଡିଫାର୍ଜ, ଲରି ଓ ମିସ ମ୍ୟାନେଟ୍‍ଙ୍କୁ ।

 

ଡିଫାର୍ଜ ଆଗେଇଆସି ପୁଣି ପଚାରିଲା—“ଭଦ୍ରଲୋକମାନେ ଆପଣଙ୍କର ନାମଟା ଜାଣିବାକୁ ଚାହାନ୍ତି ।” ବୃଦ୍ଧ ନୀରବ । ଡିଫାର୍ଜ ପୁଣି ଥରେ ସେହି ପ୍ରଶ୍ନ ପଚାରିଲା ।

 

ବୃଦ୍ଧ କହିଲେ—“ମୋର ନାମ ? ମୋର ନାମ ହେଲା ୧୦୫ ନର୍ଥ ଟାୱାର ।”

 

—ସେ ପୁଣି କଣ ?

 

—ହଁ, ୧୦୫ ନର୍ଥ ଟାୱ୍ୟାର ।

 

ଗୋଟିଏ କ୍ଳାନ୍ତିର ଶବ୍ଦ— ଦୀର୍ଘଶ୍ଵାସ ନୁହେଁ । କିଛି କଥା ନାହିଁ । ତାଙ୍କର ଦେହ ମନ ଯେ ଗୋଟାଏ କ୍ଳାନ୍ତିର ଭାରରେ ଭାଙ୍ଗି ପଡ଼ିଛି, ବାହାରେ ତାର ଏତେ ଟିକିଏ ପ୍ରକାଶ, ଛୋଟ ଓ ଅସ୍ପଷ୍ଟ ଶବ୍ଦ ଭିତରେ । ଶବ୍ଦଟା ତାଙ୍କ ମୁହଁରୁ ବାହାରିଲା । ତାପରେ ପୁଣି କାମ ଆରମ୍ଭ ।

 

ଏଥର ପ୍ରଶ୍ନ ଆସିଲା ମି: ଲରିଙ୍କଠାରୁ—“ଆପଣ କଣ ସବୁଦିନ ଜୋତା ତିଆରି କରୁଛନ୍ତି ?”

 

ଦିଓଟି ରଙ୍ଗିନ୍ ଆଖି ଥରେ ଡିଫାର୍ଜ ଆଡ଼କୁ ଅନାଇଲା, ଯେପରି ତାହା ଡିଫାର୍ଜକୁ କହିବାକୁ ଚାହେଁ—“ଏ ପ୍ରଶ୍ନର ଉତ୍ତର ତମେ ଦିଅ ।” କିନ୍ତୁ ଡିଫାର୍ଜ ନୀରବ । ସେତେବେଳେ ବୃଦ୍ଧଙ୍କ ଦୃଷ୍ଟି ମି: ଲରିଙ୍କ ଆଡ଼କୁ ପଡ଼ିଲା ।

 

“ମୁଁ ଚିରଦିନ ଜୋତା ତିଆରି କରୁଛି କି ନାହିଁ ? ନା—ତା କରିନି । ଏହା ମୁଁ ଏଇଠି ଶିଖିଛି । ନିଜେ ନିଜେ ଶିଖିଛି—ଅବଶ୍ୟ ଶିଖିବାର ଅନୁମତି ମୁଁ ନେଇଥିଲି ।” ଏହା କହୁ କହୁ ପୁଣି ଡାହାଣ ହାତରେ ବାଁ ହାତର ପାପୁଲି, ବାଁ ହାତରେ ଡାହାଣ ହାତର ପାପୁଲି ଧରାହେଉଛି ଏବଂ ଦାଢ଼ିରେ ହାତ ବୁଲାଇବା ଚାଲିଛି ।

 

ତାପରେ ମି: ଲରିଙ୍କ ମୁଖ ଉପରେ ବୃଦ୍ଧଙ୍କ ଦୃଷ୍ଟି ପୁଣି ପଡ଼ିଲା । ପଲକରେ ସେ ମୁହଁ ଦେଖିନେଇ ବୃଦ୍ଧ ହଠାତ୍ ଚମକି ଉଠିଲେ । ମନେ ପଡ଼ିଗଲା ମି: ଲରିଙ୍କ ପ୍ରଶ୍ନ ଏବଂ ସେ ପ୍ରଶ୍ନର ଉତ୍ତର ଦେଉଁ ଦେଉଁ ନୀରବ ହେଲେ । ସେ ଯେପରି ଶୋଇପଡ଼ିଥିଲେ; ପୁଣି ଜାଗ୍ରତ ହୋଇ କହିଲେ—“ହଁ, ମୁଁ ଅନୁମତି ନେଇ ନିଜେ ନିଜେ ଏହା ଶିଖିଛି । ଅନେକ ଦିନର ଚେଷ୍ଟାରେ ଟିକିଏ ଟିକିଏ କରି ଶିଖିବାକୁ ପଡ଼ିଛି । ତାପରେ ବରାବର ଏ କାମ କରି ଆସୁଛି ।” ଏହା କହି ମି: ଲରିଙ୍କ ଆଡ଼କୁ ବୃଦ୍ଧ ହାତ ବଢ଼ାଇଲେ । ଜୋତାଟା ଫେରାଇ ଲରି କହିଲେ—“ମସିୟେଁ ମାନେଟ୍‍, ଆପଣଙ୍କର କଣ ମୋ କଥା କିଛି ମନେ ପଡ଼ୁନାହିଁ ?”

 

ବୃଦ୍ଧଙ୍କ ହାତରୁ ଜୋତାଟା ଖସିପଡ଼ିଲା । ପ୍ରଶ୍ନକର୍ତ୍ତା ଆଡ଼କୁ ଅପଲକ ନୟନରେ ଚାହିଁ ସେ ବସିରହିଲେ । ଡିଫାର୍ଜ ତାଙ୍କର ହାତ ଉପରେ ହାତ ରଖି କହିଲା—“ମସିୟେଁ ମାନେଟ୍‍, ଏହି ଲୋକଟିର କଥା କଣ ଆପଣଙ୍କର ମନେପଡ଼େନା ? ଭଲକରି ଦେଖନ୍ତୁ ? ଆପଣ କୌଣସି ବ୍ୟାଙ୍କର ଲୋକକୁ କଣ ଚିହ୍ନନ୍ତି ? କୌଣସି ବ୍ୟବସାୟ କଥା ମନେପଡ଼ୁଛି ? ପଛଦିନଗୁଡ଼ିକର କୌଣସି ଆତ୍ମୀୟଙ୍କ କଥା ମନେଅଛି ?”

 

ବହୁ ବର୍ଷର ନିର୍ଜନ କାରାକକ୍ଷର ବନ୍ଦୀ ସ୍ଥିର ନୟନରେ ଚାହିଁ ଚାହିଁ ଦେଖିଲେ ଥରେ ଡିଫାର୍ଜକୁ, ଥରେ ଲରିକୁ । ବହୁଦିନରୁ ପୋଛି ହୋଇଯାଇଥିବା, ଲିଭିଯାଇଥିବା ଚେତନା ଯେପରି ପୁଣି ଫୁଟି ଉଠିଲା । ତା ପରେ ପରେ ସେ ଆଲୋକ ଉପରେ ଘନେଇ ଆସିଲା ବିସ୍ମୃତିର କଳାମେଘ, ମ୍ଳାନ ହେଲା ସେ ସ୍ମୃତିର କ୍ଷଣିକ ଆଲୋକ । ମି: ଲରିଙ୍କର ବର୍ତ୍ତମାନ ସନ୍ଦେହ ନାହିଁ—ଏହି ସେ ଡାକ୍ତର ମାନେଟ୍‍ । ଡିଫାର୍ଜ ଚୁପ୍ ଚୁପ୍ କରି ପଚାରିଲା—“ଆପଣ କଣ ତାଙ୍କୁ ଚିହ୍ନି ପାରୁଛନ୍ତି ?”

 

“ହଁ, ଆଶା ଛାଡ଼ି ଦେଇଥିଲି; କିନ୍ତୁ ଶେଷରେ ଦେଖିବାକୁ ପାଇଛି—ମୁହୂର୍ତ୍ତକ ପାଇଁ ହେଲେ ମଧ୍ୟ ସେହି ପରିଚିତ ମୁହଁଟି ଦେଖିପାରିଛି । ଏହି ସେ ଡାକ୍ତର ମାନେଟ୍‍; କିନ୍ତୁ ହଠାତ୍ ସେ ଚୁପ୍ ହୋଇଗଲେ ଓ ଡିଫାର୍ଜକୁ ଟାଣିନେଇ କାନ୍ଥକୁ ଲାଗି ଘୁଞ୍ଚି ଠିଆହେଲେ । ଲୁସି ମାନେଟ୍‍ ଆସି ଚୁପ୍ ଚୁପ୍ ଠିଆହେଲା କବରରୁ ଫେରିଆସିଥିବା ତାର ହତଭାଗ୍ୟ ବାପା ପାଖରେ । ମି: ମାନେଟ୍‍ ହାତ ବଢ଼ାଇଥିଲେ ଲୁସିର ହାତ ସ୍ପର୍ଶ କରି ପାରନ୍ତେ; ତଥାପି ସେ ଲୁସିର ଉପସ୍ଥିତି କଥା କିଛିହେଲେ ଜାଣି ପାରିନାହାନ୍ତି । ନୀରବରେ ସେ ଝୁଙ୍କି ପଡ଼ିଛନ୍ତି ସିଲାଇ ଉପରେ ।

 

ହଠାତ୍ ବୃଦ୍ଧଙ୍କର ଛୁରି ଦରକାର ହେଲା । ଛୁରି ଖୋଜିବା ପାଇଁ ଥରେ ଡାହାଣକୁ, ଥରେ ବାଁକୁ ଚାହିଁବାକୁ ଲାଗିଲେ । ତାହା କଣ ଏତେ ପାଖରେ ଦେଖାଯିବ ? ଚମକି ଉଠିଲେ ବୃଦ୍ଧ-। ସେ ଲୁସିର ଅପହରଣର ଏକ ଅଂଶ ଦେଖିପାରିଛନ୍ତି । ହାତରେ ଛୁରି ଓ ଆଖିରେ ପାଗଳର ଚାହାଣି ନେଇ ଯେଉଁ ଭାବରେ ଲୁସି ଆଡ଼କୁ ଚାହିଁବାକୁ ଲାଗିଲେ ବୃଦ୍ଧ ମାନେଟ୍‍ ସେଥିରେ ଡିଫାର୍ଜ ଓ ଲରି ଭୟରେ ପଳାଇ ଆସିବାକୁ ବାହାରିଲେ । ଏଇଥର ହତଭାଗ୍ୟ ପାଗଳ ନିଶ୍ଚୟ ଲୁସି ବୁକୁରେ ଛୁରି ବସାଇଦେବ । ଲୁସି ଭୟରେ ଅଜ୍ଞାନ ପ୍ରାୟ ହୋଇଗଲା । କିନ୍ତୁ ନା, ଲୁସି ଆଜି ଭୟ ନାହିଁ । ସେ ମି: ଲରି ଓ ଡିଫାର୍ଜର ମତଲବ୍ ଠିକ୍ ବୁଝିପାରିଛି । ସେ ହାତ ହଲାଇ ମନାକଲା-। ବୃଦ୍ଧ ଆଡ଼କୁ ଚାହିଁ ନିଜର ହାତ ଚୁମ୍ବନ କରିବାକୁ ଲାଗିଲା । ବାରବାର ଦୁଇ ହାତ ଆଣି ନିଜ ବୁକୁ ଉପରେ ଜଡ଼ାଇ ଧରିବାକୁ ଲାଗିଲା; ଯେପରି ବୃଦ୍ଧ ପିତାଙ୍କର ଶୁଷ୍କଶିରା ସେ ଜଡ଼ାଇ ଧରିଛି ନିଜର ସ୍ନେହ କୋମଳ ବୁକୁ ଉପରେ । କୌଣସି ସ୍ନେହର ସମ୍ଭାଷଣ ତାର ମୁଖରୁ ଉଚ୍ଚାରିତ ହେବା ପୂର୍ବରୁ ତାର ଦିଓଟି ଓଠ ଯେପରି ଫୁଲି ଫୁଲି ଉଠୁଥିଲା । ସେଥିରେ ବୃଦ୍ଧ ବିଚଳିତ ହୋଇ ଉଠିଲେ । ଅନେକ ସମୟ ଧରି ଲୁସି ଆଡ଼କୁ ଚାହିଁ ଚାହିଁ ବୃଦ୍ଧ କହି ଉଠିଲେ—

 

—ତମେ, ତମେ ତ ଜେଲରର ଝିଅ ନୁହଁ ?

 

ଲୁସି ଦୀର୍ଘ ନିଶ୍ଵାସ ପକାଇ କହିଲା—“ନା ।”

 

—ତେବେ ତମେ କିଏ ?

 

ଲୁସିର ସମସ୍ତ ଦେହଟି ଆବେଗରେ କମ୍ପୁଥିଲା । କହିବାର ଶକ୍ତି ଯେପରି ଲୁପ୍ତ । କୌଣସି ଉତ୍ତର ନଦେଇ ଧୀରେ ଧୀରେ ସେ ବୃଦ୍ଧଙ୍କ ପାଖରେ ବେଞ୍ଚ ଉପରେ ବସିଲା । ଭୟ ଓ ସଙ୍କୋଚରେ ଘୁଞ୍ଚିଯିବାକୁ ଚାହାନ୍ତି ବୃଦ୍ଧ; କିନ୍ତୁ ଲୁସି ବୃଦ୍ଧଙ୍କ ହାତ ଉପରେ ରଖିଲା ନିଜର ହାତ । ସେ ସ୍ପର୍ଶରେ ହଠାତ୍‌ ଆଶ୍ଚର୍ଯ୍ୟ ଭାବରେ ଶିହରି ଉଠିଲା ବୃଦ୍ଧଙ୍କର ସମସ୍ତ ଅଙ୍ଗ। ସେ ଧୀରେ ଧୀରେ ହାତର ଛୁରି ତଳକୁ କଲେ ଓ ତାପରେ ବିସ୍ମିତ, ତୃଷିତ ଦୃଷ୍ଟି ନେଇ ସେ ଚାହିଁ ରହିଲେ ଏହି ମମତାମୟୀ ତରୁଣୀ ଆଡ଼କୁ । ସୁନେଲି ରଙ୍ଗର ମୁକ୍ତ କେଶଦାମ ପଡ଼ିଥିଲା ଲୁସିର କାନ୍ଧ ଉପରେ । ଟିକିଏ ଟିକିଏ କରି ବୃଦ୍ଧର ହାତ ସେଇ ଆଡ଼କୁ ଆଗେଇ ଯିବାକୁ ଲାଗିଲା । ସେ କେରାଏ କେଶ ହାତରେ ତୋଳିନେଲେ ଓ ତୀକ୍ଷ୍‍ଣ ଦୃଷ୍ଟିରେ ଚାହିଁ ପରୀକ୍ଷା କଲେ ।

 

ଆଉ ସମ୍ଭାଳି ନ ପାରି ଲୁସି ନିଜର କୋମଳ ଉଷ୍ମ ବାହୁ ଦିଓଟି ବୃଦ୍ଧଙ୍କର କଣ୍ଠଦେଶରେ ଜଡ଼ାଇଲା । ବୃଦ୍ଧ ଲୁସିକୁ ଥରକୁ ଥର ଅନାଇ ତାପରେ ନିଜର ଗଳାରୁ ଖୋଲି ନେଲେ ମଇଳା ସୂତାରେ ଝୁଲା ହୋଇଥିବା ଗୋଟିଏ ଛୋଟ ପୁଟୁଳି । ସେ କମ୍ପିତ ହସ୍ତରେ ପୁଟୁଳିକୁ ଖୋଲିବାକୁ ଲାଗିଲେ । ତାହା ଭିତରୁ ବାହାରିଲା କେରାଏ ଲମ୍ବ କେଶ; ଲୁସି କେଶ ପରି ଉଜ୍ଜ୍ୱଳ, ସୁନେଲି ଓ ମସୃଣ । ସଂସାର ଯାଇଛି, ସଂପଦ ଯାଇଛି, ଘର ଘରଣୀ ଯାଇଛନ୍ତି; କେବଳ ରହିଯାଇଛି ପ୍ରିୟତମାର ସେଇ କେରାକ ସୁନେଲି କେଶ । ଲୁସିର ସୁନେଲି କେଶଗୁଚ୍ଛ ଆଡ଼କୁ ବୃଦ୍ଧ ପୁଣି ଥରେ ଆକୁଳ ଦୃଷ୍ଟିରେ ଅନାଇଲେ । ମନ ଭିତରେ ତାଙ୍କର ଅକସ୍ମାତ୍ ଜାଗି ଉଠିଲା ଅତୀତ ସ୍ମୃତିର କ୍ଷୀଣ ଆଲୋକ । ସେ ଚିତ୍କାର କରି ଉଠିଲେ “ ଏହି ତ ସେଇ କେଶଦାମ—କିପରି ହେଲା ? ତମେ କି ସେହି ?”

 

ଲୁସି ଆଣ୍ଠୁମାଡ଼ି ବୃଦ୍ଧଙ୍କ ସମ୍ମୁଖରେ ବସି ପଡ଼ିଲା ଓ ଆର୍ତ୍ତକଣ୍ଠରେ କହି ଉଠିଲା—“ମୁଁ ତୁମର ଝିଅ, ତୁମରି ଝିଅ ବାପା ! ବାପା, ମୁଁ ତୁମକୁ ନେଇଯିବାକୁ ଆସିଛି ।

 

“ବୃଦ୍ଧଙ୍କର ଦୁଇ ଆଖିରୁ ଗଡ଼ିପଡ଼ିଲା ଲୁହର ଅବାରିତ ଧାରା ।’’

Image

 

। ତିନି ।

 

ପାଞ୍ଚବର୍ଷ ପରେ—

 

ଓଲଡବେଲି—ଲଣ୍ଡନର ଫୌଜଦାରୀ ଅଦାଲତରେ ଲୋକର ଭିଡ଼ । ଆଜି ଗୋଟାଏ ରାଜଦ୍ରୋହୀର ମକଦ୍ଦମା ବିଚାର ଚାଲିଛି । ଆସାମୀକୁ ଖୁବ୍ ସମ୍ଭବ ଜୁରୀମାନେ ଦୋଷୀ ସାବ୍ୟସ୍ତ କରିବେ । ରାଜଦ୍ରୋହୀର ବିଚାରରେ ସାଧାରଣତଃ ଜୁରୀମାନେ ଏହା କରିଥାନ୍ତି । ଭଦ୍ରଲୋକମାନଙ୍କର ପୁଣି ତ ରାଜାଙ୍କ ପାଇଁ କର୍ତ୍ତବ୍ୟ ରହିଛି ? ତା’ଛଡ଼ା ଫାଶୀର ମଞ୍ଚଟା ନାଗରିକମାନଙ୍କୁ ଦେଖିବା ପାଇଁ ସୁଯୋଗ ଦେବା ପ୍ରୟୋଜନ । ତା ନ ହେଲେ ସେମାନେ କେଉଁଥିପାଇଁ ଏତେ କର ଦିଅନ୍ତି ?

 

ତା’ଛଡ଼ା ରାଜଦ୍ରୋହୀ ଆସାମୀର ଦଣ୍ଡ କେବଳ ଫାଶୀ ନୁହଁ । ଅବଶ୍ୟ ପ୍ରଥମେ ଫାଶୀରେ ଝୁଲାଇଦେବାକୁ ହୁଏ; କିନ୍ତୁ ପ୍ରାଣଟା ଯିବା ପୂର୍ବ ମୁହୂର୍ତ୍ତରେ ତାକୁ ତଳକୁ ଓହ୍ଲାଇ ଦେବାକୁ ହୁଏ । ତାପରେ ବେକରୁ ଦୌଡ଼ି ଖୋଲି ନେଇ ସେଥିରେ ଆସାମୀର ହାତ ପାଦ ବାନ୍ଧିବାକୁ ହୁଏ । ସେହି ଅବସ୍ଥାରେ ଆସାମୀକୁ ତଳେ ପକାଇ ତାର ପେଟ ଫାଡ଼ି ଅନ୍ତ ବାହାର କରି ନିଆଯାଏ ଓ ପୁଣି ସେସବୁ ତା ଆଗରେ ନିଆଁ ଜାଳି ପୋଡ଼ାଯାଏ । ଜ୍ଞାନ ଥାଉଁ ଥାଉଁ ଅନେକ କିଛି ତାକୁ ନେଇ କରିବାକୁ ହୁଏ । ଡେରି କଲେ ଚଳିବ ନାହିଁ । ବେଳେବେଳେ ଗୋଟିଏ ହାତ, ଗୋଟିଏ ପାଦ ଧୀରେ ଧୀରେ ଟିକି ଟିକି କରି ଖଣ୍ଡାରେ କଟାଯାଏ । କେବେ କେବେ ତଲୁଆର ବ୍ୟବହାର ନକରି ଘୋଡ଼ାର ପଛଗୋଡ଼ ସାଙ୍ଗରେ ବାନ୍ଧି ଦିଆହୁଏ ଗୋଡ଼ହାତ । ପରସ୍ପର ବିପରୀତ ଦିଗରେ ମୁହଁ କରିଥାଆନ୍ତି ଦିଓଟି ଦୁରନ୍ତ ଘୋଡ଼ା । ଗୋଟାକର ପଛ ଗୋଡ଼ରେ ଆସାମୀର ଦୁଇହାତ ବନ୍ଧାହେଲେ, ଅନ୍ୟଟିର ପଛଗୋଡ଼ରେ ବନ୍ଧାଯାଏ ଦିଓଟି ଗୋଡ଼ । ତାପରେ ଦୁଇଟିଯାଇ ଘୋଡ଼ା ଉପରେ ବସେ ଶକ୍ତ ଚାବୁକ ପାହାର । ଅପରାଧୀର ହାତ ଛିଣ୍ଡିଯାଇ ଉତ୍ତର ଆଡ଼େ ପଡ଼ିଲେ, ଗୋଡ଼ ପଡ଼େ ଦକ୍ଷିଣରେ ।

 

ଦର୍ଶକମାନଙ୍କର କି ଆନନ୍ଦ ! ପଇସା ଦେଇ ସର୍କସରେ କଣ ଏ ପ୍ରକାର ମଜା ମିଳେ ? ସୁସଭ୍ୟ ଇଂରେଜ ସରକାର ଦେଢ଼ଶହ ବର୍ଷ ପୂର୍ବେ ନାଗରିକମାନଙ୍କ ଆନନ୍ଦ ପାଇଁ ଏ ପ୍ରକାର ମନୋରମ ବ୍ୟବସ୍ଥା ଆଇନରେ ରଖିଥିଲେ । ଏହି ଅଳ୍ପ କେତେକ ଦିନରେ ଅନେକ ଅଧଃପତନ ଦେଶଟାର ହୋଇଛି । ସେସବୁ ଆଇନ୍ ଉଠାଯାଇଛି । ଯା ହେଉ; ଆସାମୀର ହାତ ପାଦ କାଟି ଛିଣ୍ଡାଇବା ପରେ ଯଦି ଜୀବନ ବୋଲି କିଛି ଅବଶେଷରେ ଥାଏ ତେବେ ତାର ଅବସାନ କରିବା ପାଇଁ ଏହି ଥର ଖଣ୍ଡାରେ ବା କୋଦାଳରେ ବେକରେ ଗୋଟାଏ ଚୋଟ ବସାଇବା ପାଇଁ ଲୋକ ଶୀଘ୍ର ଡକରା ହୁଏ ।

 

ଆଜିର ଆସାମୀଟିକୁ ଦେଖିଲେ ସେ ବେଶ୍ ଭଲ ଲୋକ ବୋଲି ମନେହୁଏ । ଭଦ୍ରଲୋକ ପରି ଚେହେରା । ବୟସ ପଚିଶ ହେବ—ସୁନ୍ଦର, ହୃଷ୍ଟପୁଷ୍ଟ ଦେହ । ପୋଷାକ ସାଧାରଣ; କିନ୍ତୁ ପରିଷ୍କାର । ସଂପ୍ରତି ବିପଦ ପାଇଁ ମୁଖଶ୍ରୀ ବିବର୍ଣ୍ଣ; କିନ୍ତୁ କୌଣସିପ୍ରକାର ଚାଞ୍ଚଲ୍ୟ ଭାବଭଙ୍ଗୀରେ ନାହିଁ । ବେଶ୍ ଗମ୍ଭୀର ଓ ସଞ୍ଜତ ଭାବରେ ସେ ଜଜ୍ ଓ ଜୁରିମାନଙ୍କୁ ପ୍ରଣାମ କଲା । ଆସାମୀର ଓକିଲ ଗୋଟାଏ କାଗଜ ନେଇ ଥରକୁ ଥର ଏପଟ ସେପଟ କରୁଥାନ୍ତି ଓ ତାଙ୍କ ନିକଟରେ ଗୋଟିଏ ପରଚୁଳା ପିନ୍ଧିଥିବା ଓକିଲ ବସି ଛାତର କଡ଼ିକାଠ ଗଣୁଥିଲେ । ସରକାରୀ ଓକିଲ ଜବାବ ସୁଆଲ ଆରମ୍ଭ କଲେ—

 

କେତେ ବର୍ଷ ହେଲା ଆସାମୀ ଚାର୍ଲସ୍ ଡାର୍ନେ ଥରକୁ ଥର ଇଂଲିଶ ଚାନେଲ ପାରିହେଉଛି ! ଫ୍ରାନସରେ ତାର ଏତେ କଣ ପ୍ରୟୋଜନ ? ସେହି ଦେଶକୁ ସେ ଥରକୁଥର କେଉଁଥିପାଇଁ ଯାଏ ? ତାର ଗତିବିଧି ସନ୍ଦେହଜନକ ।

 

“ଜନ୍ ବରସାଦ୍ ଥିଲା ଡାର୍ନେର ଘନିଷ୍ଠ ବନ୍ଧୁ । ଆସାମୀର ଜଘନ୍ୟ ଆଚରଣର ଯେଉଁ ପରିଚୟ ମିଳିଛି ସେଥିରେ ସାକ୍ଷୀ ମି. ବରସାଦ୍ ପରି ମହାନୁଭବ ଦେଶପ୍ରେମୀ ପକ୍ଷରେ ଡାର୍ନେକୁ ଆଉ ବନ୍ଧୁ ବୋଲି ମନେ କରିବା ସମ୍ଭବ ହୋଇନି । ଏହି ବରସାଦ୍ ଆସାମୀର ଜଘନ୍ୟ ଆଚରଣର ପରିଚୟ ପ୍ରଥମେ ପାଆନ୍ତି ଏବଂ ଦେଶପ୍ରେମୀ ଭାବରେ ଏହି ଜଘନ୍ୟ ଆଚରଣ ପ୍ରକାଶ କରିଛନ୍ତି । ଡାର୍ନେ ଗୁପ୍ତଚର । ମହାମହିମାନ୍ୱିତ ସଦାଶୟ ସର୍ବଗୁଣବିଭୂଷିତ ଇଂଲଣ୍ଡାଧିପତି ତୃତୀୟ ଜଜ୍‍ଙ୍କର ସୈନ୍ୟବାହିହିନୀରେ କେତେ ସୈନ୍ୟ ଅଛନ୍ତି ଏବଂ କେଉଁଠାରେ ଅଛନ୍ତି, କେଉଁ କେଉଁ ଅସ୍ତ୍ରରେ ସେମାନେ ଶିକ୍ଷା ଲାଭ କରିଛନ୍ତି; ଏ ସବୁ ଗୁରୁତର ବିଷୟରେ ସମସ୍ତ ଖୁଣ୍ଟି ନାଣ୍ଟି ସମ୍ବାଦ ଯେକୌଣସି ଉପାୟରେ ସଂଗ୍ରାହ କରି ତାହା ଫରାସୀରାଜା ଲୁଇଙ୍କ ଦରବାରରେ ଉପସ୍ଥାପିତ କରିବା ହିଁ ତାର କାର୍ଯ୍ୟ । ଆସାମୀ ଏ ସବୁ ସମ୍ବାଦ ନେବା ଆଣିବା କାର୍ଯ୍ୟରେ ଲିପ୍ତଥିବା ବରସାଦ୍ ନିଜ ଆଖିରେ ଦେଖିଛନ୍ତି । ଆସାମୀ ଏହି ସବୁ ବିବରଣୀ ଯେଉଁ କାଗଜପତ୍ରରେ ଲେଖିଥିଲା ତାହା ତାର ପକେଟରୁ ମିଳିଛି ଏବଂ ତାର ଭୃତ୍ୟ ପାଇଛି । ସେହି ଚାକର ମଧ୍ୟ ତାର ଗୁପ୍ତଚର ମୁନିବ ବିରୁଦ୍ଧରେ ସାକ୍ଷୀଦେବାକୁ ଆସିଛି ଖାଣ୍ଟି ଦେଶୀହିତୈଷୀରୂପେ ।”

 

ଜବାବ ସୁଆଲ ଶେଷ କରି ସରକାରୀ ଓକିଲ ବରସାଦ୍ ଏବଂ ରୋଜର କ୍ଳାଇର ସାକ୍ଷ୍ୟ ଗ୍ରହଣ କଲେ । ବରସାଦ୍ ଥିଲା ଡାର୍ନେର ବନ୍ଧୁ ଏବଂ କ୍ଳାଇ ତାର ଭୃତ୍ୟ । ସରକାରୀ ଓକିଲ ପୂର୍ବରୁ ଯାହା ଶିଖାଇଥିଲେ ସାକ୍ଷୀମାନେ ପରେ ଆସି ସେହି କଥା କହିଲେ । ତେବେ ଜେରାରେ ଏହାଛଡ଼ା ଦି’ ଚାରିଟା ନୂଆ କଥା ପ୍ରକାଶ ପାଇଲା । ବରସାଦ୍‍ର ମୁହଁରୁ ଯାହା ଶୁଣାଗଲା ତାହା ହେଲା ଏହି ପ୍ରକାରର—

 

ତୁମେ ନିଜେ କେବେ ଗୁପ୍ତଚର ଥିଲ ?

 

—ନା, ସେ ପ୍ରକାର ଯେ ମୋତେ ବଦନାମ ଦିଏ ତାକୁ ମୁଁ ଘୃଣା କରେ ।

 

ତମର ବ୍ୟବସାୟ କଣ ?

 

—ସମ୍ପତ୍ତି ଅଛି ।

 

ସମ୍ପତ୍ତି କେଉଁଠି ?

 

—ସେଇଟା—ସେଇଟା ଠିକ୍ ମନେ ପଡ଼ୁନାହିଁ ।

 

ସମ୍ପତ୍ତିଟା କଣ ?

 

—ସେଥିରେ ଅନ୍ୟର ଦରକାର କଣ ?

 

ସମ୍ପତ୍ତିଟା କାହାଠାରୁ ମିଳିଛି ନିଶ୍ଚୟ ?

 

—ହଁ, ତା ଠିକ୍ ।

 

କାହାଠାରୁ ?

 

—ଦୂର ସମ୍ପର୍କୀୟ ଆତ୍ମୀୟଙ୍କଠାରୁ ।

 

ବୋଧହୁଏ ଖୁବ୍ ଦୂର ?

 

—ହଁ, ତା ଦୂର ଅବଶ୍ୟ ।

 

କେବେ ଜେଲ୍ ଯାଇଛ ?

 

—ନା ।

 

ଦେୱାନୀ ଜେଲ୍ ଯାଇଛି ଦେଣା ପାଇଁ ?

 

—ଏ ମୋକଦ୍ଦମା ସମ୍ପର୍କରେ ତାର ପୁଣି କି ସମ୍ପର୍କ ?

 

ପୁଣି ପଚାରୁଛି—ଜେଲ୍ ଯାଇଛ କି ନା ?

 

—ହଁ ।

 

କେତେଥର ?

 

—ଦୁଇତିନି ଥର ହେବ ।

 

ନା ପାଞ୍ଚ ଥର ?

 

—ହୋଇପାରେ ହୁଏତ ।

 

ବ୍ୟବସାୟ କଣ ?

 

—ଭଦ୍ରଲୋକ—ଭଦ୍ରଲୋକର ପୁଣି ବ୍ୟବସାୟ କ’ଣ ?

 

କେବେ ଗୋଇଠା ଖାଇଛ—କାହାଠଉଁ ?

 

—ହୋଇପାରେ ।

 

ବହୁତ ଥର ?

 

—ନା, ନା ।

 

ଗୋଇଠା ମାରି ଶିଡ଼ି ଉପରୁ ତମକୁ ତଳେ କେହି ପକାଇ ଦେଇଥିଲା କି ?

 

—ନା, ନା, ଶିଡ଼ି ଉପରେ ଠିଆ ହୋଇଛି ହଠାତ୍ ଗୋଇଠା ବାଜିଲା । ସମ୍ଭାଳି ନପାରି ନିଜେ ପଡ଼ିଗଲି ।

 

ନିମକ୍‍ହାରାମି ପାଇଁ ଗୋଇଠା ଖାଇଛ ?

 

—ସେ ମିଥ୍ୟାବାଦୀଟା ସେଇଆ ଅବଶ୍ୟ କହୁଥିଲା; କିନ୍ତୁ ଏଇଟା ମିଛକଥା । ଲୋକଟା ମଦ ଖାଇ ମାତାଲ ଥିଲା ।

 

ଯଦି ମୁଁ କହେ ଯେ ଏହି ନିମକ୍‍ହାରାମି ହିଁ ତୁମର ବ୍ୟବସାୟ ? ଏହା କରି ତୁମର ଦିନ ଚଳିଯାଏ ?

 

—ନା, ନା, ନା ।

 

ଆସାମୀଠାରୁ ତମେ ଟଙ୍କା ଧାର କରିଥିଲ ?

 

—ହଁ ।

 

ସେ ଟଙ୍କା ପରିଶୋଧ କରିଥିଲ ?

 

—ନା ।

 

ଆସାମୀ ସହିତ ଯେ ବନ୍ଧୁତ୍ୱର କଥା ଉଠାଉଛ ସେଟା କି ଧରଣର ବନ୍ଧୁତ୍ୱ ? ତମେ ଉପରେ ପଡ଼ି ବନ୍ଧୁତା କରିଥିଲ ? କି ନୁହେଁ କି ?

 

—ନା; ତା ନୁହଁ ।

 

ତମେ ସରକାରୀ ଗୋଇନ୍ଦା କି ?

 

—କଣ କହୁଛନ୍ତି ମହାଶୟ ?

 

ଏହି ମାମଲାରେ ସାକ୍ଷୀ ଦେଇଥିବାରୁ କିଛି ବକ୍‍ସିସ୍‍ ପାଇଚ ?

 

—କଣ ଯେ କହନ୍ତି ?

 

ଭଗବାନଙ୍କ ଶପଥ ନେଇ ଏ କଥା କହି ପାରିବ ?

 

—ହଁ, ହଁ, ବହୁତ ଥର ।

 

ଭୃତ୍ୟ ରୋଜାର କ୍ଳାଇକୁ ସରକାରୀ ଓକିଲ ଏକ ବଢ଼ିଆ ସାର୍ଟିଫିକେଟ ଦେଇ କହିଥିଲେ—“ସେ କର୍ତ୍ତବ୍ୟ ପାଇଁ ସବୁ କରିପାରେ—ଉଚ୍ଚଦରର ଖାଣ୍ଟି ଦେଶପ୍ରେମୀ । ଜମାନବନ୍ଦୀରେ ସେ କହିଥିଲା—‘ଆସାମୀର ପକେଟରେ ସେ ଲମ୍ବା ଲମ୍ବା ତାଲିକା ପ୍ରାୟ ଦେଖିବାକୁପାଏ । କ୍ୟାଲ୍ ବନ୍ଦରରେ ଦିନେ ଆସାମୀ ଏହି ଧରଣର କେତେକ ତାଲିକା ଏକ ଫରାସୀ ଭଦ୍ରଲୋକକୁ ଦେଇଥିଲା । ଏସବୁ ତାଲିକାରେ ପ୍ରାୟ ଯୁଦ୍ଧର ଅସ୍ତ୍ରଶସ୍ତ୍ରର କଥା ଥାଏ । ଯୁଦ୍ଧବେଳେ କେଉଁଠାରେ ଘାଟୀ କଲେ ଭଲ ହେବ, କାହାକୁ ପ୍ରଥମେ ଦଖଲ କରିବା ଦରକାର, ଏଥିରେ ଉଲ୍ଲଖ ଅଛି । ସାକ୍ଷୀ ଯେତେବେଳେ ଜାଣିପାରିଲା ଯେ ଖାମିଦ ଗୁପ୍ତଚର, ତାପରେ ନୀରବରେ ବସି ରହିବା ତା ପକ୍ଷରେ ସମ୍ଭବ ହେଲାନି । ଦେଶପ୍ରେମର ପ୍ରେରଣାରେ ସେ ସରକାରଙ୍କ ନିକଟରେ ଆସି ସମସ୍ତ ଘଟଣା ପ୍ରକାଶ କରିବାକୁ ବାଧ୍ୟ ହେଲା । ସେ ଏକ ନମ୍ବର ସାକ୍ଷୀକୁ ଜାଣେ । ଜନ୍ ବରସାଦ୍ ତାର ନାମ ଏବଂ ସାତ ଆଠବର୍ଷ ହେଲା ତାଙ୍କୁ ଜାଣିଛି । ଜେରାରେ କ୍ଳାଇ ପ୍ରକାଶ କଲା—‘ସେ ଆପେ ଆସି ଆସାମୀ ପାଖରେ ଚାକର ହୋଇ ରହିଲା ଏବଂ ଗୋଟିଏ ଷ୍ଟିମର୍ ଉପରେ ଯେତେବେଳେ ନଖାଇ ନିର୍ଯାତିତ ଥିଲା ଆସାମୀ ତାକୁ ଦୟା ଦେଖାଇଥିଲା । ତାପରେ ସେ ରୂପାର ଟି-ପଟ୍ ଗୋଟିଏ ଚୋରି କରିଥିଲା ।

 

ତୃତୀୟ ସାକ୍ଷୀ ହେଲେ ମିଷ୍ଟର ଜାର୍ଭିସ ଲରି । ସରକରୀ ଓକିଲଙ୍କ ସାଙ୍ଗରେ ତାଙ୍କର ଜବାବ ସୁଆଲ ହେଲା

 

ମି. ଲରି, ଆପଣ ଟେଲସନ୍‍ ବେଙ୍କ୍‍ର କର୍ମଚାରୀ ?

 

—ହଁ ।

 

୧୭୭୫ ସାଲ ନଭେମ୍ବର ମାସର ଏକ ଶୁକ୍ରବାର ରାତିରେ ଡୋଭାର ମେଲରେ କଣ ଆପଣ ଯାତ୍ରୀ ଥିଲେ ?

 

—ହଁ ।

 

ଡାକ ଗାଡ଼ିରେ ଆଉ କେହି ଯାତ୍ରୀ ଥିଲେ ?

 

—ଦୁଇଜଣ ଥିଲେ ।

 

ସେମାନେ ରାତି ଭିତରେ ରାସ୍ତାରେ ଓହ୍ଲାଇ ଯାଇଥିଲେ କି ?

 

—ହଁ, ଓହ୍ଲାଇ ଯାଇଥିଲେ ।

 

କହନ୍ତୁ ଦେଖି, ଏହି ଆସାମୀ କଣ ସେ ଦୁଇଜଣଙ୍କ ଭିତରୁ ଜଣେ ?

 

—କହିବା ସମ୍ଭବ ନୁହେଁ । ସେ ଦୁଇ ଜଣ ଏପରି ପୋଷାକରେ ଘୋଡ଼ାଇ ହୋଇଥିଲେ ଏବଂ ରାତ୍ରୀ ଏତେ ଅନ୍ଧକାର ହୋଇଥିଲା ଯେ କାହାର ଆକୃତି ଟିକିଏ ବୋଲି ଦେଖିପାରିନି ।

 

ଏ ଆସାମୀ ସହିତ ସେମାନଙ୍କର କାହାର ମେଳ ନ ଥିଲା, ଏ କଥା ମଧ୍ୟ ଜୋର୍ ଦେଇ କହିପାରିବେନି ନିଶ୍ଚୟ ?

 

—ତା ସତ ।

 

ତା ହେଲେ ଏହା ମଧ୍ୟ ହୋଇପାରେ ଯେ ଏ ଲୋକଟି ସେଦିନ ଗାଡ଼ିରେ ଥିଲେ ।

 

—ହୋଇପାରେ ।

 

ଏ ଆସାମୀକୁ ଆପଣ ପୂର୍ବେ କେବେ ଦେଖିଛନ୍ତି ?

 

—ଦେଖିଛି ।

 

କେବେ ?

 

—ଷ୍ଟିମରରେ କ୍ୟାଲେରୁ ଆସିବା ସମୟରେ ସେ ମଧ୍ୟ ଆସୁଥିଲେ । କେଉଁ ସମୟରେ ଆସାମୀ ଷ୍ଟିମରରେ ଉଠିଥିଲା ?

 

—ରାତି ବାରଟାପରେ ।

 

ଅର୍ଥାତ୍‍ ଗଭୀର ରାତିରେ । ସେ ସମୟରେ ଆଉ କେହି ଆସିଥିଲେ ?

 

—ନା, ସେ ଏକାକୀ ଆସିଥିଲେ ।

 

ଆପଣ କଣ ଏକା ଯାଉଥିଲେ ?

 

—ମୋ ସାଙ୍ଗରେ ଆଉ ଦି’ଜଣ ମଧ୍ୟ ଥିଲେ । ଜଣେ ତରୁଣୀ ଏବଂ ଜଣେ ଭଦ୍ରଲୋକ-। ସେମାନେ ଏଠାରେ ଉପସ୍ଥିତ ଅଛନ୍ତି ।

 

ଏ ସମୟରେ ଆସାମୀ ସହିତ କୌଣସି କଥାବାର୍ତ୍ତା ଆପଣଙ୍କର ହୋଇଥିଲା ?

 

—ବିଶେଷ କିଛି ନୁହେଁ ।

 

ସରକାରୀ ଓକିଲ ଡାକିଲେ—“ମିସ୍ ମାନେଟ୍‍ !”

 

ତରୁଣୀଟି ନିକଟରେ ବସିଥିଲେ ତାଙ୍କ ବାପାଙ୍କ ପାଖରେ । ସେ ସେଠାରୁ ଉଠି ଠିଆହେଲେ ଏବଂ ତାଙ୍କ ସଙ୍ଗେ ସଙ୍ଗେ ପିତା ମଧ୍ୟ ଠିଆହେଲେ ।

 

ସରକାରୀ ଓକିଲ ପଚାରିଲେ—“ମିସ୍ ମ୍ୟାନେଟ୍, ଏହି ଆସାମୀକୁ ପୂର୍ବେ କେବେ ଦେଖିଛନ୍ତି ?

 

ମାନେଟ୍‍—ଦେଖିଛି । ପୂର୍ବ ସାକ୍ଷୀ ଯେଉଁ ଷ୍ଟିମର୍ କଥା ବର୍ତ୍ତମାନ କହିଲେ ସେହି ଷ୍ଟିମରରେ ଦେଖିଛି । ମିଷ୍ଟର୍ ଲରିଙ୍କର ସଙ୍ଗନୀ ମୁଁ ଥିଲି ।

 

ଓକିଲ—ଚାନେଲ୍ ପାରିହେବା ସମୟରେ ଆସାମୀ ସହିତ ଆପଣଙ୍କର କୌଣସି ଆଳାପ ହୋଇଥିଲା ମିସ୍ ମାନେଟ୍‍ ?

 

ମ୍ୟାନେଟ୍—ହୋଇଥିଲା ।

 

ଓକିଲ—ମନେକରି କହନ୍ତୁ ତ—କଣ କଥା ହୋଇଥିଲା ?

 

ମାନେଟ୍‍—ଭଦ୍ରଲୋକଟି ଯେତେବେଳେ ଷ୍ଟିମର୍‍କୁ ଉଠିଲେ—

 

ଓକିଲ—କୁହନ୍ତୁ “ଆସାମୀ ।”

 

ମ୍ୟାନେଟ୍—ଆଚ୍ଛା ! ସେ ଯେତେବେଳେ ଷ୍ଟିମରରେ ଉଠିଲେ ସେତେବେଳେ ପ୍ରବଳ ଝଡ଼ ଉଠିଥିଲା । ମୋର ପିତାଙ୍କର ସ୍ୱାସ୍ଥ୍ୟ ଖୁବ୍ ଖରାପ ଥିଲା । କିପରି ଭାବରେ ତାଙ୍କୁ ରଖିଲେ ତାଙ୍କ ଦେହରେ କମ୍ ପବନ ଲାଗିବ ସେହି ବିଷୟରେ ସେ ମୋତେ ପରାମର୍ଶ ଦେଇଥିଲେ । ଏହି ଭାବରେ ଆଳାପ ହୋଇଥିଲା ।

 

—ସେ କଣ ଷ୍ଟିମରକୁ ଏକା ଆସିଥିଲେ ?

 

ନା, ଦୁଇଜଣ ଫରାସୀ ଭଦ୍ରଲୋକ ତାଙ୍କ ସାଙ୍ଗରେ ଥିଲେ ।

 

—ତାଙ୍କ ଭିତରେ କୌଣସି କାଗଜପତ୍ର ଦେବାନେବା ହେବାର ଦେଖିଛନ୍ତି କି ?

 

—ହଁ । ତେବେ କି କାଗଜ ମୁଁ ଜାଣେ ନାହିଁ ।

 

—ଆସାମୀ ସାଙ୍ଗରେ ସେ ଦୁଇଜଣ କଣ କଥା ହେଉଥିଲେ ?

 

ସେ କହୁଥିଲେ—ଖୁବ୍ ଗୋପନୀୟ କାର୍ଯ୍ୟରେ ସେ ଘୂରି ବୁଲୁଛନ୍ତି—ତାହା ପ୍ରକାଶ କଲେ ଅନେକ ବିପଦରେ ପଡ଼ିଯାଇ ପାରନ୍ତି; ସେଥିପାଇଁ ସେ ଛଦ୍ମବେଶରେ ବୁଲୁଛନ୍ତି । ଅନେକ ଥର ଫ୍ରାନସ ଓ ଇଂଲଣ୍ଡ ଭିତରେ ତାଙ୍କୁ ବୁଲିବାକୁ ପଡ଼ିଛି ଏବଂ ପରେ ଆହୁରି ଅନେକ ଥର ହୁଏତ ଘୂରିବା ଦରକାର ହୋଇପାରେ, ଏକଥା ମଧ୍ୟ କହିଛନ୍ତି ।

 

—ଆମେରିକା ସମ୍ପର୍କରେ ଆସାମୀ କିଛି କହିଛନ୍ତି କି ?

 

—ଆମେରିକା ସହିତ ଇଂଲଣ୍ଡର ବିବାଦ କିପରି ଆରମ୍ଭ ହେଲା ସେ ତାହା କହୁଥିଲେ-। ତାଙ୍କ ମତରେ ଏ ବିବାଦରେ ଇଂଲଣ୍ଡର ଅନ୍ୟାୟ ହୋଇଛି । ପରିହାସ କରି ସେ କହିଛନ୍ତି ଯେ—ହୁଏତ ଇତିହାସରେ ଜଜ୍‍ ଓ୍ୱାସିଙ୍ଗଟନ୍ ନାମ, ରାଜା ତୃତୀୟ ଜଜ୍‍ ନାମର ସମାନ ଗୌରବ ଦିନେ ଲାଭ କରିବ । ତେବେ କଥାଟା କେବଳ କହିବାର ଚାତୁରୀ—ଆମର ମହାନ୍‍ ରାଜାଙ୍କୁ ଏପରି ଛୋଟ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା ।

 

ଏହିପରି ଭାବରେ ସାକ୍ଷ୍ୟ ଦେବାରେ କୁମାରୀ ମାନେଟ୍‍ ଯେ ଖୁବ୍ ଦୁଃଖ ଅନୁଭବ କରୁଛନ୍ତି, ତାହା ଅଦାଲତ କକ୍ଷରେ ଉପସ୍ଥିତ ସମସ୍ତେ ବୁଝି ପାରିଥିଲେ । ସତକୁ ସତ କୁମାରୀ ମାନେଟ୍‍ ବହୁତ ଦୁଃଖ କରୁଥିଲେ । ଡାର୍ନେ ଷ୍ଟିମର ଉପରେ ଯେପରି ଭଦ୍ର ବ୍ୟବହାର କରିଥିଲେ, ସେଥିପାଇଁ ସେ କୃତଜ୍ଞ; ଅଥଚ ସତ୍ୟ କହିବାକୁ ଯାଇ ଯେଉଁ କଥା ତାଙ୍କୁ ଅଦାଲତରେ କହିବାକୁ ହେଉଛି ତା ହୁଏତ ଜୁରିମାନଙ୍କ ବିଚାରରେ ଡାର୍ନେଙ୍କ ବିରୁଦ୍ଧରେ ଯିବ । ଡାର୍ନେଙ୍କର ଯଦି ମୃତ୍ୟଦଣ୍ଡ ହୁଏ ତେବେ ତାହା ପାଇଁ କୁମାରୀ ମ୍ୟାନେଟ୍‍ଙ୍କୁ ମଧ୍ୟ କିଛିଟା ଭାଗୀ ହେବାକୁ ପଡ଼ିବ ।

 

ତାପରେ ସରକାରୀ ଓକିଲ ତରୁଣୀଙ୍କ ପିତା ଡାକ୍ତର ମ୍ୟାନେଟ୍‍ଙ୍କୁ ସାକ୍ଷୀ ଦେବାକୁ ଡାକି କହିଲେ—

 

—ଡାକ୍ତର ମାନେଟ୍‍, ଏହି ଆସାମୀକୁ ଦେଖନ୍ତୁ ପୂର୍ବେ ଏହାକୁ କେବେ ଦେଖିଛନ୍ତି ?

 

—ସେ ଥରେ ମୋର ଲଣ୍ଡନ ଘରକୁ ଆସିଥିଲେ । ପ୍ରାୟ ତିନିବର୍ଷ ପୂର୍ବେ ।

 

—ଷ୍ଟିମରରେ ଆପଣ ତାକୁ ଦେଖିଥିଲେ ? ଆପଣଙ୍କ ଝିଅ ସହିତ ଆସାମୀର ସେଠାରେ ପରିଚୟ ହୋଇଥିଲା ?

 

—ମୁଁ କିଛି କହିପାରିବି ନାହିଁ ।

 

—କାରଣ କଣ ?

 

—କାରଣ ଅଛି ।

 

—ବିନା ବିଚାରରେ ଦୀର୍ଘଦିନ ଆପଣଙ୍କୁ କଣ ସ୍ଵଦେଶରେ ଜେଲରେ ରଖା ହୋଇଥିଲା ?

 

—“ଦୀର୍ଘ ଦିନ ?” ତାଙ୍କ କଣ୍ଠର କରୁଣତାରେ ଉପସ୍ଥିତ ଜନତାର ଅନ୍ତର ବ୍ୟଥାରେ ବିଦଗ୍ଧ ହୋଇ ଉଠିଥିଲା ।

 

—ଆପଣ କଣ ଏହି ଷ୍ଟିମରରେ ଉଠିବାର ଅଳ୍ପଦିନ ପୂର୍ବରୁ କାରବାସ ଦଣ୍ଡରୁ ମୁକ୍ତ ହୋଇଥିଲେ ?

 

—ତାହା ଶୁଣିଛି କେବଳ ।

 

—ଆପଣଙ୍କର ସେକଥା କଣ କିଛି ମନେ ନାହିଁ ?

 

—କିଛି ମନେ ନାହିଁ । କାରାଗାରରେ କବରସ୍ଥ ହେବାର କିଛିଦିନ ପରେ ମୋର ସ୍ମୃତି, ବୁଦ୍ଧି, ଚୈତନ୍ୟ ସବୁ ଲୋପ ପାଏ । ସେତେବେଳେ ମୋର ମୁଣ୍ଡ ଏବଂ ମନ ଶୂନ୍ୟ ଥିଲା । ସେହି ସମୟରେ ମୁଁ କେବଳ ଜୋତା ସିଲାଇ କରୁଥିଲି । ନିଜ ଏବଂ ପୃଥିବୀ ସମ୍ବନ୍ଧରେ ମୁଁ ପୁଣି ସଚେତନ ହୋଇ ଉଠିଲି ଲଣ୍ଡନ ଆସିବା ପରେ, ମୋର ଏହି ଝିଅର ସେବା ଓ ଯତ୍ନରେ । ମୋର ମାନସିକ ଶକ୍ତି ଫେରି ପାଇବାର କେତେ ଦିନ ପୂର୍ବରୁ ଯେ ଝିଅର ସେହି ସେବା ଓ ସାହାଯ୍ୟ ମୁଁ ପାଉଥିଲି ସେସବୁ କିଛି ମୋର ମନେନାହିଁ ।

 

ସରକାରୀ ଓକିଲ ଏହିଥର ଆଉ ଜଣେ ସାକ୍ଷୀକୁ ଡାକିଲେ । ସେ ଲୋକଟି ଏହି ପ୍ରକାର କହିଲା—

 

“ପାଞ୍ଚବର୍ଷ ପୂର୍ବେ ନଭେମ୍ବର ମାସର ଏକ ଶୁକ୍ରବାର ରାତିରେ ଡୋଭାର୍ ମେଲର ଅନେକ ଯାତ୍ରୀ ଭିତରେ ଆସାମୀ ଥିଲା ଓ ରାସ୍ତାରେ କେଉଁ ଗୋଟିଏ ସ୍ଥାନରେ ସେ ଓହ୍ଲାଇ ଗଲା । ପୁଲିସି ଆଖିରେ ଧୂଳି ଦେବା ପାଇଁ ସେ ପାଦରେ ଚାଲି ଚାଲି ଫେରିଆସିଲା ବାର ମାଇଲ ରାସ୍ତା । ସେ ଗୋଟିଏ ସହରକୁ ଫେରିଆସିଲା ଯେଉଁ ସହର ନିକଟରେ ରହିଛି ରାଜାଙ୍କର ଏକ ବଡ଼ ସେନାନିବାସ । ସେଠାରେ ସେନାନିବାସର ଟିକିନିଖି ବିବରଣ ସେ ସଂଗ୍ରହ କଲା । ଏହି ସମୟରେ ଗୋଟିଏ ହୋଟେଲରେ ସାକ୍ଷୀ ତାକୁ ଦେଖିବାକୁ ପାଏ । ଆସାମୀକୁ ଜୀବନରେ ଥରେ ସେ ଦେଖିଛି । ଏହି ଆସାମୀ ଯେ ସେଇ ବ୍ୟକ୍ତି ଏଥିରେ ସାକ୍ଷୀର କିଛି ମାତ୍ର ସନ୍ଦେହ ନାହିଁ ।”

 

ଏହି ସାକ୍ଷୀଟିର ସାକ୍ଷ୍ୟ ଆସାମୀ ପାଇଁ ବିପଦ ସଷ୍ଟି କରିଛି; କାରଣ ଆସାମୀର ଓକିଲ ଜେରା କରି ମଧ୍ୟ ତାର ସାକ୍ଷ୍ୟର କୌଣସିଠାରେ ଟିକିଏ ହେଲେ ଖିଲାପ ବାହାର କରି ପାରିଲେ ନାହିଁ । ଏପରି ସମୟରେ ଗୋଟିଏ ଘଟଣା ଘଟିଲା । ଆସାମୀର ଓକିଲଙ୍କ ନିକଟରେ ଆଉ ଜଣେ ଓକିଲ ଛାତ ଆଡ଼କୁ ଅନାଇ ଆରମ୍ଭରୁ ବସିଥିଲେ । ଏହି ଭଦ୍ରଲୋକ ହଠାତ୍ ଟୁକୁରାଏ କାଗଜରେ କଣ ଲେଖି ଆସାମୀର ଓକିଲଙ୍କ ଆଡ଼କୁ ବଢ଼ାଇଦେଲେ । ଓକିଲ ସେ ଲେଖା ପଢ଼ି ମୁହୂର୍ତ୍ତକ ପାଇଁ ଚୁପ ରହିଲେ । ତାପରେ ତୀକ୍ଷ୍‌ଣ ଦୃଷ୍ଟିରେ ଥରେ ଆସାମୀ ଆଡ଼କୁ ଅନାଇ ପୁଣି ଥରେ ଓକିଲ ବନ୍ଧୁଟି ଆଡ଼କୁ ଅନାଇଲେ । ତାପରେ ସାକ୍ଷୀକୁ ପ୍ରଶ୍ନ କଲେ—

 

“ତୁମେ ସେହି ହୋଟେଲରେ ଯାହାକୁ ଦେଖିଥିଲ ସେ ଯେ ଏହି ଆସାମୀ ଏ କଥା ଶପଥ କରି କହୁଛ ?”

 

—ଅବଶ୍ୟ ।

 

—ଆସାମୀ ସାଙ୍ଗରେ ଚେହେରାରେ ବହୁତ ମେଳଥିବା ଏପରି କୌଣସି ଲୋକକୁ ତମେ କେବେ ଦେଖିଛ ?

 

—ଏପରି ମେଳ କାହାର ଦେଖି ନାହିଁ ଯେଉଁଥିରେ ମୋର ଚିହ୍ନିବା ଭୁଲ ହେବ ।

 

—ଏଇ ସେ ଓକିଲ ଭଦ୍ରଲୋକ ବସିଛନ୍ତି ଛାତ ଆଡ଼କୁ ଅନାଇ, ତାଙ୍କୁ ଥରେ ଦେଖ ତ-। ତାପରେ ଆସାମୀକୁ ଦେଖ । ଏଥର କୁହ ତୁମ ଅନୁମାନ ଭୁଲ ହୋଇପାରେ କି ନାହିଁ-?

 

ଓକିଲଙ୍କର ଏହି ଅଦ୍‍ଭୁତ ଅନୁରୋଧରେ କେବଳ ସାକ୍ଷୀ କାହିଁକି ଅଦାଲତରେ ଥିବା ସମସ୍ତ ଲୋକ ବିସ୍ମିତ ହେଲେ । ଏମାନେ କଣ ଯାଆଁଳା ଭାଇ ? ଜଜ୍‍, ଜୁରି, ଓକିଲ, ପୋଲିସ, ଶହ ଶହ ଦର୍ଶକ ରୁଦ୍ଧ ନିଶ୍ଵାସରେ ଅନାଇଲେ ଥରେ ୟାଙ୍କୁ ତ ଆରଥରକୁ ତାଙ୍କୁ । ଜଜ୍‍ଙ୍କ ଆଦେଶରେ ଓକିଲ ଭଦ୍ରଲୋକ ମଥାର ପରଚୂଳା ଖୋଲିଦେଲେ । ଏଥର ଆଉ କାହାର ସନ୍ଦେହ ରହିଲା ନାହିଁ ଯେ ଗୋଟାଏ ଅଦ୍‍ଦ୍ଭୁତ ମେଳ ରହିଛି ଦୁଇ ଜଣଙ୍କ ଚେହେରାରେ । ଆସାମୀ ହୁଏତ ଟିକିଏ ବେଶି ସଂଯତ ଓ ଗମ୍ଭୀର । ଓକିଲଙ୍କର ମୁହଁ ଓ ଆଖିରେ ହୁଏତ ଅସଂଯତ ଜୀବନ ଯାପନ ଜନିତ ଦୁଇ ଚାରିଟି ରେଖା ପଡ଼ିଛି ଏଠାରେ ସେଠାରେ; କିନ୍ତୁ ମୋଟାମୋଟି ସାଦୃଶ୍ୟ ପ୍ରବଳ । ଯେଉଁ ଲୋକ ଏ ଦୁଇ ଜଣଙ୍କୁ ଖୁବ୍ ଭଲ ଚିହ୍ନେ ନାହିଁ, ତାର ଆଖିରେ ଦୁଇ ଜଣଙ୍କ ଚେହେରାର ଏହି ଅତି ସାମାନ୍ୟ ପାର୍ଥକ୍ୟ ଟିକିକ ଦିନର ଆଲୋକରେ ମଧ୍ୟ ଧରାପଡ଼ିବା ଅସମ୍ଭବ ।

 

ଜଜ୍‍ସାହେବ ଆସାମୀର ଓକିଲକୁ ପଚାରିଲେ—“ତେବେ କଣ ମିଷ୍ଟର କାର୍ଟନଙ୍କୁ ବର୍ତ୍ତମାନ ରାଜଦ୍ରୋହ ଅପରାଧରେ ଅଭିଯୁକ୍ତ କରିବାକୁ କହୁଛନ୍ତି ?”

 

କାର୍ଟନ ଏହି ଓକିଲ ଭଦ୍ରଲୋକଙ୍କର ନାମ । ତାଙ୍କର ଆସାମୀ ସାଙ୍ଗରେ ଚେହେରାରେ ଯେଉଁ ମେଳ ତାହା ମୋକଦ୍ଦମାଟିକୁ ଖାରଜ କରିଦେବାକୁ ବସିଛି । କାର୍ଟନଙ୍କୁ ଅଭିଯୁକ୍ତ କରିବାର ଅଭିସନ୍ଧି କାହାରି ନ ଥିଲା; କିନ୍ତୁ ଡାର୍ନେଙ୍କ ବିରୁଦ୍ଧରେ ସାକ୍ଷୀ ପ୍ରମାଣ ଯାହା କିଛି ଥିଲା, ତାହା ପ୍ରାୟ ସବୁ ଉଭେଇଗଲା ।

 

ଜୁରିମାନେ ଅନେକ ବିବେଚନା, ବିତର୍କ ପରେ ରାୟ ଦେବାକୁ ବାଧ୍ୟ ହେଲେ ଯେ, ଆସାମୀକୁ ଅପରାଧୀ ବୋଲି ସାବ୍ୟସ୍ତ କରିବା ପରି ସଠିକ୍ ପ୍ରମାଣ କିଛି ମିଳିନାହିଁ । ଅଗତ୍ୟା ଜଜ୍ ଡାର୍ନେଙ୍କୁ ମୁକ୍ତ କରିବାକୁ ଅନିଚ୍ଛାରେ ଆଦେଶ ଦେଲେ । ଅନିଚ୍ଛା ଏଥିପାଇଁ ଯେ; ଜଜ୍‍ ୱାଶିଙ୍ଗଟନ୍ ସମ୍ବନ୍ଧରେ ରାଜଭକ୍ତ ଜଜ୍‍ଙ୍କୁ ଭୟଙ୍କର ଭାବରେ ଡାର୍ନେଙ୍କ ଉଚ୍ଚଧାରଣା ରଗାଇ ଦେଇଛି । କୌଣସି ସାକ୍ଷୀ ପ୍ରମାଣ ତାଙ୍କ ବିରୁଦ୍ଧରେ ଥାଉ ନ ଥାଉ, ଡାର୍ନେଙ୍କୁ ଦଣ୍ଡ ଦେଇ ପାରିଲେ ସେ ଖୁସି ହୁଅନ୍ତେ-

 

ଡାର୍ନେ ମୁକ୍ତ ହେଲେ ଏବଂ ସେହି ଦିନଠାରୁ ମାନେଟ୍‍ ପରିବାର ସହିତ ତାଙ୍କର ଆତ୍ମୀୟତା ବୃଦ୍ଧି ପାଇଲା । ମକଦ୍ଦମାର ବିଚାରବେଳେ ଲୁସି ମାନେଟ୍‍ ଓ ତାଙ୍କ ବାପା ଡାର୍ନେ ପ୍ରତି ଯେଉଁ ସହାନୁଭୂତି ପ୍ରକାଶ କରିଥିଲେ, ସେଥିପାଇଁ ଡାର୍ନେ ଚିରଦିନ ପାଇଁ କୃତଜ୍ଞ ହୋଇ ରହିଲେ ।

 

ଏକାନ୍ତ ଅପରିଚିତ ମାତାଲ ଯୁବକ ସିଡ୍‍ନି କାର୍ଟନ୍ ମଧ୍ୟ ଏହି ସୂତ୍ରରେ ମାନେଟ୍‍ ପରିବାର ସହିତ ପରିଚିତ ହୋଇ ଉଠିଲେ । ଡାର୍ନେଙ୍କ ସହିତ ତାଙ୍କ ଚେହେରାର ମେଳ ସମସ୍ତଙ୍କ ନିକଟରେ ଗୋଟାଏ ବିସ୍ମୟର ବିଷୟ ହୋଇ ରହିଲା । ଏହି ମେଳଟା ଯେ ସେମାନଙ୍କର ଜୀବନ ଉପରେ ଭବିଷ୍ୟତରେ କେତେ ଛାୟାପାତ କରିବ ସେ କଥା କିନ୍ତୁ ସେତେବେଳେ କେହି ବୁଝି ପାରିଲେ ନାହିଁ ।

Image

 

Unknown

। ଚାରି ।

 

ପ୍ୟାରିସ୍ ନଗରୀର ବିରାଟ ଏକ ରାଜପ୍ରାସାଦ । ଏହା ରାଜପ୍ରାସାଦ ସତ; କିନ୍ତୁ ଏହି ବିରାଟ ହର୍ମ୍ୟର ମାଲିକ ଠିକ୍ ରାଜା ନୁହନ୍ତି—ମାଲିକ ହେଉଚନ୍ତି ରାଜାଙ୍କ ଅସୀମ ପ୍ରତାପ ଓ କ୍ଷମତା ଯେଉଁମାନଙ୍କ ଦ୍ଵାରା ପରିଚାଳିତ ହୁଏ, ସେଭଳି ଜଣେ ବ୍ୟକ୍ତି । ସେଦିନ ସକାଳେ ଦରବାରରେ ଅଗଣତି ଲୋକ । ସମସ୍ତେ ପ୍ରଭୁଙ୍କ ଦର୍ଶନ ଅଭିଳାଷ ନେଇ ଆସିଛନ୍ତି । ତେବେ ସେମାନେ ନଗଣ୍ୟ ଲୋକ ନୁହନ୍ତି—ତାଙ୍କ ଭିତରେ ଦି’ଚାରି ଜଣ ମାର୍କୁଇସ୍ ମର୍ଶାଲ ଅଛନ୍ତି ଯେଉଁମାନେ ନିଜ ନିଜ ଇଲାକାରେ ହଜାର ଲୋକଙ୍କର ଦଣ୍ଡବିଧାୟକ ।

 

ଧାଡ଼ି ଧାଡ଼ି ଲମ୍ବି ଯାଇଛି ଘର । ଗୋଟିଏ ଘର ଭିତର ଦେଇ ଅନ୍ୟ ଘରର କବାଟ । ବହୁମୂଲ୍ୟ ଆସବାବ । ରାଜକୀୟ ଆଡ଼ମ୍ବରରେ ଘରଟି ସଜା ହୋଇଛି । ସବୁ ଘରେ ଅଭ୍ୟାଗତମାନଙ୍କର ଭିଡ଼ । ପ୍ରଭୁ ଶେଷ ଘରେ କବାଟ ବନ୍ଦ କରି ଚକୋଲେଟ୍ ପାନ କରୁଛନ୍ତି । ପ୍ରଭୁଙ୍କର ଚାରିଜଣ ସୁଦକ୍ଷ ଚାକର ଲୋଡ଼ା । ଚାରିଜଣ ଜାଗାରେ ତିନିଜଣ ହେଲେ ପ୍ରଭୁ ନିଜକୁ ଅବହେଳିତ, ଅପମାନିତ ମନେକରନ୍ତି । ଏ ପ୍ରକାର ଅଘଟଣ ଅବଶ୍ୟ କେବେ ଘଟିନି, ତା ଘଟିଲେ ଫରାସୀ ଦେଶଟା ରସାତଳକୁ ଯାଆନ୍ତା । ଜଣେ ଭୃତ୍ୟ ନେଇଆସିବ ଚକୋଲେଟପୂର୍ଣ୍ଣ ସ୍ଵର୍ଣ୍ଣପାତ୍ର, ଜଣେ ଏକ ସୁନା କାଠିରେ ତାହା ଗୋଳାଇବ, ଅନ୍ୟ ଜଣେ ସୁନା ଜରିମଣ୍ଡିତ ଚୀନ ଦେଶର ରେଶମୀ ଲୁଗାରେ ପ୍ରଭୁଙ୍କ ଅଙ୍ଗ ଢାଙ୍କିବ ଚକୋଲେଟର ବୁନ୍ଦାଏ ଦେହରେ ଯେପରି ପଡ଼ିବ ନାହିଁ । ଚତୁର୍ଥ ବ୍ୟକ୍ତି ହେଲେ ମୁଖ୍ୟ ଖାନସମା । ୟାଙ୍କର ଦୁଇ ପକେଟରେ ଦୁଇଟି ସୁନାର ଘଡ଼ି । ଘଡ଼ି ଚାଲିଛି ଟିକ୍ ଟିକ୍—ଏହିପରି ସବୁଦିନ ଚାଲିଛି—ଚାଲିବ । ଏହି ମୁଖ୍ୟ ଖାନସମା ଚକୋଲେଟ ସୁନାର ପିଆଲାରେ ଢାଳିଦେବା ପରେ ତାହା ପ୍ରଭୁଙ୍କ ପାନଯୋଗ୍ୟ ହେବ । ଏ ହେଲେ ପ୍ରଭୁଙ୍କର ପ୍ରଭୁ ଏବଂ ତାଙ୍କ ଉପରେ ପ୍ରଭୁ ହେଲେ ରାଜା; କିନ୍ତୁ ରାଜାଙ୍କ ସହିତ ସମ୍ପର୍କରେ କମ୍ ଲୋକ ଆସନ୍ତି । ରାଜଶକ୍ତିର ଊତ୍ତାପରେ ଉତ୍ତପ୍ତ ହୋଇ ଏହିପରି ପ୍ରଭୁମାନେ ଜନସାଧାରଣଙ୍କୁ ପୋଡ଼ିଜାଳି ଦିଅନ୍ତି, ଯେପରି ସୂର୍ଯ୍ୟଙ୍କ ତେଜରେ ଉତ୍ତପ୍ତ ହୁଏ ମରୁଭୂମିର ବାଲୁକା ଓ ସୂର୍ଯ୍ୟ ଅପେକ୍ଷା ସେହି ଉତ୍ତପ୍ତ ବାଲୁକା ବେଶି ଅସହ୍ୟ ହୁଏ ମରୁପଥର ପଥିକ ନିକଟରେ ।

 

ଚକୋଲେଟ ପିଆ ସରିଲା—ରୁଦ୍ଧଦ୍ଵାର ଖୋଲିଲା । ଯେଉଁମାନେ ଦର୍ଶନ ଅଭିଳାଷରେ ଅପେକ୍ଷା କରିଥିଲେ ତାଙ୍କ ସମ୍ମୁଖରେ ଆବିର୍ଭାବ ହେଲେ ପ୍ରଭୁ । ଡାହାଣ ଓ ବାଁରେ ମସ୍ତକ ସବୁ ନତମୁଖ ହୋଇ ନଇଁପଡ଼ିଲେ । କାହାକୁ ପଦେ କଥା, କାହାକୁ ବା ଟିକିଏ ହସ ବିତରଣ କରି କକ୍ଷ ପରେ କକ୍ଷ ଅତିକ୍ରମ କରି ପ୍ରଭୁ ଚାଲିଛନ୍ତି । ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଜଣେ ପ୍ରଭୁଜାତୀୟ ବ୍ୟକ୍ତି । ଏହି ଗୃହସ୍ଵାମୀ ପରି ଏତେ ବଡ଼ ନ ହେଲେ ମଧ୍ୟ କମ୍ ନୁହନ୍ତି । କାନ୍ଥରେ ଇତାଲୀୟ ଦକ୍ଷ ଶିଳ୍ପୀର ଅଙ୍କା ମେଡ଼ୋନା ଚିତ୍ର । ଠିଆହୋଇ ସେ ସେହି ମାତୃମୂର୍ତ୍ତିର ସୌନ୍ଦର୍ଯ୍ୟ ଦେଖୁଥିଲେ ଯଦିବା ନିଜ ଜୀବନରେ ମାତୃଜାତିର ସମ୍ମାନ ରକ୍ଷା କରି ନାହାନ୍ତି । ସେମାନେ ତ ଖେଳର ବସ୍ତୁ— ଖେଳନା —ଏହି ପ୍ରଭୁ-ଜାତିଙ୍କର ଖେଳନା ।

 

ଏହି ବ୍ୟକ୍ତି ଅନ୍ୟ ସମସ୍ତଙ୍କ ପରି ତଟସ୍ଥଭାବ ପ୍ରକାଶ ନକରି ଗୃହ ସ୍ଵାମୀଙ୍କୁ ଅଭିବାଦନ କଲେ । ତାଙ୍କର ଭାବଟା ହେଲା—ରାଜାଙ୍କ ପ୍ରାସାଦରେ ତମେ ଆଜି କିଛିଟା ଉଚ୍ଚରେ; କିନ୍ତୁ ଏ ସମୟ ଓଲଟି ଯାଇପାରେ । ସେତେବେଳେ ତମ ଆସନରେ ମୁଁ ହୁଏତ ବସିବି ଏବଂ ମୋ ପାଖରେ ତମେ ହାଜିର ହେବ ନିଜ ସ୍ଵାର୍ଥର ଖାତିରରେ । ଆଗନ୍ତୁକ ପ୍ରଭୁଙ୍କ ମନୋଭାବ ଗୃହସ୍ଵାମୀ ପ୍ରଭୁଙ୍କୁ ଅଜଣା ନୁହେଁ, କାରଣ ଏସବୁ ବ୍ୟାପାରରେ ପରସ୍ପରକୁ ସେମାନେ ବେଶ୍ ବୁଝିପାରନ୍ତି ।

 

ସେ ଚଟ୍ କରି ଯେଉଁ କାଇଦାରେ ଅଭିବାଦନ ଫେରାଇ ଦେଲେ ସେଥିରେ ମନର କଥା ସ୍ପଷ୍ଟ ହୋଇ ଉଠିଲା—“ଏଡ଼େ ଆଶା କର ନାହିଁ ବନ୍ଧୁ ! ରାଜାଙ୍କ କୃପା ତମ କପାଳରେ ନାହିଁ-। ମୁଁ ଯାଇ ତମ ଘରେ କେବେ ହାଜିରା ଦେବି ଏ ଆଶା ମନ ଭିତରେ କେବେ ସ୍ଥାନ ଦେବ ନାହିଁ ।”

 

ଗୃହସ୍ଵାମୀ ପଛକୁ ଫେରିଲେ । ଦୁଇଶହ ଲୋକଙ୍କୁ ଖୁସି କରି ବିଦାୟ କରିବା ଝମେଲା ମାତ୍ର କେଇ ମିନିଟ ଭିତରେ ଶେଷ ହେଲା । ସେ ନିଜ କୋଠରି ଭିତରକୁ ଯାଇ ଦ୍ଵାର ବନ୍ଦ କଲେ । ଅଭ୍ୟାଗତ ପ୍ରଭୁଟି ମଧ୍ୟ ରୁକ୍ଷ ଚିତ୍ତରେ ମୁହଁଟି କଳା କରି ସେ ଘର ତ୍ୟାଗ କଲେ । ତାଙ୍କର ଆସିବା ପାଇଁ ଇଚ୍ଛା ନଥିଲା; କିନ୍ତୁ ନ ଆସିଲେ ଅପରାଧ ହେବାର ସମ୍ଭାବନା । ଯେତେ ସମୟ ଯାହା ହାତରେ କ୍ଷମତା ଅଛି ତାକୁ ତ ଖୁସି କରିବାକୁ ହେବ—ହେଲା ବା ସେ ଯେତେ ଦାମ୍ଭିକ ।

 

ଆଗନ୍ତୁକ ପ୍ରଭୁଙ୍କର ଚାରି ଘୋଡ଼ା ଯୋଚା ଗାଡ଼ି ଶିଡ଼ି ତଳେ ଅପେକ୍ଷା କରିଛି । ପ୍ରଭୁ ଉଠିଲେ । ଇସାରା ପାଇ କଚୁଆନ ପବନବେଗରେ ଗାଡ଼ି ଚଳାଇଦେଲା । ରାଜପଥ ଜନାକୀର୍ଣ୍ଣ । ତାହା ମଧ୍ୟ ସବୁଠାରେ ପ୍ରଶସ୍ତ ନୁହେଁ । ସେଠାରେ ଏତେ ବେଗରେ ଗାଡ଼ି ଚଳାଇବା ନିରାପଦ ନୁହେଁ ଜାଣି ମଧ୍ୟ କଚୁଆନ୍ ଚାବୁକ ପରେ ଚାବୁକ ଘୋଡ଼ା ପିଠିରେ ମାରିବାକୁ ଲାଗିଲା । ଘୋଡ଼ାଛୁଟିଲେ ବିଜୁଳି ପରି । ପଥିକମାନେ ପଡ଼ି ଉଠି ଦୌଡ଼ି ପଳାଇବାକୁ ଲାଗିଲେ । ସେମାନେ ପ୍ରାଣ ବଞ୍ଚାଇବା ସେମାନଙ୍କର କର୍ତ୍ତବ୍ୟ । ଘୋଡ଼ାର ପାଦତଳେ ପଡ଼ି ଯଦି ସେମାନେ ମରନ୍ତି ଘୋଡ଼ାର କଣ ଦୋଷ ? କଚୁଆନ୍ ବି ତ ଦୋଷୀ ନୁହେଁ—ଆଉ ଆରୋହୀ ? ଆରୋହୀ ଯଦି ତଳକୁ ଓହ୍ଲାଇ ଆସି ମୃତ ବ୍ୟକ୍ତିର ଆତ୍ମୀୟମାନଙ୍କୁ ଚାବୁକ ନ ମାରନ୍ତି ତେବେ ଦୟାଳୁ ବୋଲି ତାଙ୍କ ନାମ ରଟିଯିବ ।

 

ଘଡ଼୍‍, ଘଡ଼୍‍, ଝନ୍, ଝନ୍, ଘଣ୍ଟା ଘଣ୍ଟା ଶବ୍ଦ କରି ଗାଡ଼ି ଛୁଟିଚାଲିଛି ଝଡ଼ବେଗରେ । ସ୍ତ୍ରୀଲୋକମାନେ ଚିତ୍କାର କରି ରାସ୍ତା ଛାଡ଼ି ପଳାଉଛନ୍ତି । ପୁରୁଷମାନେ ପିଲାପିଲିଙ୍କୁ ସମ୍ଭାଳୁଛନ୍ତି । କଦର୍ଯ୍ୟ ବ୍ୟାପାର । ଗଣ୍ଡଗୋଳର ଶବ୍ଦ—ମାର୍କୁଇସ୍‍ର ଗାଡ଼ି—ସମ୍ଭାଳ ।

 

ରାସ୍ତାଧାରରେ ଗୋଟାଏ ଝରଣା । ଅନେକ ସ୍ତ୍ରୀ ଓ ଶିଶୁ ସେଠାରେ ଅଛନ୍ତି । ସ୍ତ୍ରୀଲୋକେ ପାଣି ନେଉଛନ୍ତି ଓ ପିଲାଏ କାଦୁଅରେ ଖେଳୁଛନ୍ତି । ଝଡ଼ ବେଗରେ ମାଡ଼ି ଆସିଲା ମାର୍କୁଇସ୍‍ଙ୍କର ଗାଡ଼ି । ଚିତ୍କାର ହେଲା— ପଳାଅ, ପଳାଅ !

 

ଗାଡ଼ିର ଗୋଟାଏ ଚକା କେଉଁଥିରେ ଧକ୍‍କା ପାଇଛି । ଚାରିଆଡ଼େ ଆର୍ତ୍ତ ଚିତ୍କାର । ଘୋଡ଼ାର ପାଦ ଡେଇଁ ଉଠିଲା । ଘୋଡ଼ାମାନେ ଡେଇଁ ଉଠିବାରୁ ଗାଡ଼ି ରହିଲା । ଗାଡ଼ି ତଳେ ମଣିଷ ଇମିତି ଚାପି ହୋଇଯାଏ ହୁଏତ—ତା ବୋଲି ପ୍ରଭୁଙ୍କର ଗାଡ଼ି ରାସ୍ତା ମଝିରେ ଅଟକିବ କିପରି ? କିନ୍ତୁ ଏ ଘଟଣାରେ ଘୋଡ଼ାମାନେ ଡେଇଁ ଉଠିଲେ, ତେଣୁ ଗାଡ଼ି ରଖିବାକୁ ହେଲା । ମାର୍କୁଇସ୍ ମୁହଁ ବାହାର କରି ପ୍ରଶ୍ନ କଲେ—“କଣ ହେଲା ?”

 

ଗୋଟାଏ ଲମ୍ବା ଲୋକ ଘୋଡ଼ାପାଦ ତଳୁ ଗୋଟାଏ ମାଂସପିଣ୍ଡ ଟାଣି ବାହାର କରୁଛି ଏବଂ କାଦୁଅ ଉପରେ ସେଇଟାକୁ ରଖି ତା ଉପରେ ପଡ଼ି ଚିତ୍କାର କରି କାନ୍ଦୁଛି । ଛିଣ୍ଡା ଲୁଗା ପିନ୍ଧିଥିବା ଗୋଟାଏ ଲୋକ ବିନୀତ ସ୍ଵରରେ କହିଲା—“ମହାନ୍ ମାର୍କୁଇସ୍‍, କ୍ଷମା କରନ୍ତୁ ! ଗୋଟାଏ ପିଲା ଚକରେ ଚାପି ହୋଇଯାଇଛି ।”

 

—ସେ ଲୋକଟା କୁକୁର ପରି ଚିତ୍କାର କରୁଛି କାହିଁକି ? ତାହାର ପିଲା ବୋଧହୁଏ ?

 

—ହଁ ହଜୁର, ତାରି ପିଲା ।

 

ସେହି ଲମ୍ବା ଲୋକଟି ମାଂସପିଣ୍ଡଟା ଉପରୁ ଡେଇଁପଡ଼ି ଗାଡ଼ି ଆଡ଼କୁ ଆସିଲା ଓ ଦୁଇ ହାତ ଉପରକୁ ଉଠାଇ କହିଲା—“ମାରି ପକାଇଛି—ମୋର ପିଲାଟା ମରିଯାଇଛି ।”

 

ସେ ଏକଲୟରେ ମାର୍କୁଇସ୍ ଆଡ଼କୁ ଅନାଇ ରହିଲା । ଆଖିରେ ତାର ବିଜୁଳିର ଝଲକ–ସ୍ଫୁଲିଙ୍ଗ ।

 

ଗାଡ଼ିକୁ ଘେରିଛନ୍ତି ବହୁତ ଲୋକ । ସମସ୍ତେ ମାର୍କୁଇସ୍ ଆଡ଼କୁ ଅନାଇଛନ୍ତି କଣ କହିବେ, ଶୁଣିବେ ବୋଲି । ତାଙ୍କ ଦୃଷ୍ଟିରେ କ୍ରୋଧ ବା ମୁଖରେ ଭାଷା ନାହିଁ । ମହାନ୍ ମାର୍କୁଇସ୍‍ ତାତ୍ସଲ୍ୟ ଭାବରେ ଏକ ନଜରରେ ଜନତାକୁ ଦେଖିସାରି ଟଙ୍କା ଥଳି ବାହାର କରି କହିଲେ—“ମୁଁ ଦେଖି ତାଜୁବ୍ ହୋଇଯାଏ ଯେ, ନିଜକୁ ବଞ୍ଚାଇ ରଖିବା ବା ପିଲାଗୁଡ଼ାଙ୍କୁ ସାବଧାନରେ ରଖିବା ପର୍ଯ୍ୟନ୍ତ ତମର କ୍ଷମତା ନାହିଁ । ଗୋଟାଏ ନା ଗୋଟାଏ ସବୁବେଳେ ଗାଡ଼ି ଆଗକୁ ଆସୁଛନ୍ତି । ମୋ ଘୋଡ଼ାର ପାଦ କଣ ହେଲା କେଜାଣି ? ନେ—ଏଇଟା ନେ ।” ଗୋଟିଏ ମୋହର ସେ ଥଳିରୁ ବାହାର କରି ଭିଡ଼ ଭିତରେ ପକାଇଦେଲେ । ସବୁ ମୁଣ୍ଡ ଗୁଡ଼ିକ ଏବେ ସେ ଆଡ଼କୁ ଫେରିଗଲା । ସମସ୍ତେ ଦେଖିଲେ ମୋହରଟି କିପରି ଘୂରି ଘୂରି ଉପରକୁ ଉଠି ତଳକୁ ଓହ୍ଲାଇଲା ।

 

ସେହି ଲମ୍ବା ଲୋକଟି ପୁଣି ଚିତ୍କାର କରି ଉଠିଲା—“ମାରି ପକାଇଛି—ପିଲାଟାକୁ ମାରି ପକାଇଛି ।” ଥରକୁ ଥର ସେ ଚିତ୍କାର କରୁଛି ଓ କେତେ ଚିତ୍କାର କରିଥାନ୍ତା ସେ କେବଳ ଜାଣେ; କିନ୍ତୁ ଏହି ସମୟରେ ଜଣେ ଲୋକ ଭାରୀ ଭାରୀ ପାଦ ପକାଇ ଆସି ସେଠାରେ ଠିଆ ହେଲା । ଲମ୍ବା ଲୋକଟି ଏହାର କାନ୍ଧରେ ମଥା ରଖି କାନ୍ଦିଉଠିଲା ଓ ଅଙ୍ଗୁଳିରେ ଦେଖାଇ ଦେଲା ଝରଣାପାଖରେ ପଡ଼ିଥିବା ରକ୍ତାକ୍ତ ସେଇ ମାଂସପିଣ୍ଡକୁ, ଯାହା ଚାରିକଡ଼ରେ ପଡ଼ାର ଝିଅମାନେ ନୀରବରେ ମଥା ନତ କରି ଠିଆ ହୋଇଛନ୍ତି ।

 

ଆଗନ୍ତୁକ କହିଲା—“ସବୁ ଶୁଣିଛି—ସବୁ ଜାଣେ ଭାଇ ଗେସ୍‍ପାର୍ଡ଼ ! ଭଲ ହେଲା—ପିଲାଟା ପକ୍ଷରେ ଏହାହିଁ ଭଲ । ଯେଉଁ ଭାବରେ ଏ ଦେଶରେ ମଣିଷ ବଞ୍ଚିଛି ସେ ଭାବରେ ବଞ୍ଚିବାଠାରୁ ମରିଯିବା ଭଲ ଗେସ୍‍ପାର୍ଡ଼ । ଦମ୍ଭ ଧର ! ଦମ୍ଭ ଧର !”

 

ମାର୍କୁଇସ୍‍ର ବଙ୍କା ଅଧରରେ ମୃଦୁ ହସ ଖେଳିଗଲା—ଏକ ଅବଜ୍ଞାର ହସ ।

 

—ବାଃ, ଦେଖୁଛି ତମେ ଜ୍ଞାନୀଲୋକ ! ନାମ କ’ଣ ?

 

—ଡିଫାର୍ଜ ।

 

—କ’ଣ କର ?

 

—ମହାନ୍ ମାର୍କୁଇସ୍‍, ମୁଁ ମଦଦୋକାନୀ ।

 

“ଜ୍ଞାନୀ ମଧ୍ୟ ମଦଦୋକାନୀ ? ଏକ ତମର ବକ୍‍ସିସ୍’’—କହି ମାର୍କୁଇସ୍‍ ଗୋଟାଏ ମୋହର ଡିଫାର୍ଜ ଆଡ଼କୁ ପକାଇ ଦେଲେ । ତାପରେ ହୁକୁମ ହେଲା—“ଚଲାଅ ଗାଡ଼ି ।”

 

ସମବେତ ଜନତା ଆଡ଼କୁ ପୁଣି ଦ୍ୱିତୀୟଥର ଦୃଷ୍ଟି ନ ଦେଇ ମହାନ୍ ମାର୍କୁଇସ୍‍ ଗଦିରେ ଠେସ୍ ଦେଇ ବସିଲେ—ଚାଲୁଚାଲୁ ପାଦରେ ଗୋଟାଏ ମାଟିର ପାତ୍ର ଯେପରି ଭାଙ୍ଗି ଦେଇଛନ୍ତି । ମୂଲ୍ୟ ଦେଇଛନ୍ତି—ପୁଣି କଣ ? ଚଲାଅ !

 

ଗାଡ଼ି ଚାଲିବା ଏଇ ଆରମ୍ଭ ହୋଇଛି, ଏପରି ସମୟରେ ସେ ଦେଇଥିବା ମୋହରଟି ଉଡ଼ି ଆସି ଠନ୍ କରି ପଡ଼ିଲା ଗାଡ଼ିରେ । ପ୍ରଭୁ ଚମକି ଉଠିଲେ ।

 

—“ରଖ, ରଖ, କିଏ ମୋହର ପକାଇଲା ?”

 

ମାର୍କୁଇସ୍‍ ଅନାଇ ଦେଖିଲେ ମଦଦୋକାନୀ ଡିଫାର୍ଜ ଆଉ ସେଠାରେ ନାହିଁ, ଅଛି ଗୋଟିଏ ନାରୀ—ଠିଆହୋଇ ବୁଣି ଚାଲିଛି ଛବି ପରେ ଛବି ଧଳା ଲୁଗା ଉପରେ ।

 

କ୍ରୁଦ୍ଧ ସ୍ଵରରେ ମାର୍କୁଇସ୍‍ କହିଲେ—“ଯେତେ ସବୁ କୁକୁରର ଦଳ ! ଗାଡ଼ି ଭିତରକୁ କିଏ ମୋହରଟା ପକାଇଛି ଯଦି ଜାଣି ପାରନ୍ତି ତାକୁ ଚକାତଳେ ପକାଇ ଗୁଣ୍ଡ କରି ଦିଅନ୍ତି ।”

 

ଗାଡ଼ି ଗଡ଼ଗଡ଼ କରି ଚାଲିଗଲା । ଝରଣାର ପାଣି ଗଡ଼ିଚାଲିଲା । ଥରଥର କମ୍ପି ମଣିଷ ମୂଷାଗୁଡ଼ିକ ଯେ ଯାହାର ଗାତକୁ ପଶିଗଲେ । ଗୋଟାଏ ପିଲା ମରିଛି—ସେଇଟା ବଡ଼ କଥା ନୁହେଁ । ବଡ଼ କଥା ହେଲା—ମହାନ୍ ମାର୍କୁଇସ୍‍ ରାଗିଛନ୍ତି—ତେଣୁ କମ୍ପୁଛନ୍ତି ।

 

ସେଇ ରାତିରେ—

 

ନିଜ ପ୍ରସାଦରେ ରାତ୍ରି ଭୋଜନରେ ବସିଛନ୍ତି ମହାନ୍ ମାର୍କୁଇସ୍ । ଦୁଇଜଣଙ୍କର ଖାଦ୍ୟ ଟେବୁଲରେ ରହିଛି; କିନ୍ତୁ ଏକା ମାର୍କୁଇସ୍‍ କେବଳ ଖାଉଛନ୍ତି । ଇଂଲଣ୍ଡରୁ ଆଜି ତାଙ୍କର ପୁତୁରା ଆସିବା କଥା; କିନ୍ତୁ ଏବେ ବି ପହଞ୍ଚି ନାହାନ୍ତି । ପରମ ଆନନ୍ଦରେ ପ୍ରଭୁଙ୍କର ଭୋଜନ ଚାଲିଛି ।

 

ଆସିବା ରାସ୍ତାରେ ଗୋଟାଏ ଘଟଣା ଘଟିଛି ଯାହାକି ମାର୍କୁଇସ୍‍ ଠିକ୍ ବୁଝି ପାରିନାହାନ୍ତି-। ଗାଡ଼ିତଳ ଲୁହା ଫ୍ରେମକୁ ଧରି ଝୁଲିଝୁଲି ଗୋଟାଏ ଲମ୍ବା ଲୋକ କୁଆଡ଼େ ବହୁଦୂର ଆସିଥିଲା । ଘୋଡ଼ା ସହିସ ତାହା ଦେଖି ପାରିନି ସତ; କିନ୍ତୁ ପଥିକମାନେ ଦେଖିଛନ୍ତି ଓ ସେମାନଙ୍କଠାରୁ ଏ କଥା ପ୍ରଚାରିତ ହୋଇଛି । ମାର୍କୁଇସ୍‍ଙ୍କ କାନକୁ ଯେତେବେଳେ ଆସିଲା ଏ ଖବର ସେତେବେଳେ ଗାଡ଼ି ତଳର ସେଇ ଲମ୍ବା ଲୋକଟିର ଖବର ମିଳିଲା ନାହିଁ—ସେ କୁଆଡ଼େ ପଳାଇ ଯାଇଛି । ବ୍ୟାପାରଟା ଯେତେ ଅବୋଧ୍ୟ ହେଲେ ମଧ୍ୟ ମାର୍କୁଇସ୍‍ ସେ ବିଷୟରେ ଚିନ୍ତା କରିବାକୁ ଅନିଚ୍ଛୁକ । ତେବେ ଖାଇଲାବେଳେ ଦୁଇ ତିନି ଥର ଚାକରମାନଙ୍କୁ ଝରକା ଖୋଲି ଦେଖିବାକୁ କହିଲେ–କେହି ଅଚିହ୍ନା ଲୋକ ଦେଖାଯାଉଛନ୍ତି କି ନାହିଁ । ନା, ଏପରି କିଛି ସନ୍ଦେହର ପ୍ରଶ୍ନ ନାହିଁ ।

 

ଗାଡ଼ିର ଶବ୍ଦ ଆସୁଛି—ତାଙ୍କ ଭାଇର ପୁଅ ଆସୁଛନ୍ତି । ସେ ଆସିବା ମାତ୍ରେ ଭୃତ୍ୟମାନେ ତାଙ୍କୁ ଜଣାଇଲେ ଯେ ମାର୍କୁଇସ୍‍ଙ୍କ ଘରେ ତାଙ୍କୁ ଖାଦ୍ୟ ଦିଆ ହୋଇଛି । ସେ ଆସିଲେ । କିଏ ସେ । ତାଙ୍କୁ ଆମେ ଲଣ୍ଡନରେ ଦେଖିଛୁ ଓଲଡ଼ବେଲିର ବିଚାର କକ୍ଷରେ । ସେଠାରେ ତାଙ୍କର ନାମ ଥିଲା ଚାର୍ଲସ ଡାର୍ନେ ।

 

ବେଶ ଭଦ୍ରଭାବରେ ପୁତୁରାଙ୍କୁ ଡାକି ମାର୍କୁଇସ୍‍ ପାଖରେ ବସାଇଲେ; କିନ୍ତୁ ସଭ୍ୟ ସମାଜର ଯେଉଁ ରୀତି, ନିଜର ଲୋକ ସହିତ କରମର୍ଦ୍ଦନ କରିବା—ତା ହେଲା ନାହିଁ ।

 

ଡାର୍ନେ କହିଲେ—“ଆପଣ କଣ ପ୍ୟାରିସ୍‍ରୁ ଏବେ ଫେରିଲେ ?

 

—ହଁ ! ତମେ ?

 

—ସିଧାସଳଖ ଲଣ୍ଡନରୁ ।

 

—ଅନେକ ଦିନରୁ ତମର ଆସିବା କଥା ଶୁଣିଥିଲି ।

 

—ଟିକିଏ ଡେରିହେଲା...କାମ ଥିଲା ।

 

—ତା ତ ନିଶ୍ଚୟ ।

 

ଚାକରମାନେ ଯେତେ ସମୟ କୋଠରିରେ ରହିଥିଲେ ଏହି ପ୍ରକାର ମାମୁଲି ଆଳାପ ଦୁଇଜଣଙ୍କ ଭିତରେ ଚାଲିଲା । ତାପରେ ଭୋଜନ ଶେଷ ହୋଇଗଲା; କଫି ଦେଇ ଚାକରମାନେ ଘରୁ ଚାଲିଗଲେ । ଡାର୍ନେ କହିଲେ—‘‘ଯେଉଁ କାମ ପାଇଁ ମୁଁ ବୁଲୁଛି ଆପଣ ତ ଜାଣନ୍ତି । ସେହି କାମ ପାଇଁ ପୁଣି ଆସିବାକୁ ହେଲା । ଏ ପ୍ରକାର ଯିବା ଆସିବା ବଡ଼ ବିପଦସଙ୍କୁଳ । ଏଥିପାଇଁ ବ୍ରିଟିଶ ସରକାରର ମୁଁ ସନ୍ଦେହଭାଜନ ହୋଇପଡ଼ିଛି । ମଝିରେ ରାଜଦ୍ରୋହ ଅଭିଯୋଗ ବିଚାରରେ ପଡ଼ିଥିଲି—ବଡ଼ କଷ୍ଟରେ ଏ ଜୀବନଟା ରହିଲା । ଅବଶ୍ୟ ପ୍ରାଣ ଗଲେ ଦୁଃଖ ନ ଥିଲା; କାରଣ ଯେଉଁ ପବିତ୍ର କାର୍ଯ୍ୟର ଦାୟିତ୍ୱ ମଥାରେ ବହନ କରିଛି, ତାହା ପାଇଁ ହସ ହସ ମୁହଁରେ ମୁଁ ମରିପାରେ ।”

 

ପିତୃବ୍ୟ ଟିକିଏ ବି ବ୍ୟସ୍ତ ନ ହୋଇ କହିଲେ—“ନା, ନା, ମରିବ କାହିଁକି ?”

 

“ଅବଶ୍ୟ ମୁଁ ମୃତ୍ୟୁମୁଖରେ ପଡ଼ିଲାବେଳେ ବି ମୋ ରକ୍ଷା ପାଇଁ ଆପଣ ଯେ ଉଦ୍ୟମ କରିବେ ନାହିଁ, ଏହା ମୁଁ ଭଲ କରି ଜାଣେ ।”

 

ପିତୃବ୍ୟ ହାତ ହଲାଇ ଗୋଟିଏ ପ୍ରତିବାଦର ଭଙ୍ଗୀ ଅବଶ୍ୟ କଲେ; କିନ୍ତୁ ସେ ପ୍ରତିବାଦ ଯେ ଆନ୍ତରିକ ନୁହେଁ; ତାହା ବୁଝିବାକୁ କଷ୍ଟ ହେଲା ନାହିଁ ଡାର୍ନେଙ୍କର । ସେ ମନର ସ୍ପଷ୍ଟକଥା ଶୁଣାଇବାକୁ ଆଜି ଆସିଛନ୍ତି । ସେ ଏବେ ଶୁଣାଇଦେଲେ—

 

“ଆପଣଙ୍କର କ୍ଷମତା ଥିଲେ ଆପଣ ବରଂ ମୋ ବିପକ୍ଷରେ ଦୁଇ ଚାରିଟା ଭଲ ପ୍ରମାଣ ଦିଅନ୍ତେ, ଏହା ମୁଁ ଜାଣେ ।”

 

ବଡ଼ ଆଶ୍ଚର୍ଯ୍ୟ ଲୋକ ଏହି ମାର୍କୁଇସ୍ । ଟିକିଏ ବିରକ୍ତ ବା କ୍ରୁଦ୍ଧ ନ ହୋଇ ଖୁବ୍ ମିଠା ସ୍ଵରରେ କହିଲେ—“ନା, ନା, କଣ କହୁଛ ଯେ ତୁମେ ?”

 

ଡାର୍ନେ ସେ କଥାରେ କାନ ନ ଦେଇ ପଚାରିଲେ— “ମୋର କାମରେ ଆପଣଙ୍କର ବାଧା ଦେବାର ଶକ୍ତି ଥିଲେ ଆପଣ କଣ ତାହା କରି ନଥାନ୍ତେ ?”

 

ମାର୍କୁଇସ୍‍ଙ୍କର ଅଧରରେ କ୍ଷଣକ ପାଇଁ କ୍ଷୀଣ ହସ ଦେଖାଦେଇ ମିଳାଇଗଲା । ସେ ଉତ୍ତର ଦେଲେ—“ତା କରନ୍ତି...ଆଗରୁ କହିଛି ।”

 

—ସମ୍ଭବ ହେଲେ ଆପଣ ମୋତେ ବ୍ୟାଷ୍ଟିଲରେ ଆବଦ୍ଧ କରନ୍ତେ—କୁହନ୍ତୁ, ସତ୍ୟ ନୁହେଁ କି ?

 

—ନିଶ୍ଚୟ ! ତୁମକୁ ବ୍ୟାଷ୍ଟିଲରେ କିଛିଦିନ ରଖିପାରିଲେ ତୁମର ଉପକାର ହୁଅନ୍ତା । ନିର୍ଜନ କାରାବାସରେ ଚିନ୍ତା କରିବାକୁ ସମୟ ମିଳେ । ଏହି ଚିନ୍ତାରେ ମନୁଷ୍ୟର ସ୍ଵଭାବ ମଧ୍ୟ ବଦଳିଯାଏ ।

 

ଡାର୍ନେ ହସି କହିଲେ—“ତା ହେଲେ କହିବାକୁ ହେବ ଯେ, ବର୍ତ୍ତମାନ ଯେଉଁମାନେ ଦେଶର ଶାସକ ଅଛନ୍ତି ତାଙ୍କ ସଙ୍ଗରେ ଆପଣଙ୍କର ସଦ୍‍ଭାବ ନାହିଁ ବୋଲି ମୁଁ ବର୍ତ୍ତମାନ ସ୍ଵାଧୀନ ଅଛି ?”

 

ମାର୍କୁଇସ୍ ଖୁବ୍ ତିକ୍ତ କଣ୍ଠରେ କହିଲେ—“କଣ ଯେ ହେଲା ଦେଶଟାର ? କିଛିଦିନ ପୂର୍ବେ ଆମେ ଯାହା ଖୁସି ତାହା କରୁଥିଲୁ । ଯାହାକୁ ଚାହିଁଚୁ ବ୍ୟାଷ୍ଟିଲ୍‍କୁ ପଠାଇଚୁ—ଫାଶୀଖୁଣ୍ଟରେ ଝୁଲାଇଛୁ; କିନ୍ତୁ ସେପରି ଭାବରେ ଏବେ ଚଳିଲେ ମଧ୍ୟ ଅସୁବିଧା ହେବ ବୋଲି ମନେହୁଏ । ଗୋଟାଏ ନୂଆ କଥା ଶୁଣାଯାଉଛି—ଜନଗଣର ସ୍ଵାଧୀନତା । ହାଃ ! ହାଃ ! ହାଃ ! କି ଅଜବ୍ ବାଜେ କଥା !” ହତାଶ ଭାବରେ ମାର୍କୁଇସ୍ ଟିପାଏ ନାସ ନେଇ ନାକରେ ଗୁଞ୍ଜିଲେ ।

 

ଡାର୍ନେ ଉତ୍ତର ଦେଲେ—“ସେମିତି ଚଳିବାରେ ଅବସ୍ଥା କଣ ହେଇଛି ? ଛି ! ଛି ! ଏ ବଂଶଟାକୁ ଲୋକେ କି ଅଭିଶାପ ଦିଅନ୍ତି ଜାଣନ୍ତି ? ଏପରି ବୋଧହୁଏ ଆଉ କାହାକୁ ନୁହଁ ।”

 

ମାର୍କୁଇସ୍ ଯେପରି ଖୁସି ହୋଇ କହିଲେ—“ତାହାହିଁ ଦରକାର । ଯେ ଅଭିଶାପ ଦିଏ, ବୁଝିବାକୁ ହେବ ଯେ ତାର ପ୍ରତିଶୋଧ ନେବାର ଶକ୍ତି ନାହିଁ ।”

 

ଏ କଥା ଉତ୍ତର ନଦେଇ ଡାର୍ନେ ଟେବୁଲ ତଳକୁ ମୁହଁ କରି ଅନାଇ ରହିଲେ । ଉଦବେଗ ଓ ନୈରାଶ୍ୟ ତାଙ୍କର ବସିବା ଠାଣିରୁ ଜଣାପଡ଼ୁଥିଲା । ମାର୍କୁଇସ୍‍—ସେ ଯେତେବେଳେ ପୁଣି କଥା କହିଲେ, ପ୍ରକାଶ ପାଇଲା ଅସମ୍ଭବ ଦମ୍ଭ । କହିଲେ—“ଯେତେଦିନ ଏ ପ୍ରାସାଦ ଉପରର ଛାତ ରହିଥିବ ସେତେଦିନ ଚାବୁକରେ ଏଇ କୁକୁରଦଳକୁ ଥଣ୍ଡା କରିଦେବି । ନିଜକୁ ବଡ଼ କରି ରଖିବାର ସହଜ ପଥ ଦୁନିଆରେ ଚିରଦିନ ଗୋଟିଏ—ସେ ହେଉଛି ଅତ୍ୟାଚାର ।”

 

ଡାର୍ନେ କହିଲେ—“ଅନ୍ୟାୟ କଲେ ତା ପାଇଁ ଦଣ୍ଡ ମିଳେ । ଆମେ ଅନ୍ୟାୟ କରିଛେ । ସେ ଦଣ୍ଡ ଏକାଧିକ ଥରରେ ମିଳିବ । ପ୍ରଥମ କିସ୍ତି ହେଲା ଏହି ଅଭିଶାପ ।”

 

—“ଆମେ ଅନ୍ୟାୟ କରିଛୁ ? ଆମେ କିଏ ?” —କହିଲେ ମାର୍କୁଇସ୍‍ ।

 

“ଆମେ ଅଭିଜାତ ଗୋଷ୍ଠୀ । ସେ ଅନ୍ୟାୟର ପ୍ରାୟଶ୍ଚିତ୍ତ ପାଇଁ ମୁଁ ଇଂଲଣ୍ଡରେ ଅଛି । ମା ମୃତ୍ୟୁ ସମୟରେ ଆଦେଶ କରିଯାଇଛନ୍ତି ଯେପରି ଏ ଜମିଦାରୀ ସହିତ ମୋର କୌଣସି ସମ୍ପର୍କ ରହିବ ନାହିଁ । ଅତ୍ୟାଚାରିତ ପ୍ରଜାଙ୍କର ମଥାରେ ନୂତନ ଅତ୍ୟାଚାରର ବୋଝ ମୁଁ ଯେପରି କେବେ ନ ଚପାଏଁ—ମା ମୋର ଥରକୁ ଥର ମୋତେ ମିନତି କରି ଯାଇଛନ୍ତି ।”

 

ମାର୍କୁଇସ୍‍ ବ୍ୟଙ୍ଗ ଭାବରେ କହିଲେ—‘‘ଜମିଦାରୀ ପ୍ରଥମେ ପାଅ, ତାପରେ ସେ କଥା-। ମୁଁ ଆଜି ମରୁନାହିଁ !”

 

ଡାର୍ନେ କହିଲେ—“ନାଁ, ସେ କାମନା ମୁଁ କରୁନାହିଁ । ଆପଣ ଦୀର୍ଘଦିନ ଧରି ବଞ୍ଚନ୍ତୁ । ତେବେ ଆପଣଙ୍କର ମୃତ୍ୟୁପରେ ଏ ସମ୍ପତ୍ତି ଯଦି ମୋର ହୁଏ—ହେବ ଅବଶ୍ୟ—ମୁଁ ଏହାର ପରିଚାଳନାର ନୂତନ ବ୍ୟବସ୍ଥା କରିବି । ଗରିବ ପ୍ରଜାର ଦୁର୍ଗତି ଯେଉଁଥିରେ ଦୂର ହେବ, ସେମାନେ ଯେଉଁଥିରେ ପେଟଭରି ମୁଠାଏ ଖାଇବେ, ଭଲ ଜୀବନ ଓ ସୁସ୍ଥ ଜୀବନ ଯାପନ କରିପାରିବେ ମଣିଷ ପରି, ତାହା କରିବି ।”

 

‘‘ଏବଂ ତୁମେ ନିଜେ ଉପବାସ କରିବ ପ୍ରଜାଙ୍କ ପାଇଁ ପେଟଭରା ଖାଦ୍ୟ ବ୍ୟବସ୍ଥା କରି–ଏଇ ତ ?” ବିଦ୍ରୂପ କଲେ ମାର୍କୁଇସ୍ ।

 

ଉତ୍ତେଜିତ ହୋଇ ଡାର୍ନେ କହିଲେ—“ଉପବାସ ? ଉପବାସ କାହିଁକି କରିବି ? ବର୍ତ୍ତମାନ କଣ ମୁଁ ଉପବାସ କରୁଛି ? ଯିଏ ଖଟି ଖାଇପାରେ ତାକୁ କେବେ ଉପବାସ କରିବାକୁ ପଡ଼େ ନାହିଁ । କେବଳ ମୁଁ କାହିଁକି, ବହୁ ଫରାସୀ ଭଦ୍ରଲୋକ ଏହି ଅଭିଶପ୍ତ ଦେଶ ତ୍ୟାଗ କରି ଇଂଲଣ୍ଡ ଯାଇଛନ୍ତି ନିଜର ଉଦ୍ୟମରେ ଜୀବିକା ଅର୍ଜନ କରିବାପାଇଁ ।”

 

ପୁଣି ବିଦ୍ରୂପର ହସ ମାର୍କୁଇସ୍ ମୁହଁରେ ଫୁଟି ଉଠିଲା—“ବହୁ ଫରାସୀ ଭଦ୍ରଲୋକ ? ତା ଭିତରେ ବୋଭେୟାବାସୀ ଜଣେ ଡାକ୍ତର ଅଛନ୍ତି ବୋଧହୁଏ ? ଚିହ୍ନ ସେ ଡାକ୍ତରକୁ—ଡାକ୍ତର ମାନେଟ୍‍ ?”

 

ମାର୍କୁଇସ୍‍ଙ୍କର ହସର କାରଣ ବୁଝି ନପାରି ବିସ୍ମିତ ଡାର୍ନେ କହିଲେ—“ଚିହ୍ନେ ।”

 

“ବେଶ୍ ବେଶ୍, ମ୍ୟାନେଟ୍‍ର ଗୋଟିଏ ଝିଅ ଅଛି—ନୁହେଁ ? ତୁମର ଏହି ନୂତନ ମତବାଦ ମୂଳରେ ମ୍ୟାନେଟ୍‍ର ଝିଅ ଅଛି କି ? ଥାଉ ସେ ବାଜେ କଥା—ମୋତେ ନିଦ ଲାଗିଲାଣି-। କାଲି ପୁଣି କଥା ହେବାଶୁଭରାତ୍ରି !”

 

ଏହା କହି ମାର୍କୁଇସ୍‍ ଘଣ୍ଟା ବଜାଇଲେ । ଚାକରମାନେ ଡାର୍ନେଙ୍କୁ ତାଙ୍କ ଶୟନକକ୍ଷକୁ ନେବା ପାଇଁ ଆଲୋକ ନେଇ ଆସିଲେ । ମାର୍କୁଇସ୍‍ ମଧ୍ୟ ନିଜ କୋଠରିରେ ଯାଇ ପ୍ରବେଶ କଲେ; କିନ୍ତୁ ଆଜି ଯେ ଆଖିରେ ନିଦ ଆସୁନି ! ସୁକୋମଳ ସୁଗନ୍ଧ ରାଜଶଯ୍ୟାରେ ଶୋଇ ମାର୍କୁଇସ୍‍ଙ୍କୁ ନୟନରେ ତଥାପି ନିଦ ନାହିଁ । ଆଖି ଆଗରେ ଛବି ପରେ ଛବି ଭାସି ଉଠୁଛି । ଘର ଭିତର ଅନ୍ଧକାର; କିନ୍ତୁ ସେ ଅନ୍ଧକାର ବୁକୁରୁ ଫୁଟିଉଠୁଛି ରକ୍ତରଞ୍ଜିତ ସମସ୍ତ ଛବି–ପ୍ୟାରିସର ରାଜପଥ, ଝରଣା, ଘୋଡ଼ାଗାଡ଼ି ଚକତଳେ ଦଳିତ ପିଲା । ମୁମୂର୍ଷୁର ଚିତ୍କାର । ଏପରି ସମୟରେ ଅକସ୍ମାତ୍ ଗୋଟାଏ ଖସ୍ ଖସ୍ ଶବ୍ଦ ଆସିଲା ଘର ଭିତରୁ । ମାର୍କୁଇସ୍‍ ଚକିତ ହୋଇଉଠିଲେ; କିନ୍ତୁ ଚାକରମାନଙ୍କୁ ଡାକିବା ପୂର୍ବରୁ ଗୋଟିଏ ତୀକ୍ଷ୍‍ଣ ଛୁରିକା ତାଙ୍କ ଛାତିରେ ଆମୂଳ ବିଦ୍ଧ ହେଲା । ଏଥର ପ୍ରାୟଶ୍ଚିତ୍ତର ଆରମ୍ଭ ।

 

ହତ୍ୟାକାରୀ ସେହି ଗେସ୍‍ପାର୍ଡ଼, ଯେ ଦିନେ ଲାଲ ମଦରେ କାନ୍ଥରେ ଲେଖିଥିଲା—ରକ୍ତ, ରକ୍ତ । ଯିଏ ସେ ଦିନ ପୁଅକୁ ମାର୍କୁଇସ୍‍ ଗାଡ଼ି ତଳେ ଚାପା ପଡ଼ିବାର ଦେଖି କାନ୍ଦି କାନ୍ଦି ଚତୁର୍ଦ୍ଦିଗ ମଥିତ କରିଥିଲା । ସେ ଗାଡ଼ିତଳ ଲୁହା ଫ୍ରେମ୍‍କୁ ଧରି ଝୁଲି ଝୁଲି ମାର୍କୁଇସ୍‍ଙ୍କର ଅନୁସରଣ କରିଥିଲା ।

 

ହତ୍ୟାକାରୀ ଗେସ୍‍ପାର୍ଡ଼ କିନ୍ତୁ ଧରାପଡ଼ିଲା; ପଳାଇ ପାରିଲା ନାହିଁ । ମାର୍କୁଇସ୍‍ ପ୍ରାସାଦର ପାଦତଳେ ଯେଉଁ ଗରିବ ଗାଁଗୁଡ଼ିକ ଅଛି, ସେଇଠାରେ ତାର ଫାଶୀ ହେଲା । ଚାଳିଶ ଫୁଟ ଉଚ୍ଚରେ ତାକୁ ଫାଶୀ ଦିଆହେଲା । ଚାଳିଶ ଫୁଟ ଉଚ୍ଚରେ ଝୁଲୁଥିଲା ତାର ଦେହଟା—ପଚି ସଢ଼ି, ହାତ ପାଦଗୁଡ଼ାକ ଛିଡ଼ି ତଳେ ପଡ଼ିବା ପର୍ଯ୍ୟନ୍ତ । ଜମିଦାରକୁ ପୁଣି ଖୁନ୍ ! ଏ ପାପ ପାଇଁ ଏ ପ୍ରକାର ଚରମ ଦଣ୍ଡ ନ ହେଲେ ଦେଶରେ ଶାନ୍ତି ରକ୍ଷା ହେବ କିପରି ?

 

ଦିନ ବହିଯାଉଛି । ଏତେ ବଡ଼ ମାର୍କୁଇସ୍‍ ଆଜି ନାହାନ୍ତି । ଯେ ଚାବୁକରେ ଦେଶ ଲୋକଙ୍କୁ ଶାସନ କରିବାକୁ ଚାହୁଁ ଥିଲେ ସେ ହଠାତ୍ ଦେଶକୁ ଅଭିଭାବକଶୂନ୍ୟ କରି ପରଲୋକ ଗମନ କଲେ । ତାଙ୍କର ପୁତୁରା ଯେ କୋଡ଼ିଏ ବର୍ଷ ଭିତରେ ଜମିଦାରୀ ହାତକୁ ଆସିବାର ଆଶା କରି ନଥିଲେ, ସେ ହଠାତ୍ ସକାଳେ ବିଛଣାରୁ ଉଠି ଦେଖିଲେ ଜମିଦାରୀ ପାଇ ଯାଇଛନ୍ତି । ସେ ଗେବଲ୍‍କୁ ଡାକି ପଠାଇଲେ । ଗେବଲ୍ ହେଲା ମାର୍କୁଇସ୍‍ଙ୍କର ତହସିଲ୍‍ଦାର—ଖଜଣାପତ୍ର ସେ ଆଦାୟ କରେ । ଡାର୍ନେ ଆଦେଶ କଲେ—“ଏବେଠାରୁ ଆଉ କୌଣସି ପ୍ରଜାଙ୍କଠାରୁ ଖଜଣା ଆଦାୟ ହେବ ନାହିଁ ବରଂ ଓଲଟା ସବୁପ୍ରକାର ସାହାଯ୍ୟ ସେମାନଙ୍କୁ ଦିଆଯିବ ଜମିଦାରୀର ସଞ୍ଚିତ ଅର୍ଥରୁ ।”

 

ଡାର୍ନେ ଲଣ୍ଡନ ପ୍ରସ୍ଥାନ କଲେ । ଏ ଅଭିଶପ୍ତ ଜମିଦାରୀରେ ସେ ବାସ କରିବାକୁ ଚାହାନ୍ତି ନାହିଁ—କାଳେ ସଂକ୍ରାମକ ବ୍ୟାଧି ପରି ମନରେ କ୍ଷମତାର ମୋହ ସଂଚାରିତ ହେବ ।

 

ଡାର୍ନେ ଚାଲିଗଲେ । ଗେବଲ୍ ନୂତନ ନିୟମରେ ଜମିଦାରୀ ଚଳାଇବାକୁ ପ୍ରସ୍ତୁତ ହେଲା-। କିନ୍ତୁ ସେ ପ୍ରସ୍ତୁତ ହେବା ପୂର୍ବରୁ ମାର୍କୁଇସ୍ ପ୍ରାସାଦରେ ନିଆଁ ଲାଗିଲା । ଗାଁର ଲୋକେ ଠିଆ ହୋଇ ସେ ନିଆଁ ଦେଖିଲେ ଓ ସେମାନେ ପଚରାପଚରି ହେଲେ ନିଆଁଟା ଚାଳିଶ ଫୁଟ ଉଚ୍ଚକୁ ଉଠୁଛି କି ନାହିଁ ?

 

ସେଇ ରାତିରେ ସେ ଅଞ୍ଚଳର ପ୍ରତ୍ୟେକ ଜମିଦାରଙ୍କ ପ୍ରାସାଦ ପୋଡ଼ି ପାଉଁଶ ହୋଇଗଲା । ଏ ହେଲା ପ୍ରାୟଶ୍ଚିତ୍ତର ଦ୍ଵିତୀୟ ଅଧ୍ୟାୟ ।

Image

 

। ପାଞ୍ଚ ।

 

ଶତ୍ରୁମାନେ ମ୍ୟାନେଟ୍‍ଙ୍କୁ ବ୍ୟାଷ୍ଟିଲ୍ କାରାଗାରରେ ବନ୍ଦୀ କରିବା ପୂର୍ବରୁ ଡାକ୍ତରରୂପେ ତାଙ୍କର ଖୁବ୍ ସୁଖ୍ୟାତି ଥିଲା । ଅଠରବର୍ଷ ନିର୍ଜନ କାରାବାସରେ ରହି ଯେତେବେଳେ ସେ ସ୍ଵାଧୀନତା ଫେରି ପାଇଲେ ସେତେବେଳେକୁ ସେ ପ୍ରାୟ ପାଗଳ । ତାଙ୍କ ଅବସ୍ଥା ଦେଖି କନ୍ୟା ଲୁସି ଓ ବନ୍ଧୁ ଲରି କେବେ ଆଶା କରି ପାରିନଥିଲେ ଯେ ଏପରି ପାଗଳର ମୁଣ୍ଡ ପୁଣି ଠିକ୍ ହୋଇଯିବ ଓ ପୁଣି ପୂର୍ବପରି ସେ ବୈଜ୍ଞାନିକ ପ୍ରଣାଳୀରେ ଚିକତ୍ସା କରିପାରିବେ ।

 

କିନ୍ତୁ ଯାହା ଆଶା କରା ଯାଇନଥିଲା ତାହା ହେଲା । ଜଡ଼ତାର ଆବରଣରେ ମ୍ୟାନେଟ୍‍ଙ୍କର ଦେହ ମନ ଚାପା ପଡ଼ିଥିଲା । ଭଲ ପାଇବାର ସ୍ପର୍ଶରେ ଖରାତେଜରେ ବରଫ ତରଳିଲା ପରି ସେ ଜଡ଼ତା ଦୂର ହୋଇଗଲା । ମ୍ୟାନେଟ୍‍ଙ୍କର ମନୁଷ୍ୟତ୍ଵ ଲୁପ୍ତ ହୋଇଥିଲା, ପ୍ରତିଭା ହୋଇଥିଲା ନିଷ୍ପ୍ରଭ । ଲୁସି ଓ ଲରି ତାକୁ ପୁଣି ଜଗାଇ ଦେଲେ । ପାଞ୍ଚବର୍ଷ ଭିତରେ ଲଣ୍ଡନ ନଗରୀର ବଡ଼ଲୋକ ମହଲରେ ଡାକ୍ତର ମାନେଟ୍‍ ଅଭିଜ୍ଞ ଚିକିତ୍ସକ ରୂପେ ପୁଣି ବିଖ୍ୟାତ ହେଲେ-। ତାଙ୍କର ଜ୍ଞାନ ଅସାଧାରଣ, ପୁଣି ରୋଗୀପାଇଁ ଖଟନ୍ତି ପ୍ରଚୁର—ତେଣୁ ଉପାର୍ଜନ ମଧ୍ୟ ପ୍ରଚାର ହେଲା । ଚାର୍ଲସ୍ ଡାର୍ନେ ଦିନେ ତାଙ୍କୁ ଦେଖା କରିବକୁ ଆସିଲେ । ଲଣ୍ଡନରେ ଡାର୍ନେ ଫରାସୀ ଭାଷା ଶିକ୍ଷା ଦିଅନ୍ତି ଇଂରେଜ ଯୁବକ ଯୁବତୀମାନଙ୍କୁ । ତାଙ୍କର ଆୟ ମଧ୍ୟ ବେଶ୍ ଭଲ । ସେ ମଝିରେ ମଝିରେ କେମ୍ବ୍ରିଜ୍ ବିଶ୍ଵବିଦ୍ୟାଳୟକୁ ଯାଇ ପଢ଼ାପଢ଼ି ମଧ୍ୟ କରନ୍ତି ।

 

ମାନେଟ୍‍ ପରିବାର ସହିତ ବର୍ତ୍ତମାନ ଡାର୍ନେ ଖୁବ୍‍ ମିଳାମାଶା କରନ୍ତି । ପୂର୍ବ ଘଟଣା ପରେ ଘନିଷ୍ଠତା ଆସ୍ତେ ଆସ୍ତେ ବଢ଼ି ଯାଇଛି । ସେହି ସମୟରୁ ଆଉ ଜଣେ ମଧ୍ୟ ମ୍ୟାନେଟ୍ ପରିବାରକୁ ଯା’ଆସ କରନ୍ତି—ସେ ହେଲେ ସେହି ମହକିଲ ଶୂନ୍ୟ ଓକିଲ ସିଡ଼୍‍ନି କାର୍ଟନ୍—ଡାର୍ନେ ସହିତ ଯାହାଙ୍କ ଚେହେରାର ଅଦ୍ଭୁତ ସାଦୃଶ୍ୟ ଥିଲା ଓ ଯେ ଡାର୍ନେଙ୍କୁ ବଞ୍ଚାଇଥିଲେ ।

 

ଡାର୍ନେ ମ୍ୟାନେଟ୍‍ଙ୍କ ସାଙ୍ଗରେ ସାକ୍ଷାତ୍ କରିବାକୁ ଆସିଛନ୍ତି । ଡା: ମାନେଟ୍‍ ସେତେବେଳେ କଣ ପଢ଼ୁଥିଲେ । ଡାର୍ନେଙ୍କୁ ଦେଖି ବହି ରଖି କରମର୍ଦ୍ଦନ ପାଇଁ ହାତ ବଢ଼ାଇ କହିଲେ—“ଆସ ଡାର୍ନେ ! ତିନି ଚାରିଦିନ ହେଲା ଭାବୁଛି ତମେ ଆସିବ, କାରଣ କେମ୍ବ୍ରିଜରେ ଗୁଡ଼ାଏ ଦିନ ରହିବା ତ ତୁମର ଅଭ୍ୟାସ ବାହାରେ । ତମେ ବସ । ଲୁସି କଣ କିଣିବାକୁ ଯାଇଛି—ବର୍ତ୍ତମାନ ଆସିବ ।”

 

ଡାର୍ନେ କହିଲେ—“ଡାକ୍ତର ମାନେଟ୍‍ ! ଆପଣଙ୍କ କନ୍ୟା ଯେ ବର୍ତ୍ତମାନ ଏ ଘରେ ନାହାନ୍ତି ତାହା ଜାଣି ମୁଁ ଆସିଛି । ସେ ଫେରି ଆସିବା ପୂର୍ବରୁ ଦୁଇଚାରିଟା କଥା ଆପଣଙ୍କୁ କହିବାକୁ ଚାହେଁ ।”

 

“କଣ କହିବ କୁହ ।”

 

କି ପ୍ରକାରରେ କଥା ଆରମ୍ଭ କରିବେ, ତାହା ଠିକ୍ କରିବାକୁ ଯେପରି ଡାର୍ନେଙ୍କର କିଛି ସମୟ କଟିଗଲା । ତାପରେ ସେ କହିଲେ—‘‘କିଛିଦିନ ହେଲା ଆପଣଙ୍କ ସଙ୍ଗରେ ଯେ ପ୍ରକାର ଘନିଷ୍ଠ ଭାବରେ ମିଶିବାର ସୁଯୋଗ ମୁଁ ପାଇଛି, ସେଥିରେ ମୋର ଆଶା ହୁଏ ଯେଉଁ ବିଷୟରେ ମୁଁ ଆଜି କହିବି.... ।”

 

ଡାକ୍ତର ଧୀରେ ଧୀରେ ନିମ୍ନ ସ୍ୱରରେ କହିଲେ—“କଥାଟା କଣ ଲୁସି ସମ୍ପର୍କରେ ?”

 

—“ଆଜ୍ଞା, ହଁ ।”

 

—“କୁହ ।”

 

—“କଣ ମୁଁ କହିବି, ତାହା ଆପଣ ବୋଧହୁଏ ବୁଝିପାରିଛନ୍ତି । ଆପଣଙ୍କର କନ୍ୟାଙ୍କୁ ମୁଁ ଭଲପାଏ —ହୃଦୟ ଦେଇ ନିଃସ୍ଵାର୍ଥ ଭାବରେ । ଭକ୍ତ ଯେପରି ପୂଜାକରେ ତାର ଉପାସ୍ୟ ଦେବୀଙ୍କୁ, ମୁଁ ସେହିପରି ତାଙ୍କୁ ପୂଜା କରେ । ଏହି କଥା ଆପଣଙ୍କୁ କହିବାକୁ ଆସିଛି ।”

 

ଅନ୍ୟଆଡ଼କୁ ମୁହଁ ଫେରାଇ ମଥା ନତ କରି ଡାକ୍ତର ବସି ରହିଲେ । ଲୁସି ବିବାହ ଦେଇ ପର କରିଦେବେ ଏ କଥା ଚିନ୍ତା କରି ତାଙ୍କର କଷ୍ଟ ହୁଏ । ଲୁସି ଛଡ଼ା ଏ ପୃଥିବୀରେ ତାଙ୍କର କିଏ ଅଛି ? ଲୁସି ତାଙ୍କୁ କବରରୁ ଉଠାଇ ଆଣିପାରିଛି । ତାହାରି ସେବାରେ ସେ ଫେରିପାଇଛନ୍ତି ମନୁଷ୍ୟତ୍ୱ ଓ ପ୍ରତିଭା । ସମାଜରେ ଦେଶଜଣଙ୍କ ଭିତରେ ଜଣେ ହୋଇଛନ୍ତି । ଲୁସିକୁ ହରାଇଲେ ଏସବୁ ହରାଇବା ଅସମ୍ଭବ ନୁହେଁ ।

 

ବହୁ ସମୟର ନୀରବତା ପରେ ଡାକ୍ତର କହିଲେ—“ତମେ କଣ ଏ କଥା ଲୁସିକୁ କହିଛି ?”

 

—“ନାଁ ।”

 

—“ଚିଠିରେ ବି ଲେଖିନାହିଁ ?”

 

—“ନାଁ ।”

 

—“କହିନ ବା ଲେଖିନ—ଏଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଛି ।”

 

ଡାର୍ନେ କହିବାକୁ ଲାଗିଲେ—“ଡାକ୍ତର ମାନେଟ୍‍, ମୁଁ ଜାଣେ ଆପଣଙ୍କ ପାଇଁ ଲୁସି ଏବଂ ଲୁସି ପାଇଁ ଆପଣ କେତେ ବେଶି ଦରକାରୀ । ଶୈଶବରେ ଲୁସି ବାପାମା’ଙ୍କର ସ୍ନେହ ପାଇନାହାନ୍ତି । ବଡ଼ ହୋଇ ଆପଣଙ୍କୁ ପାଇଛନ୍ତି—ଯେପରି ପରଲୋକରୁ ସେ ଫେରି ପାଇଛନ୍ତି । ତାଙ୍କ ଅନ୍ତରରେ ସ୍ନେହ, ଭକ୍ତି—ଯାହା ଜୀବନର ସତର ବର୍ଷ ଭିତରେ ଫୁଟି ଉଠିବାର ସୁଯୋଗ ପାଇନଥିଲା, ତାହା ହଠାତ୍ ଆପଣଙ୍କୁ ପାଇ ଏକାନ୍ତ ନିବିଡ଼ ଭାବରେ ଜଡ଼ାଇ ଧରିଲା । ଏକ ନିଶ୍ଵାସରେ ଆପଣଙ୍କ ଉପରେ ଅଜାଡ଼ି ଦେଲେ ଭକ୍ତି, ଭଲ ପାଇବା, ସ୍ନେହ, ଶ୍ରଦ୍ଧା, ବିଶ୍ୱାସ—ନାରୀ ହୃଦୟର ଯେତେ କିଛି ପବିତ୍ର ଭାବ । ଆପଣ ମଧ୍ୟ ଅଠର ବର୍ଷକାଳ ଏପରି ସ୍ଥାନରେ ଅଟକି ଥିଲେ ଯାହାକୁ କବରଖାନା କୁହାଯାଇପାରେ । ସେଠାରୁ ଭଗବାନଙ୍କ ଦୟାରୁ ବାହାରିବା ପରେ ଏହି କନ୍ୟାକୁ ଅବଲମ୍ବନ କରି ଆପଣ ଫେରି ପାଇଲେ ଜୀବନ, ସ୍ୱାସ୍ଥ୍ୟ, ପ୍ରତିଭା କର୍ମଶକ୍ତି, ଆଶା ଓ ଆନନ୍ଦ । ଦେଶରେ ଅତ୍ୟାଚାର ଯୋଗୁଁ ଅଠରବର୍ଷ ପୂର୍ବେ ଯେଉଁ ମହୀୟସୀ ପତ୍ନୀ ନିକଟରୁ ଚିରଦିନ ପାଇଁ ଆପଣଙ୍କୁ ଦୂରକୁ ଯିବାକୁ ପଡ଼ିଥିଲା, ଆପଣ ଲୁସି ଭିତରେ ତାହାଙ୍କୁ ଦେଖିବାକୁ ପାଇଲେ । ଏହି କନ୍ୟା ହିଁ ଆପଣଙ୍କର ଜୀବନର ସମ୍ବଳ । ତାଙ୍କୁ କେନ୍ଦ୍ର କରି ଆପଣଙ୍କର ଏ ସଂସାର । ସେ ଆପଣଙ୍କର ନୟନର ପିତୁଳା—ତାହା ସବୁ ମୁଁ ବୁଝେ । ଏ ଅବସ୍ଥାରେ ବିବାହ ଦେଇ ସେ ଝିଅକୁ ପର କରିଦେବା ଆପଣଙ୍କ ପକ୍ଷରେ ଯେ କେତେ ଶକ୍ତ ତା ମଧ୍ୟ ମୁଁ ବୁଝୁଛି ଓ ବୁଝେ ବୋଲି ବହୁତ ଭାବିଚିନ୍ତି ଏ ପ୍ରସ୍ତାବ ଉତ୍‍ଥାପନ କରୁଛି । ଆପଣଙ୍କ ମନରେ ଦୁଃଖ ନ ଦେବା ପାଇଁ ମୋର ପ୍ରସ୍ତାବ ହେଉଛି—ଆପଣଙ୍କ ନିକଟରୁ ଲୁସିକୁ କେବେହେଁ କାଢ଼ି ନେବି ନାହିଁ । ମୁଁ ବରଂ ଆପଣଙ୍କ ନିକଟରେ ଆଶ୍ରୟ ନେବି—ଲୁସି ପାଖରେ ରହିବି, ଗୋଟିଏ ବଦଳରେ ଆପଣଙ୍କର ଦୁଇଟି ସନ୍ତାନ ହେବେ ।”

 

କେତେ ସମୟ ନୀରବ ନିଶ୍ଚଳ ରହିବା ପରେ ଡାକ୍ତର ଏଥର ଡାର୍ନେଙ୍କ ହାତ ଉପରେ ଟିକିଏ ମୃଦୁ ଚାପ ଦେଲେ । ତାପରେ ଏତେ ସମୟ ପରେ ସେ ମୁଖ ତୋଳି ଥରେ ଅନାଇଁଲେ । ତାଙ୍କ ମୁହଁ ଦେଖି ଡାର୍ନେ ବୁଝିପାରିଲେ ଯେ ଡାକ୍ତରଙ୍କ ମନ ଭିତରେ ଘଣ୍ଟାଚକଟା ଚାଲିଛି—ଝିଅର ଭଲ ଦେଖିବା ଓ ନିଜର ସୁଖ ସୁବିଧା ବଜାୟ ରଖିବାର ଚିନ୍ତା । ଦୁଇ ଚିନ୍ତାର ଦ୍ଵନ୍ଦ୍ଵ ଭିତରେ ନିଜ ସୁଖର ଚିନ୍ତା ପରାଜିତ ହେବାକୁ ବାଧ୍ୟ, ଏହା ବୁଝିପାରି ସେ ମନେ ମନେ ଭୟ କରୁଛନ୍ତି ଓ ସେହି ଭୟ ତାଙ୍କ ମୁଖରେ ଦେଖିବାକୁ ମିଳୁଛି ।

 

ଏଥର ସେ ଧୀରେ ଧୀରେ କହିଲେ—“ଡାର୍ନେ, ଏପରି ଆନ୍ତରିକତାର ସ୍ଵର, ଏତେ ଉଦାରତାର ପରିଚୟ ତମର କଥା ଭିତରେ ଫୁଟିଛି ଯେ ତୁମକୁ ଧନ୍ୟବାଦ ନ ଦେଇ ରହିପାରୁନାହିଁ-। ଲୁସି କଣ ତୁମକୁ ଭଲପାଏ ବୋଲି ତୁମର ମନେହୁଏ ?”

 

ଡାର୍ନେ କହିଲେ—“ଅବଶ୍ୟ ଏ ପର୍ଯ୍ୟନ୍ତ ସେ ପ୍ରକାର କିଛି ମନେ କରିବାର କୌଣସି କାରଣ ମୁଁ ଦେଖିବାକୁ ପାଇନାହିଁ ।”

 

“ମୋର ଅନୁମତି ପାଇଲେ ତମେ କଣ ଲୁସି ନିକଟରେ ଏ ପ୍ରସ୍ତାବ ଉଠାଇବାକୁ ଇଚ୍ଛାକର ?”

 

—“ନା, ତା ମଧ୍ୟ ନୁହେଁ । କେବେ ସେ ସାହସ କରି ତାଙ୍କୁ ଏ କଥା କହିପାରିବି ତାହା ମୁଁ ଜଣେନା । ହୁଏତ କେତେକ ସପ୍ତାହ ଭିତରେ ମଧ୍ୟ ସେ ସାହସ ସଞ୍ଜୟ କରିପାରିବି ନାହିଁ ।”

 

—“ତମେ କଣ ମୋଠାରୁ ପରାମର୍ଶ ଚାହଁ ?”

 

—“ଯଦି ଦୟା କରି ଦିଅନ୍ତି ।”

 

—‘‘କେଉଁ ପ୍ରତିଶ୍ରୁତି ମୋଠାରୁ ଦରକାର ?”

 

‘‘ଚାହେଁ—ଆଉ ବେଶି କିଛି ନୁହେଁ—ଲୁସି ନିଜେ ଯଦି କେବେ ଆପଣଙ୍କ ନିକଟକୁ ପରାମର୍ଶ ପାଇଁ ଆସିବେ ଏହି ପ୍ରସ୍ତାବ ଉପରେ, ତା ହେଲେ ଆପଣ ମୋ ବିପକ୍ଷରେ କିଛି କହିବେ ନାହିଁ, ଏତିକି ମାତ୍ର ଭିକ୍ଷା ଆପଣଙ୍କ ନିକଟରୁ ଚାହେଁ ।”

 

—‘‘ସେ ଅନୁରୋଧ ରକ୍ଷା କରିବି । ତମ ବିରୁଦ୍ଧରେ କେବେ କିଛି କହିବି ନାହିଁ, ଯଦି ମୁଁ ବୁଝେ ଯେ ଲୁସିର ଆନନ୍ଦ ପାଇଁ ତମ ସାଙ୍ଗରେ ତାର ବିବାହ ହେବା ଏକାନ୍ତ ଅବଶ୍ୟକ । ମୁଁ ତମ ନାମ ପ୍ରକୃତରେ ଜାଣେନା । ପାରିବାରିକ ଇତିହାସ—ନାଁ ଥାଉ, ବର୍ତ୍ତମାନ କହିବା ଦରକାର ନାହିଁ; କିନ୍ତୁ ଏ କଥା ମଧ୍ୟ ମୁଁ ତୁମକୁ କହୁଛି, ତମର ନାମ ବା ପାରିବାରିକ ଇତିହାସ ଶୁଣି ତମ ଉପରେ ମୋର ଭୀଷଣ ବିରାଗ ଯଦିବା କେବେ ଜାତହୁଏ, ତାହେଲେ ଲୁସିର ମୁଖକୁ ଅନାଇ ସେ ବିରାଗ ମଧ୍ୟ ମୁଁ ଦମନ କରିବି । ମୋର ନିଜର ଆପତ୍ତି ପାଇଁ ଲୁସି ସୁଖ-ପଥରେ ମୁଁ ବାଧା ଦେବିନାହିଁ ।”

 

ପରଦିନ—ଏକୁଟିଆ ଘରେ ବସି ସିଲାଇ କରୁଥିଲେ ଲୁସି ମାନେଟ୍‍ । ସିଡ଼୍‍ନି କାର୍ଟନ ଘରେ ପ୍ରବେଶ କଲେ । ମହକିଲଶୂନ୍ୟ ଓକିଲ ଏଇ ସିଡ଼୍‍ନି—ତାଙ୍କର କାର୍ଯ୍ୟ ହେଲା ଅନ୍ୟ ଓକିଲଙ୍କର କାଗଜପତ୍ର ଠିକ୍ କରିଦେବା ଏବଂ କଚେରିକୁ ଯାଇ ଛାତ ଆଡ଼କୁ ଅନାଇଁ ବସିବା । ଉପାର୍ଜନ ଅବଶ୍ୟ କିଛି ଅଛି । ଅନ୍ୟ ଓକିଲମାନଙ୍କୁ ସାହାଯ୍ୟ କରି ବେଶ୍ କିଛି ପାଆନ୍ତି । ରୋଜଗାର ଟଙ୍କାକରୁ ବାରଅଣା ମଦରେ ଖର୍ଚ୍ଚ ହୁଏ । ସେ ପୃଥିବୀରେ ଏକା, ନିଜ ଲୋକ କେଉଁଠାରେ କେହି ନାହାନ୍ତି । ପ୍ରତିଭା ଓ କାମ କରିବାର ଦକ୍ଷତା ତାଙ୍କର ଥିଲା; କିନ୍ତୁ ମଦ ପାନକରି ତାହା ନଷ୍ଟ ହୋଇଯାଇଛି । ମନୁଷ୍ୟତ୍ଵ ଥିଲା; ମଦରେ ପ୍ରାୟ ଧ୍ଵଂସପ୍ରାପ୍ତ । ତଥାପି ମନୁଷ୍ୟତ୍ଵର ଆଲୋକ ଏବେ ବି ବେଳେ ବେଳେ ତାଙ୍କଠାରେ ଦେଖିବାକୁ ମିଳେ ।

 

ସିଡ଼୍‍ନି କାର୍ଟନ ଘର ଭିତରେ ପଶିଲେ । ଲୁସି ଅଭ୍ୟର୍ଥନା କରି ବସିବାକୁ ତାଙ୍କୁ କହିଲେ-। କାର୍ଟନଙ୍କୁ ଦେଖି ଲୁସି ଅବଶ୍ୟ ଟିକିଏ ବିବ୍ରତ ହେଲେ । କାରଣ ତାଙ୍କର ମନେହେଲା ଯେ କାର୍ଟନ ଅତିରିକ୍ତ ମଦ ପିଇଛନ୍ତି; କିନ୍ତୁ ଏ କଣ ? ସିଡ଼୍‍ନିର ମୁହଁରେ ତ ଏ ପ୍ରକାର ବିଷଣ୍ଣଭାବ କେବେ ଦେଖାଯାଏ ନାହିଁ ? ଦେଖାଯାଏ କେବଳ ଛୋଟ ବଡ଼ କେତୋଟି ରେଖା, ଯାହାକୁ ଦେଖି ବୁଝିବାକୁ ଡେରି ହୁଏନା ଯେ ସେ କେତେ ଉତ୍ସୃଙ୍ଖଳ, ଅସଞ୍ଜମୀ ଓ ଚରିତ୍ରହୀନ । ତେବେ ଆଜିର ଏ ମଳିନ ଭାବ ତ ସିଡ଼୍‍ନି ମୁହଁରେ କେହି କେବେ ଦେଖି ନାହାନ୍ତି ?

 

ଲୁସି ପ୍ରଶ୍ନ କଲେ—“ଆପଣଙ୍କର କଣ ଦେହ ଖରାପ ଅଛି ମିଷ୍ଟର କାର୍ଟନ ?”

 

—‘‘ନାଁ, ତେବେ ମୁଁ ଯେଉଁ ଜୀବନଯାପନ କରେ ସେଥିରେ ସ୍ୱାସ୍ଥ୍ୟ ତ ଭଲ ରହିବାର କଥା ନୁହଁ ! ଦୁଶ୍ଚରିତ୍ର ଲୋକ ମୁଖରେ ଲାବଣ୍ୟ ଦେଖିବାକୁ ଆଶା କରିବେ ନାହିଁ ଆପଣ ।”

 

—‘‘ଏହା ଅପେକ୍ଷା ଭଲ ଜୀବନ ଯାପନ କରିବାରେ ତ ବାଧା ନାହିଁ ?”

 

—“ବଡ଼ ଡେରି ହୋଇଯାଇଛି ମିସ୍ ମାନେଟ୍‍ ! ଆଉ ଉପରକୁ ଉଠିବାର ଆଶା ନାହିଁ-। ଏବେ ତଳକୁ ଖସୁଛି, ଖସୁଥିବି ।”

 

ଟେବୁଲ ଉପରେ ଦୁଇ କହୁଣି ଭରା ଦେଇ, ଦୁଇ ହାତରେ ମୁହଁ ଢାଙ୍କି ବସି ରହିଲେ କାର୍ଟନ । ଭାବର ଆବେଗରେ ସାରା ଦେହ କମ୍ପି ଉଠୁଥିଲା । ଟେବୁଲଟି ମଧ୍ୟ କହୁଣିର ଭାରରେ କମ୍ପିବାକୁ ଲାଗିଲା ।

 

କାର୍ଟନର ଏ ପ୍ରକାର କାତରତା ଲୁସି କେବେ ଦେଖିନାହାନ୍ତି । ସେ ମଧ୍ୟ ବିଷଣ୍ଣ ହୋଇଉଠିଲେ । କାର୍ଟନ ମୁହଁ ନ ଉଠାଇ କହିବାକୁ ଲାଗିଲେ—“ମୋତେ କ୍ଷମା କରିବାକୁ ହେବ କୁମାରୀ ମାନେଟ୍‍ ! ଗୋଟିଏ କଥା କହିବାକୁ ଆସିଛି; କିନ୍ତୁ କହିବାକୁ ଆସି ବର୍ତ୍ତମାନ ଭୟରେ କମ୍ପୁଛି । କଥାଟା ଗୁରୁତର । ଆପଣ କଥାଗୁଡ଼ାକ ମୋର ଶୁଣିବେ ?”

 

—‘‘ଶୁଣିଲେ ଯଦି ଆପଣଙ୍କର କୌଣସି ଉପକାର ହେବ ତେବେ ଆନନ୍ଦରେ ଶୁଣିବି-।”

 

—ଆପଣଙ୍କର ଅଶେଷ ଦୟା । ଭଗବାନ ଆପଣଙ୍କର ଭଲ କରନ୍ତୁ ।” ମୁହଁରୁ ହାତ ଘୁଞ୍ଚାଇ ନେଇ ଧୀରେ ଭାବରେ କାର୍ଟନ କହି ଚାଲିଲେ—“ଭୟ କରିବେ ନାହିଁ, ଶୁଣନ୍ତୁ, ଯାହା କହିବି ଶୁଣି ଶିହରି ଉଠିବେ ନାହିଁ । ଲୋକେ କହନ୍ତି—‘ଆହା, ପିଲାଟା ମରିଗଲା, ନ ହେଲେ ଖୁବ୍ ବଡ଼ ହୋଇଥାନ୍ତା ।’ ମୁଁ ସେହିଭଳି ମରିଯାଇଛି—ତା ନ ହେଲେ ବଡ଼ ହୋଇପାରିଥାନ୍ତି ।”

 

ଲୁସି କହିଲେ—“କାହିଁକି ଏ କଥା କହୁଛନ୍ତି ? ମୋର ତ ମନେହୁଏ, ଏବେ ବି ଆପଣଙ୍କର ସମୟ ଅଛି—ଇଚ୍ଛାକଲେ ଆପଣ ବର୍ତ୍ତମାନ ମଧ୍ୟ ଜଣେ ଯୋଗ୍ୟ ବ୍ୟକ୍ତି ହୋଇପାରନ୍ତି-।”

 

—“ଆପଣଙ୍କ ଯୋଗ୍ୟ ? ଆପଣ ମୁହଁରେ ଥରେ କହନ୍ତୁ ମିସ୍ ମାନେଟ୍‍ ! ବିଶ୍ୱାସ କରିବାର କଥା ନ ହେଲେ ମଧ୍ୟ ସେ କଥାଟି ମୁଁ ସାରା ଜୀବନ ମନେ ରଖିବି—ସାରା ଜୀବନ ।”

 

ଲୁସିଙ୍କର ମୁହଁ ବିବର୍ଣ୍ଣ ହୋଇଗଲା । ସେ କମ୍ପିବାକୁ ଲାଗିଲେ । ସିଡ଼୍‍ନି କହି ଚାଲିଲେ–“ମୋତେ ଦେଖନ୍ତୁ । ନିଜକୁ ନଷ୍ଟ କରିଛି । ଦେହଟାକୁ ଧ୍ଵଂସ କରିଛି—ମାତାଲ୍ । ପ୍ରତିଭାର ଅପଚୟ କରି କରି ଆଜି ଅନ୍ତଃସାରଶୂନ୍ୟ । ଏହି ଅପଦାର୍ଥ ଜୀବର ଭଲ ପାଇବାର ପ୍ରତିଦାନ ଦେବା ଯଦି ନିଜ ପକ୍ଷରେ ସମ୍ଭବ ହୁଅନ୍ତା । ତାହେଲେ ମୁଁ ଖୁସି ହୁଅନ୍ତୁ ନାହିଁ ସେଥିରେ । ମୁଁ ଜାଣେ, ତାହେଲେ ମୋଦ୍ଵାରା ଗୋଟିଏ କାମ ହୋଇପାରନ୍ତା । ଆପଣଙ୍କୁ କଳଙ୍କିତ କରି ଅନୁତାପ ଓ ମନସ୍ତାପରେ ଜାଳିପୋଡ଼ି ନିଜ ସାଥିରେ ଆପଣଙ୍କୁ ନେଇ ନରକକୁ ଓହ୍ଲାଇଯାନ୍ତି । ତା’ ଛଡ଼ା ଅନ୍ୟ କିଛି ମୋ ପାଖରେ ନାହିଁ । ତେବେ ସେ ସବୁ କଥା ଅବାନ୍ତର । ମୁଁ ଜାଣେ, ମୋ ପାଇଁ କୌଣସି କରୁଣା ଆପଣଙ୍କ ଅନ୍ତରରେ ଥାଇପାରେ ନା । ମିସ୍ ମାନେଟ୍‍, ଏଥିରେ ମୁଁ ଆନନ୍ଦିତ ।”

 

—‘‘ସେ କରୁଣା ଯଦି ନ ଥାଏ ତେବେ ମଧ୍ୟ କଣ ଆପଣଙ୍କର କୌଣସି ଉପକାରରେ ମୁଁ ଆସିପାରିବି ନାହିଁ ? ମହତ୍ତରୁ ପଥରେ କଣ ଆପଣଙ୍କୁ ପୁଣି ଠିଆ କରାଇ ପାରିବି ନାହିଁ ? ଆପଣ ଯେ ବିଶ୍ୱାସ କରି ଆପଣଙ୍କ ହୃଦୟର ଗୋପନ ବ୍ୟଥାର ଇତିହାସ ମୋତେ ଜଣାଇଛନ୍ତି ତାର ପ୍ରତିଦାନରେ କଣ କୌଣସି ଉପକାର ମୁଁ କରିପାରିବି ନାହିଁ ?”

 

ଲୁସିଙ୍କର ଆଖି ଦିଓଟିରେ ଲୁହ ଭରିଗଲା । ସେ କାତରରେ କହିଲେ—“ଆପଣଙ୍କର କଣ କୌଣସି ଉପକାରରେ ମୁଁ ଆସି ପାରିବି ନାହିଁ ?”

 

ସିଡ଼୍‍ନି ମଥା ହଲାଇ କହିଲେ—“ନାଁ ନାଁ ତେବେ ଆଉ ଦି’ ଚାରିଟା କଥା କହିବାର ଅଛି। ତାହା ଯଦି ଧୈର୍ଯ୍ୟର ସହିତ ଶୁଣନ୍ତି ତାହେଲେ ମୋର ବହୁ ଉପକାର ହେବ । ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ—ମୋ ଜୀବନରେ ଏହି ଅଳ୍ପ କିଛିଦିନ ପୂର୍ବେ ଗୋଟିଏ ମାତ୍ର ସୁଖ ସ୍ଵପ୍ନର ଉଦୟ ହୋଇଛି—ସେ ସ୍ଵପ୍ନ ଆପଣ । ଏ ଘରର ସୁଖୀ ପରିବାର ଭିତରେ ଆପଣଙ୍କୁ ଦେଖିବା ପରେ ପ୍ରତ୍ୟହ ଅନ୍ତତଃ ଥରେ ମୋର ମନେ ହୋଇଛି ମୋର ଶୈଶବର କଥା—ଯେଉଁ କଥା ମୋ ମନକୁ କେବେ ଆଗରୁ ଆସିନାହିଁ । ସେଠାରେ ଏପରି ନିର୍ମଳ ଅବ୍‍ହାଓ୍ୱା ଚିରଦିନ ବିରାଜମାନ ଥିଲା । ମୋର ଦେବୀପରି ମାଆ ଥିଲେ । ଆପଣଙ୍କ ସଙ୍ଗରେ ପରିଚିତ ହେବା ପରେ ମଝିରେ ମଝିରେ ମନସ୍ତାପ ମୋ ପ୍ରାଣରେ ଦେଖାଦେଇଛି—ହାୟ, ମୁଁ କେତେ ତଳକୁ ଓହ୍ଲାଇଛି ! ଆପଣଙ୍କ ନିକଟକୁ ଆସିବା ପରେ ମଝିରେ ମଝିରେ ଶୁଣିବାକୁ ପାଇଛି କାହାର ଯେପରି ବିସ୍ମୃତ କିନ୍ତୁ ପରିଚିତ କଣ୍ଠସ୍ଵର—‘ଉଠ, ଏହି ପଙ୍କ ଭିତରେ ଆଉ ପଡ଼ିରହନା । ଚାଲ ଆଲୋକକୁ ।’ ମୋର ମନରେ ଜାଗିଛି ସଂକଳ୍ପ—ହଁ ମୁଁ ଉଠିବି, ପୁଣି ଉଠିବି । ଏହି ଆଳସ୍ୟ ଓ ଲାଲସାର ଦାସତ୍ଵ ଝାଡ଼ି ତଳେ ପକାଇ ପୁଣି ନୂତନ ଭାବରେ ଆରମ୍ଭ କରିବି ଜୀବନ ସଂଗ୍ରାମ—ଯେଉଁଥିରେ ଭୟାର୍ତ୍ତ ପରି ପଳାଇ ଆସି ସମସ୍ତଙ୍କ ପଛରେ ମୁଁ ଲୁଚିଛି; କିନ୍ତୁ ସେ ସଂକଳ୍ପ ଅଧା ତିଆରି ହୋଇ ରହିଛି ଚିରଦିନ-। ପୂରାପୂରି ଗଢ଼ିପାରିନି କୁମାରୀ ମାନେଟ୍‍ ! ଶେଷପର୍ଯ୍ୟନ୍ତ ସେଇଟା ଗୋଟାଏ ସୁଖ-ସ୍ଵପ୍ନ ହୋଇ ରହିଗଲା । ମୋ ଜୀବନରେ ସ୍ଵପ୍ନ ମଧ୍ୟ ଆଜିକାଲି କ୍ଵଚିତ୍ ଆସେ; ତେଣୁ ଏହାର ମୂଲ୍ୟ ମୋ ନିକଟରେ ଅଛି ଏବଂ ସେଥିପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ । ମୋ ଜୀବନରେ ଏ ସ୍ଵପ୍ନର ଉଦୟ ଆପଣଙ୍କ ପାଇଁ କେବଳ ସମ୍ଭବ ହୋଇ ପାରିଥିଲା ।

 

ଲୁସି ବ୍ୟଥିତ କଣ୍ଠରେ କହିଉଠିଲେ—“ମିଷ୍ଟର୍ କାର୍ଟନ, ଆପଣଙ୍କର ସ୍ଵପ୍ନ କଣ କେବଳ ସ୍ଵପ୍ନ ହୋଇ ରହିଯିବ ? ତିଳେହେଲେ କଣ ସତ୍ୟ ରହିବ ନାହିଁ ଆପଣଙ୍କ ଜୀବନରେ ?”

 

—“ନାଁ, ସେ ଆଶା ନାହିଁ । ଏ ଜୀବନଟା ଏକ ପାଉଁଶ ଗଦା । କଣାଏ ନିଆଁ ଯଦି ଥାନ୍ତା ଏଥିରେ, ତାହାରି ଆଲୋକରେ ହୁଏତ ଉପରକୁ ଉଠିବାକୁ ଭାବି ପାରନ୍ତି; କିନ୍ତୁ ଏହି ପାଉଁଶ ଗଦା ମୁହୂର୍ତ୍ତକ ପାଇଁ ଉଜ୍ଜ୍ୱଳ ହୋଇ ଉଠିଥିଲା ଆପଣଙ୍କ ଦର୍ଶନରେ । ତାହା ମୁଁ ଭୁଲି ପାରିବି ନାହିଁ-। ଭୁଲି ପାରିବି ନାହିଁ; କିନ୍ତୁ ଉଠି ବି ପାରିବି ନାହିଁ । ନିଆଁ ଜଳି ସଙ୍ଗେ ସଙ୍ଗେ ଲିଭିଯାଇଛି । ସେ ପବିତ୍ରର ଅଗ୍ନିକୁ ଜଳାଇ ରଖିବାକୁ ଏପରି କାଠଗଣ୍ଡି ତ ଏ ପାଉଁଶଗଦାରେ ନ ଥିଲା । ପ୍ରେରଣା ଆପଣ ଦେଇଥିଲେ; କିନ୍ତୁ ମୋ ଅନ୍ତରରେ ସେ ସତଚେତନା କାହିଁ ଯେ, ସେ ପ୍ରେରଣାରେ କାର୍ଯ୍ୟ ହେବ ?”

 

—“ଆପଣଙ୍କର ଦୁଃଖକୁ ତାହେଲେ ମୁଁ ବଢ଼ାଇ ଦେଲି—ମୋର ଦୁର୍ଭାଗ୍ୟ ।” କାତରରେ ଲୁସି କହିଲେ ।

 

—“ନା, ନା,ଏପରି କଥା କହିବେ ନାହିଁ । କେହି ଯଦି ମୋତେ ଉଦ୍ଧାର କରିପାରେ ସେ କେବଳ ଆପଣ; କିନ୍ତୁ ଉଦ୍ଧାର ହେବାର ଶକ୍ତି ମୋର ନାହିଁ; ତାହା ହରାଇଛି । ଦୀର୍ଘଦିନର ଅନାଚାରରେ ତାହା ଚାପିହୋଇ ନଷ୍ଟ ହୋଇଯାଇଛି । ତାକୁ ଆଜି ଖୋଜି ପାଇବା ସମ୍ଭବ ନୁହେଁ ।”

 

—“ଆପଣଙ୍କର କଣ କିଛି ଉପକାରରେ ତା ହେଲେ ମୁଁ ଲାଗି ପାରିବି ନାହିଁ ?”

 

—‘‘ଆପଣ ଧୈର୍ଯ୍ୟ ସହକାରେ, ସମବେଦନାର ସହ ଏହି ଅପଦାର୍ଥ ଜୀବର ଦୁଃଖ ଶୁଣିଛନ୍ତି । ଏଥିରେ ବହୁତ ଉପକାର ମୋର ହେଲା । ବିଶ୍ୱାସ କରନ୍ତୁ ମିସ ମାନେଟ୍‍, ଏହି ଏକାନ୍ତରେ ବସି ଆପଣଙ୍କ ପାଖରେ ମୋର ମନର ଗୋପନ ବ୍ୟଥା ଜଣାଇପାରୁଛି, ଏ ସୌଭାଗ୍ୟ କଥା ଜୀବନରେ ଶେଷ ଦିନ ପର୍ଯ୍ୟନ୍ତ ମୁଁ ମନେ ରଖିପାରିବି । ଚିରଦିନ ଏହାର ସ୍ମୃତି ମୋତେ ଗଭୀର ଆନନ୍ଦ ଦେବ । ହଁ, ଏ କଥା ଆପଣ ଗୋପନ ରଖିବେ ତ ! ଆପଣଙ୍କ ନିକଟରେ ଏହାହିଁ ମାଗୁଣି ।”

 

“ଅବଶ୍ୟ ।”

 

“ଆପଣଙ୍କର ଅତି ପ୍ରିୟ ବ୍ୟକ୍ତି—ପ୍ରିୟତମ ନିକଟରେ ବି କେବେ ଏ କଥା ପ୍ରକାଶ କରିବେ ନାହିଁ ତ ?”

 

ଲୁସି ଟିକିଏ ଇତସ୍ତତଃ ହୋଇ କହିଲେ—“ଆପଣଙ୍କର ଗୋପନ କଥା ପ୍ରକାଶ କରିବାକୁ ମୋର ଅଧିକାର ବା କଣ ଅଛି ? ଆପଣ ଚିନ୍ତା କରିବେ ନାହିଁ—ଏ କଥା କେହି ଜାଣିବେ ନାହିଁ ।’’

 

“ଧନ୍ୟବାଦ ! ଆପଣଙ୍କ ଉପରେ ଭଗବାନଙ୍କର ଆଶିଷ ବୃଷ୍ଟି ହେଉ ।”

 

ବିଦାୟ ନେଇ ଦ୍ୱାର ପର୍ଯ୍ୟନ୍ତ ଆଗେଇ ଯାଇ ପୁଣି ଫେରି ଠିଆହେଲେ ସିଡ଼୍‍ନି— “ଆପଣଙ୍କର ଭୟ ନାହିଁ ମିସ୍ ମାନେଟ୍‍ ! ଏ ସମ୍ପର୍କରେ ଆଲୋଚନା ଆଉ କେବେ ମୋ ମୁହଁରେ ଶୁଣିବେ ନାହିଁ । ଆଜି ଯେଉଁ କଥା ଶୁଣିଲେ ତାହା କେବଳ ମୁଁ ଗୋଟାଏ ପ୍ରଲୋଭନ ଦମନ କରିପାରିନି ବୋଲି ପ୍ରକାଶ ପାଇଲା । କଣ ପ୍ରଲୋଭନ ଜାଣନ୍ତି ? ମୁଁ ସମସ୍ତ ଜାବନ ମନେ ମନେ ଅନୁଭବ କରିବାକୁ ଚାହେଁ ଯେ ମୋର ଗୋପନ କଥା ମୋର ଅନ୍ତରରେ କେବଳ ଆବଦ୍ଧ ନୁହେଁ–ମୋର ଗୋପନ ବ୍ୟଥା ଗୋପନରେ ବହନ କରିବାପାଇଁ ଆଉ ଜଣେ ଅଂଶୀଦାର ମଧ୍ୟ ଅଛି-। ମୋର ନାମ, ଅକୀର୍ତ୍ତି, ଭଲ ପାଇବାର ବିଫଳ କାହାଣୀ ଯେ ଆପଣଙ୍କର କୋମଳ ହୃଦୟର ଏକ କୋଣରେ ଚିରଦିନ ପାଇଁ ଟିକିଏ ସ୍ଥାନ ଲାଭ କଲା ଏ ମୋର ପରମ ସୌଭାଗ୍ୟ କୁମାରୀ ମାନେଟ୍‍-। ଏହା ମୋର ଆଶାତୀତ ଆନନ୍ଦ ।’’

 

ଲୁସି ଆଖିରେ କାର୍ଟନଙ୍କ ଯେଉଁ ମୂର୍ତ୍ତି ଏତେଦିନ ହେଲା ପଡ଼ିଛି ତାଠାରୁ ଏହା ଅଲଗା । ତାଙ୍କୁ ବିଦାୟ ଦେବା ସମୟରେ ପଦଟିଏ ସାନ୍ତ୍ୱନାଦାୟକ କଥା କହିବାର ରାସ୍ତା ନ ପାଇ ଲୁସି ବ୍ୟଥିତ ହୃଦୟରେ ଅଶ୍ରୁବର୍ଷଣ କରିବାକୁ ଲାଗିଲେ । ସିଡ଼୍‍ନି ସେ ଅଶ୍ରୁ ଦେଖି କହିଲେ—‘‘କୁମାରୀ ମାନେଟ୍‍ କାନ୍ଦିବେ ନାହିଁ—କାହାପାଇଁ କାନ୍ଦୁଛନ୍ତି ? ମୁଁ ଗୋଟାଏ ଅପଦାର୍ଥ—ପଶୁ ! ଏଠାରୁ ବାହାରି ଯାଇ ସେ ପଶୁ ପୁଣି ଯେ ତାର ଅଭ୍ୟସ୍ତ ପଙ୍କକାଦୁଅ ଭିତରେ ପଶିବ—କାହାପାଇଁ ଦୁଃଖ କରୁଛନ୍ତି ? ତେବେ ହଁ: ମୁଁ ଯେତେ ତଳକୁ ଗଲେ ମଧ୍ୟ—ଯେଉଁ ନରକରେ ଥାଏ ନା କାହିଁକି ଆପଣଙ୍କୁ ସେବା କରିବାର ସୁଯୋଗ ଯଦି କେବେ ପାଏ, ପ୍ରାଣ ଦେଇ ମଧ୍ୟ ମୁଁ ତାହା କରିବି—ଏ କଥା ବିଶ୍ୱାସ କରନ୍ତୁ ମିସ୍ ମାନେଟ୍‍—ମୁଁ ପ୍ରାଣ ଦେଇ ତାହା ସମ୍ପାଦନ କରିବି । ଆପଣ ସୁଖୀ ହୁଅନ୍ତୁ । କିନ୍ତୁ ଅନୁରୋଧ, ସବୁ ସୁଖ ଭିତରେ ଯେପରି ଆପଣଙ୍କର ସ୍ମରଣ ଥାଉ ଯେ ଆପଣଙ୍କ ସୁଖପଥରୁ କଣ୍ଟା ଦୂର କରିବା ପାଇଁ ପ୍ରାଣପର୍ଯ୍ୟନ୍ତ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଗୋଟିଏ ଜୀବ ଏ ପୃଥିବୀରେ ଅଛି—ତା ନାଁ ସିଡ଼୍‍ନି କାର୍ଟନ ।”

Image

 

। ଛଅ ।

 

ପାଞ୍ଚବର୍ଷ ପରେ—

 

ଲଣ୍ଡନରେ ସୋହୋପଲ୍ଲୀର ଗୋଟିଏ ଘରେ ଗୋଟିଏ ସୁଖୀ ପରିବାର ଥିଲେ—ସେ ଡାର୍ନେଙ୍କ ପରିବାର । ଡାର୍ନେ ଲୁସିକୁ ବିବାହ କରିଛନ୍ତି । ଲୁସି ମାନେଟ୍‍ ଆଜି ଲୁସି ଡାର୍ନେ । ସେମାନଙ୍କର ଗୋଟିଏ ଛୋଟ ଝିଅ ହୋଇଛି । ମାଆ ନାମରେ ତାକୁ ଡକାଯାଏ ଲିଟ୍‍ଲି ଲୁସି ବା ଛୋଟ ଲୁସି । ଏଇ କେଇଟି ଲୋକଙ୍କୁ ନେଇ ପରିବାର । ଏ ପରିବାରରେ ନଥିଲେ ମଧ୍ୟ ଏମାନଙ୍କର ଜଣେ ଆପଣାର ବିଶିଷ୍ଟ ବନ୍ଧୁ ଅଛନ୍ତିସେ ହେଉଛନ୍ତି ମିଷ୍ଟର ଲରି, ଟେଲସନ୍ ବେଙ୍କ୍‍ର କର୍ମାଧାକ୍ଷ ।

 

ଏହି ପରିବାର ଭିତରେ ବେଳେ ବେଳେ ଘଣ୍ଟାଏ ଦୁଇଘଣ୍ଟା ପାଇଁ ଜଣେ ସୁପରିଚିତ ଅତିଥିଙ୍କର ଦେଖା ମିଳେ, ସେ ହେଉଛନ୍ତି ସିଡ଼୍‍ନି କାର୍ଟନ । ବର୍ଷ ଭିତରେ ତିନି ଚାରି ଥରରୁ ଅଧିକ ଥର ସେ ଆସନ୍ତି ନାହିଁ ଓ ଆସି ଛୋଟ ଲୁସି ଛଡ଼ା ଅନ୍ୟ କାହା ସହିତ ବେଶି କଥା କହନ୍ତିନି । ଦୁଇ ଚାରିଘଣ୍ଟା ରହି ତାପରେ ସେ ପୁଣି ଚାଲିଯାନ୍ତି । ଦିନକୁ ଦିନ ଆସ୍ତେ ଆସ୍ତେ ସେ ଯେ ତଳକୁ ଗତି କରୁଛନ୍ତି, ତାହା ତାଙ୍କ ଚେହେରା ଦେଖିଲେ ମନେହୁଏ । ମୁହଁରେ ଭଦ୍ରତାର ଅଭାବ ନ ଦେଖାଇ ଅନ୍ତରରେ ଲୁସି ଛଡ଼ା ଅନ୍ୟ ସମସ୍ତେ ତାଙ୍କୁ ହେୟଜ୍ଞାନ କରନ୍ତି । ମାତ୍ର ଲୁସିର ହୃଦୟ ବେଦନାରେ କରୁଣ ହୋଇଉଠେ ସିଡ଼୍‍ନିକୁ ଦେଖିଲେ ।

 

ସେ ପଟେ ପ୍ୟାରିସ୍ ନଗରୀର ଡିଫାର୍ଜ ମଦ ଦୋକାନ ଆଗରେ ଭିଡ଼ ବେଶ ହୋଇଛି । ମାଡ଼ାମ୍‍ ଡିଫାର୍ଜ ଅବିରାମ ଗତିରେ ସିଲାଇ କରୁଛି । ସେ ଏକା ନୁହନ୍ତି—ସେ ଦୋକାନର ଗୋଟିଏ ପାଖରେ ବହୁ ସ୍ତ୍ରୀଲୋକ ସିଲାଇ ନେଇ ବସନ୍ତି । ସଙ୍କେତରେ କଥାବାର୍ତ୍ତା । ଗୁପ୍ତଚର ଭୟରେ ମଝିରେ ମଝିରେ ସମସ୍ତେ ଚକିତ ହୁଅନ୍ତି । ଡିଫାର୍ଜ ମଧ୍ୟ ସବୁବେଳେ ସତର୍କ ।

 

ଦିନେ ଗଭୀର ରାତିରେ—ଦୋକାନ ବନ୍ଦ କରି ଡିଫାର୍ଜ ଦମ୍ପତି ଚୁପ୍‍ଚୁପ୍ କଥା ହେଉଛନ୍ତି । ସ୍ଵାମୀ କହୁଛି—ଆଉ କେତେ ଦିନ ? କେତେ ଦିନ ଆଉ ପୁଣି ଅପେକ୍ଷା କରିବାକୁ ହେବ ?”

 

ସ୍ତ୍ରୀ କହିଲା—“ହୁଏତ ବହୁଦିନ । ଜମି ପ୍ରସ୍ତୁତ କରିବା ସମୟଟା ଦୀର୍ଘ ହୋଇଥାଏ । ଭୂମିକମ୍ପର କଥା ଭାବ । ମିନିଟ୍‍କରେ ସମଗ୍ର ଦେଶଟା ଧ୍ଵଂସ ହୋଇଯାଏ; କିନ୍ତୁ ଭୂମିକମ୍ପ ଉପଯୋଗୀ ଅବସ୍ଥା ତିଆରି ହୁଏ ମନୁଷ୍ୟର ଆଖି ଆଢ଼ୁଆଳରେ ଦୀର୍ଘଦିନ ଧରି । ବଜ୍ରପାତର କଥା ଭାବ । ବଜ୍ର ମଥାରେ ପଡ଼ିଲେ ମୁହୂର୍ତ୍ତକରେ ମଣିଷ ମରେ; କିନ୍ତୁ ବଜ୍ରପାତ ଉପଯୋଗୀ ଅବସ୍ଥା ଦୀର୍ଘଦିନ ଧରି ତିଆରି ହୁଏ । ଆମେ ମଧ୍ୟ ପ୍ରସ୍ତୁତ ହେଉଛୁ । ଦିନେ ବଜ୍ର ପରି ଅତ୍ୟାଚାରୀର ମଥା ଉପରେ ପଡ଼ିବା, ଭୂମିକମ୍ପ ପରି ଆସି ଗୁଣ୍ଡ କରିଦେବା ଅତ୍ୟାଚାରୀ ବଡ଼ଲୋକଙ୍କର ସମସ୍ତ ଶକ୍ତି ।”

 

ସ୍ଵାମୀ କହିଲା—“ଦିନେ ? ଆମେ ବଞ୍ଚି ଥାଉଁ ଥାଉଁ କଣ ସେଦିନ ଆସିବ ?”

 

—“ନ ଆସିଲା ବା, ପ୍ରସ୍ତୁତି ଚାଲିଛି ତ ? ଦେଶର ପ୍ରତି ନଗରରେ ପ୍ରତି ଗ୍ରାମରେ ଜେକ୍‌ସ ସଙ୍ଘ ଗଢ଼ି ଉଠୁଛି । ପୁଲିସ ଦଳରେ ଜେକ୍‌ସ, ସୈନ୍ୟ ଦଳରେ ଜେକ୍‌ସ, ଦୋକାନରେ ଜେକ୍‌ସ, ହୋଟେଲରେ ଜେକ୍‌ସ । ଦିନେ ଗୋଟିଏ ଶୁଭ ମୂହୁର୍ତ୍ତରେ ଏମାନେ ମଥା ହଲାଇ ଜାଗି ଉଠିବେ । ଅତ୍ୟାଚାରୀ ରାଜାମାନଙ୍କ ସିଂହାସନ ଟଳମଳ ହୋଇ ମାଟିରେ ପଡ଼ି ଚୂରମାର ହୋଇଯିବ । ପ୍ରତୀକ୍ଷା କରିବାକୁ ହେବ ।”

 

କିନ୍ତୁ ପ୍ରତୀକ୍ଷା ଆଉ ବେଶି ଦିନ କରିବାକୁ ପଡ଼ିଲାନାହିଁ । ବାସୁକୀର ସହସ୍ରଫଣା ଜାଗି ଉଠିଲା । ଧରଣୀ କମ୍ପି ଉଠିଲା । ଆକାଶରେ ଦେଖାଦେଲା ବିଦ୍ରୋହର ବିଦ୍ୟୁତ୍ ।

 

ଦିନେ ଦେଖାଦେଲା ଯେପରି ଦୁସ୍ଥ, ଶୁଷ୍କ ହଜାର ହଜାର ଗେଣ୍ଡାଳିଆ ଉଡ଼ୁଛନ୍ତି ଡିଫାର୍ଜ ଦୋକାନ ପାଖରେ । ଏମାନେ ମଣିଷ । ଏମାନଙ୍କ ମଥା ଉପରେ ଇସ୍ପାତ୍‍ର ଚକ୍‍ମକି ବେଳେ ବେଳେ ଖେଳିଯାଉଛି । ଯାହା ଅସ୍ତ୍ର ହାତକୁ ଆସିଛି ତାକୁ ନେଇ ଏମାନେ ଦୌଡ଼ି ଆସିଛନ୍ତି । ସେଣ୍ଟ ଆଣ୍ଟଇନ୍ ବସ୍ତିଟା ସାରା ଗୋଟିଏ ସ୍ଵରରେ ଗର୍ଜନ କରୁଛି । ହଜାର ହଜାର ଅନାବୃତ ବାହୁ ଉପରକୁ ଉଠୁଛି, ହଲୁଛି, ଶୀତ ଦିନରେ ପତ୍ରଝଡ଼ା ଅରଣ୍ୟରେ ମଳିନ କଳା ବୃକ୍ଷଶାଖା ପରି ।

 

ହାତରେ ଅସ୍ତ୍ର ହଜାର ହଜାର ସଂଖ୍ୟାରେ । ସେମାନେ କିନ୍ତୁ ଜାଣିପାରନ୍ତି ନାହିଁ କୁଆଡ଼ୁ ଆସିଲା ଏତେ ଅସ୍ତ୍ର । ଅଜଣା ଲୋକମାନେ ଭିଡ଼ ଭିତରେ ଅସ୍ତ୍ର ବିତରଣ କରୁଛନ୍ତି । ବନ୍ଧୁକ, କାର୍ଟିଜ୍, ବାରୁଦ, ଲୁହାର ବାଡ଼ି, ବାଉଁଶ ଠେଙ୍ଗା, କାଠର ମୁଦ୍‍ଗର, ଛୁରି, କଟୁରି, କୋଦାଳ, କୁଠାର–ଯାହା ଆଘାତ କରିବାପାଇଁ ବ୍ୟବହାର କରାଯାଇପାରେ । ଏପରି କୌଣସି ଜିନିଷ ବାଦ୍ ପଡ଼ିନାହିଁ । ଯେଉଁମାନଙ୍କ ହାତରେ କୌଣସି ହତିଆର ପଡ଼ିଲା ନାହିଁ ସେମାନେ ରାସ୍ତା ଖୋଳି ପଥର ଓ ଇଟା ଉଠାଇବାକୁ ଲାଗିଲେ । ସେଣ୍ଟ ଆଣ୍ଟଇନ୍‍ର ପ୍ରତ୍ୟକଟା ଲୋକ ଯେପରି ଆଜି ପାଗଳ ହୋଇଉଠୁଛି । ସେମାନଙ୍କର ନାଡ଼ୀ ଦପ୍ ଦପ୍ କରୁଛି, ଜଳୁଛି ଲାଲ ଆଖି । ଜୀବନଟାକୁ ସମସ୍ତେ ମନେ କରୁଛନ୍ତି ଖେଳ ଏବଂ ସେ ଖେଳର ବସ୍ତୁଟିକୁ ଗୁଣ୍ଡ କରି ଭାଙ୍ଗିବା ପାଇଁ ଉନ୍ମୁଖ ଏହି ହଜାର ହଜାର ଲୋକ ଜମା ହୋଇଛନ୍ତି ଡିଫାର୍ଜ ଦୋକାନ ଆଗରେ ଏହି ଅବିସ୍ମରଣୀୟ ପ୍ରଭାତରେ ।

 

ଗେଣ୍ଡାଳିଆମାନେ ଡିଫାର୍ଜକୁ କେନ୍ଦ୍ରକରି ବୁଲୁଛନ୍ତି । ଏ ମହାଯଜ୍ଞର ସେ ପ୍ରଧାନ ପୁରୋଧା । ଅସ୍ତ୍ର ଯୋଗଇବାରେ ଡିଫାର୍ଜ, ଆଦେଶ ଦେବାରେ ଡିଫାର୍ଜ—ସବୁ ବ୍ୟାପାରରେ ଡିଫାର୍ଜ । କାହାକୁ ପଛକୁ ଠେଲିଦେଉଛି, କାହାକୁ ଆଗକୁ ଟାଣି ଆଣୁଛି, କାହାକୁ ଅସ୍ତ୍ର ଦେଉଛି, କାହାର ଅସ୍ତ୍ର କାଢ଼ି ନେଉଛି । ହୁକୁମ ଦେଉଛି, ଶାସନ କରୁଛି; ମିନିତି କରୁଛି, ତାର ଦିହରେ ବାରୁଦର ଗନ୍ଧ । ଚରଖି ପରି ସେ ଅନବରତ ଘୂରୁଛି ।

 

—“ତିନ୍ ନମ୍ବର ଜେକ୍‌ସ ମୋ ପାଖରେ ଥାଅ”—ସେ ଚିତ୍କାର କଲା । ‘‘ଏକ ନମ୍ବର ଦୁଇନମ୍ବର ଜେକ୍‍ସ ତମେ ଗୋଟାଏ ଗୋଟାଏ ଦଳର ନେତୃତ୍ଵ ଗ୍ରହଣ କରଆଗେଇ ଦିଅ । ମୋର ସ୍ତ୍ରୀ କାହିଁ ?” ମାଡ଼ାମ୍‍ ଡିଫାର୍ଜର ଉତ୍ତର ପାଖରେ ଶୁଣାଗଲା । ସେ ପାଖରେ ଠିଆ ହୋଇଥିଲା । ଆଜି ହାତରେ ସିଲାଇ ନାହିଁ–ତା’ ବଦଳରେ ଗୋଟାଏ କୁଠାର । ଅଣ୍ଟାରେ ଖଣ୍ଡିଏ ତୀକ୍ଷଣ ଛୁରା ଓ ଗୋଟିଏ ଗୁଳିଭରା ପିସ୍ତଲ । ଡିଫାର୍ଜ ପଚାରିଲା—“ତମେ କୁଆଡ଼କୁ ଯିବାକୁ ଚାହଁ-?”

 

“ବର୍ତ୍ତମାନ ତମ ସାଙ୍ଗରେ ଯାଉଛି । କିନ୍ତୁ ମୁଁ ନେବି ଝିଅମାନଙ୍କର ନେତୃତ୍ଵ । ଶୟତାନମାନଙ୍କୁ ହତ୍ୟା କରିବାରେ ଝିଅମାନେ କଣ ଅକ୍ଷମ ?”

 

ବଜ୍ରନିର୍ଘୋଷରେ ଡିଫାର୍ଜ ଚିତ୍କାର କରି ଉଠିଲା—“ହେ ଦେଶ ପ୍ରେମିକ ବନ୍ଧୁମାନେ ଆମେ ପ୍ରସ୍ତୁତ—ଚାଲ, ବ୍ୟାଷ୍ଟିଲ୍‍କୁ ଚାଲ ।”

 

ସହସ୍ରକଣ୍ଠ ଗର୍ଜିଉଠିଲା । ବିରାଟ ଜନତା ଏଥର ଛୁଟିଲା—ଯେପରି କୂଳ ଲଙ୍ଘି ସମୁଦ୍ର ଛୁଟିଛି ଆଗକୁ । ସମସ୍ତ ସହର ସେହି ତରଙ୍ଗରେ ପ୍ଳାବିତ ହୋଇଗଲା । ଗୀର୍ଜାରେ ବାଜୁଛି ଆତଙ୍କର ଘଣ୍ଟା–ଅନ୍ୟପାଖରେ ଜୟଧ୍ଵନି—ଜୟବାଦ୍ୟ ଶୁଭୁଛି । ଉଦବେଳ ସମୁଦ୍ର ଯେପରି ଧାଇଁ ଯାଇ ଧକ୍କାଦେଲା ବ୍ୟାଷ୍ଟିଲ୍ କାରାଦୁର୍ଗର ପ୍ରାଚୀର ଉପରେ । ବ୍ୟାଷ୍ଟିଲର ଚାରିପଟେ ଗଭୀର ପରିଖା, ଟଣାପୋଲ–କେବଳ ପଥରର ବିରାଟ ପ୍ରାଚୀର; ତା ମଥାରେ ଆଠଟି ଗମ୍ବୁଜ । ପ୍ରତି ଗମ୍ବୁଜ ଉପରେ କମାଣ, ବନ୍ଧୁକ, ଅଗ୍ନି ବିସ୍ଫୋରକ । ମରଣକୁ ତୁଚ୍ଛ କରି ଅଗ୍ନି ଓ ଧୂଆଁ ଭିତରେ ଆଗେଇ ଚାଲିଲା ପାଗଳ ଜନତା । ଅଗ୍ନି ଓ ଧୂଆଁ ଅତିକ୍ରମ କରି ଆଗେଇ ଯାଇ ସେମାନେ ଗମ୍ବୁଜର କମାଣ ଦଖଲ କଲେ ।

 

ମଦ-ଦୋକାନୀ ଡିଫାର୍ଜ ଆଖିର ପଲକରେ ସୈନିକ ହେଲା । ଘଣ୍ଟାପରେ ଘଣ୍ଟା କମାଣ ଚଳାଇବାକୁ ଲାଗିଲା ଦୁର୍ଗ ପ୍ରାଚୀରରେ । ଗଭୀର ପରିଖା ପାରିହୋଇ ଟଣାପୋଲ ଡେଇଁ, ବିରାଟ ପଥରର ପ୍ରାଚୀର ଲଙ୍ଘି ଗମ୍ବୁଜମାନଙ୍କର କମାଣ ପାଖରେ ଠିଆହେଲା ବିରାଟ ଜନସମୁଦ୍ର-। ଡିଫାର୍ଜ ଗର୍ଜନ କରି ଉଠୁଥାଏ—“ବନ୍ଧୁମାନେ, ବିଶ୍ରାମ ନାହିଁ । ଶତ୍ରୁକୁ ମାର, ଆଗେଇ ଚାଲ ବ୍ୟାଷ୍ଟିଲ୍ ଭିତରକୁ । ଜେକ୍‌ସ ନମ୍ବର ଏକ, ଜେକ୍‌ସ ନମ୍ବର ଦୁଇ, ଜେକ୍‌ସ ନମ୍ବର ଏକହଜାର, ଜେକ୍‌ସ ନମ୍ବର ପଚିଶ ହଜାର । ଭଗବାନଙ୍କ ଭକ୍ତ—ଭଗବାନଙ୍କୁ ଡାକ । ଶୟତାନ ତା ସଙ୍ଗୀକୁ ସ୍ମରଣ କରୁ । ଆଗେଇ ଚାଲ ବନ୍ଧୁ ! ଆଗେଇ ଚାଲ । ଶତ୍ରୁକୁ ମାର ।”

 

କମାଣ, ବନ୍ଧୁକ, ଅଗ୍ନି ଓ ଧୂଆଁ—ପୋଲ ପରେ ପୋଲ ଡେଇଁ ଚାଲିଛି ବିଦ୍ରୋହୀ ଜନସମୁଦ୍ର । ମୁକ୍ତିର ନିଶାଣ । ମଶାଲର ନିଆଁ ଜଳୁଛି । ପାଳଗଦାରେ ଯେପରି ନିଆଁ ଲାଗି ଜଳୁଛି ହୁତୁହୁତୁ । ଆର୍ତ୍ତନାଦ, ଗୋଳାବୃଷ୍ଟି ଭିତରେ ଆଗେଇ ଚାଲିଛି ବିରାଟ ଜନସମୁଦ୍ର ବ୍ୟାଷ୍ଟିଲ୍ ଭିତରକୁ-। ଉତ୍ତାଳ ଜନସମୁଦ୍ରର ତରଙ୍ଗ—ଏହି ସମୁଦ୍ର ଭିତରେ ଡୁବିଯାଉଛି ଫରାସୀ ଦେଶର ଅତ୍ୟାଚାରୀ ରାଜତନ୍ତ୍ର । ନିରୁପାୟ ହୋଇ ଧଳାପତାକା ଉଡ଼ାଇ ଦୁର୍ଗରକ୍ଷୀମାନେ ସନ୍ଧି ପାଇଁ ପ୍ରାର୍ଥନା କଲେ-। ଝଡ଼ବେଗରେ ଚାଲିଛି ଜନତା । ତାଙ୍କ ମଥାଉପରେ ଉଠିଲା ଶ୍ଵେତ ପତାକା । ଅସ୍ଥିର ଗର୍ଜନରେ ପ୍ରାଚୀର ମୁଣ୍ଡକୁ ଚାଲିଲେ ଅସ୍ଥିର ଜନତା । ସେହି ତରଙ୍ଗରେ ଡିଫାର୍ଜ ଓ ତାର ବନ୍ଧୁମାନେ ପହଞ୍ଚିଲେ ବ୍ୟାଷ୍ଟିଲ୍ ଭିତରେ ଜଣେ ପ୍ରହରୀର ଗଳାକୁ ଚାପିଧରି ଡିଫାର୍ଜ କହିଲା, “୧୦୫ ନର୍ଥ ଟାୱାର କଣ ?” ଭୀତତ୍ରସ୍ତ ପ୍ରହରୀ ବୁଝିପାରିଲା ନାହିଁ ।

 

“ସେଇଟା କଣ ବନ୍ଦୀର ନାମ—୧୦୫ ନର୍ଥ ଟାୱାର ?”

 

‘‘ଗୋଟାଏ କାରାଗୃହର ନାମ ।”

 

“ସେଇଟା ଦେଖାଇଦିଅ !”

 

କକ୍ଷ ପରେ କକ୍ଷ, ଶିଡ଼ି ପରେ ଶିଡ଼ି, ଦ୍ଵାର ପରେ ଦ୍ଵାର ପରେ ଦ୍ଵାର, ସୁଡ଼ଙ୍ଗ ପରେ ସୁଡ଼ଙ୍ଗ ପ୍ରହରୀ ପଛରେ ବୁଲି ବୁଲି ଚାଲିଲେ ଡିଫାର୍ଜ ଓ ତିନି ନମ୍ବର ଜେକ୍‌ସ । ଶେଷରେ ଗୋଟାଏ ଗାତ । କକ୍ଷ କହିବା ଭୁଲ—ଯେପରି ପଥର ଖୋଳି ତିଆରି ହୋଇଛି ସେଇଟା । ଗୋଟିଏ ଝରକା ଲାଗିଛିସେଥିରେ ମୋଟା ମୋଟା ଲୁହାଛଡ଼ ।

 

ସେହି ଘର କାନ୍ଥରେ ଡିଫାର୍ଜ ଦେଖିଲା ନିଷ୍ପ୍ରଭ ଅକ୍ଷରରେ ଲେଖା ହୋଇଛି ଗୋଟିଏ ନାମ ଆଲେକ୍‍ଜାଣ୍ଡର ମାନେଟ୍‍ । ଓଲଟ ପାଲଟ କରି ତଲାସ କଲା ଡିଫାର୍ଜ ଘର ଭିତର—ପାଇଲା ତାଡ଼ାଏ କାଗଜ । ତା ପରେ ସେମାନେ ବାହାରି ପଡ଼ିଲେ ୧୦୫ ନମ୍ବର ନର୍ଥ ଟାୱାରରୁ । ଡିଫାର୍ଜର ସନ୍ଧାନରେ ସମସ୍ତେ ସେତେବେଳେ ବ୍ୟସ୍ତ । ବିରାଟ ଜନସମୁଦ୍ରର ନେତୃତ୍ଵ ପୁଣି ନେଲା ଡିଫାର୍ଜ । ସାତଜଣ ବନ୍ଦୀଙ୍କୁ ମୁକ୍ତ କରାଗଲା । ବ୍ୟାଷ୍ଟିଲର ସବୁଠାରୁ ମଜବୁତ୍ ଉଚ୍ଚ ଗମ୍ବୁଜରୁ ଧରି ଅଣାହେଲା ସାତଜଣ ବଡ଼ ରାଜକର୍ମଚାରୀଙ୍କୁ । ତା ପରେ ଜନତା ସାତଜଣ ବନ୍ଦୀଙ୍କୁ ନେଇ ବାହାରିଲା କାରାଦୁର୍ଗରୁ । କାନ୍ଧରେ ସେମାନଙ୍କର ସାତଜଣ ମୁକ୍ତ ରାଜବନ୍ଦୀ ଓ ସେହି ଜନସମୁଦ୍ର ଉପରେ ଉଚ୍ଚ ବାଉଁଶରେ ଟଙ୍ଗା ସାତୋଟି ବନ୍ଦୀର ରକ୍ତାକ୍ତ ନରମୁଣ୍ଡଅତ୍ୟାଚାରୀ ରାଜକର୍ମଚାରୀଙ୍କର ସଦ୍ୟ କଟା ରକ୍ତାକ୍ତ ମୁଣ୍ଡ । ଯୁଗ ଯୁଗ ଧରି ଅତ୍ୟାଚାରିତ, ଅପମାନିତ ଜନତାର ସେହି ପାଗଳ ପ୍ରତିହିଂସା—ରକ୍ତର ଅକ୍ଷରରେ ଲେଖା ରହିଗଲା ମନୁଷ୍ୟର ଇତିହାସ । ଯୁଗ ବଦଳିଲା ।

 

ଦିନେ ଟେଲସନ୍ ବ୍ୟାଙ୍କର ଲଣ୍ଡନ ଅଫିସରେ ମି: ଲରିଙ୍କ ସହିତ ମିଷ୍ଟର ଚାର୍ଲସ ଡାର୍ନେଙ୍କର କଥାବାର୍ତ୍ତା ଚାଲିଥିଲା । ଟେଲସନ୍ ବ୍ୟାଙ୍କ ପ୍ୟାରିସ୍ ବ୍ୟବସାୟ କମାଇ ଦେବାକୁ ଚାହେଁ; କାରଣ ସେଠାରେ ଚଳିବା ମୁସ୍କିଲ୍ । କାଜଗପତ୍ର ଶୀଘ୍ର ଲଣ୍ଡନକୁ ନେଇ ଆସିବାକୁ ହେବ । ସବୁ ଆଣିବା ହୁଏତ ସମ୍ଭବ ହେବ ନାହିଁ; କାରଣ ଫ୍ରାନସ ସୀମାରେ ବିଦ୍ରୋହୀମାନେ କଡ଼ା ପହରା ଦେଉଛନ୍ତି । ଯାହା ଆଣିବାର ଉପାୟ ନାହିଁ ତାହା ଲୁଚାଇବାକୁ ବା ନଷ୍ଟ କରିଦେବାକୁ ହେବ । ଏ ଗୁରୁଭାର ପାଇଁ ଲରିଙ୍କୁ ଦି’ ଚାରିଦିନପାଇଁ ଯିବାକୁ ହେବ ପ୍ୟାରିସ୍ । ଡାର୍ନେଙ୍କୁ ଜଣାଇବା ପାଇଁ ସେ ଡାକି ପଠାଇଛନ୍ତି । ଡାର୍ନେ ଓ ମ୍ୟାନେଟ୍‍ଙ୍କୁ ନ ଜଣାଇ ସେ ଯାଇପାରିବେ ନାହିଁ; କାରଣ ଏ ପୃଥିବୀରେ ସେମାନେ କେବଳ ତାଙ୍କର ନିଜର ଲୋକ ।

 

ଲରି ଏ ସମୟରେ ପ୍ୟାରିସ୍ ଯିବାକଥା ଶୁଣି ଡାର୍ନେ ତଟସ୍ଥ । ପ୍ୟାରିସ୍ ଯିବେ—ଯେଉଁଠି ମୃତ୍ୟର ପ୍ରଳୟଲୀଳା ଚାଲିଛି ଚବିଶ ଘଣ୍ଟା—ଯାହାକୁ ଛାଡ଼ି ଯିବାକୁ ସମସ୍ତେ ବ୍ୟଗ୍ର । ଫ୍ରାନସର ରାଜା ଓ ରାଣୀ ବନ୍ଦୀ । ଜମିଦାର ଓ ଭୂତପୂର୍ବ ଶାସକମାନେ ଯେ ଯୁଆଡ଼େ ପଳାଉଛନ୍ତି । ଯେ ଯାଇପାରୁନି, ଗିଲୋଟିନରେ ପ୍ରାଣ ଦେଉଛି । ବଡ଼ଲୋକଙ୍କୁ ମାରିବାକୁ ଏହି ଗିଲୋଟିନ୍ ତିଆରି ହୋଇଛି । କଚ୍‍କାଚ୍ ଅସ୍ତ୍ର ପଡ଼ୁଛି ଅପରାଧୀ ମୁଣ୍ଡରେ । ଗୋଟିଏ ପରେ ଗୋଟିଏ ମଥା ତଳକୁ ଖସିପଡ଼ୁଛି । ଏହି ଗିଲୋଟିନରେ ଦିନକୁ ଶହ ଶହ ଲୋକ ପ୍ରାଣ ଦେଉଛନ୍ତି । ଯାହାକୁ ଅବିଶ୍ଵାସ ବା ସନ୍ଦେହ କରାଯାଉଛି ତାର ନିସ୍ତାର ନାହିଁ । ଗୋଟାଏ ଅଭିଯୋଗ ଥିଲେ ହେଲା । ସଙ୍ଗେ ସଙ୍ଗେ ବନ୍ଦୀ—ତାପରେ ବିଚାର ଓ ଗିଲୋଟିନ୍ ।

 

ଡାର୍ନେଙ୍କର ଅନୁନୟ ବିନୟ ଲରି ଶୁଣିଲେ ନାହିଁ । ଏତେ ଦିନ ଧରି ଟେଲସନ୍ ବ୍ୟାଙ୍କରେ ସେ କାମ କରିଛନ୍ତି । ଗିଲୋଟିନ୍ ଭୟରେ ଆଜି ସେ ନିଜ କର୍ତ୍ତବ୍ୟରେ ଅବହେଳା କରିନପାରନ୍ତି । ଲରି ହେଲେ ଇଂରେଜ; ତେଣୁ ବିଦ୍ରୋହୀମାନେ ତାଙ୍କୁ ଗିଲୋଟିନକୁ ପଠାଇବାକୁ ସହଜେ ସାହସ କରିବେ ନାହିଁ ।

 

ଡାର୍ନେ ଲରିଙ୍କୁ ନିବର୍ତ୍ତାଇ ନ ପାରିବାରୁ ବଡ଼ ଭୟ କଲେ । କିନ୍ତୁ ଉପାୟ କଣ ? ସେ ଫେରିଆସିବାକୁ ବାହାରୁଛନ୍ତି ଏପରି ସମୟରେ ବ୍ୟାଙ୍କର ମାଲିକମାନଙ୍କ ଭିତରୁ ଜଣେ ଆସି ଲରିଙ୍କ ହାତରେ ଚିଠିଟିଏ ଦେଲେ । ଚିଠିର ଉପରଟା ଅପରିଷ୍କାର ହୋଇଯାଇଛି । ଲରି ଚିଠିଟି ହାତକୁ ନେଇ କହିଲେ “ବହୁତ ଖୋଜାଖୋଜି ହେଲା—ଏ ନାମରେ ତ କେହି ମିଳିଲେ ନାହିଁ ।”

 

ଫରାସୀ ଦେଶରୁ ପ୍ରତିଦିନ ବହୁ ନୂଆ ନୂଆ ଲୋକ ଇଂଲଣ୍ଡକୁ ପଳାଇ ଆସୁଛନ୍ତି । ଜମିଦାର, ସାମରିକ କର୍ମଚାରୀ, ମନ୍ତ୍ରୀ, ମାଜିଷ୍ଟ୍ରେଟ ପ୍ରାଣ ଭୟରେ ପଳାଇ ଆସୁଛନ୍ତି । ଏମାନେ ସମସ୍ତେ ପ୍ରାୟ ବ୍ୟାଙ୍କର ଲଣ୍ଡନ ଅଫିସରେ ଦେଖାକରି ଯାଆନ୍ତି । ବ୍ୟାଙ୍କରେ ହିସାବ ଅଛି । ପରିଚିତ ବନ୍ଧୁଙ୍କ ସହିତ ସାକ୍ଷାତ୍ ପାଇଁ କେହି କେହି ଆସନ୍ତି । ଫରାସୀ ଲୋକେ ଜାଣନ୍ତି ଏହି ବ୍ୟାଙ୍କ ହିଁ ପଳାତକମାନଙ୍କର ଆଡ଼ାସ୍ଥଳୀ; ତେଣୁ କୌଣସି ପଳାତକକୁ ଚିଠି ଦେବାକୁ ହେଲେ ଟେଲସନ୍ ବ୍ୟାଙ୍କ ଠିକଣାରେ ଦେବାକୁ ପଡ଼େ । ଲରି ହାତରେ ଥିବା ଚିଠିଟି ଏହି ଜାତୀୟ ।

 

ଚିଠିଟି ଟେବୁଲ ଉପରେ ଅଛି । ଚିଠିର ଶିରୋନାମାଟି ପଢ଼ି ଡାର୍ନେଙ୍କ ଛାତି ଭିତରଟା ଧକ୍ କରିଉଠିଲା, ମଥାଟା ଘୂରିଗଲା ଲେଖାଅଛି—ମାର୍କୁଇସ୍ ଏଭରମଣ୍ଡି ।

 

ମାର୍କୁଇସ୍‍ ଏଭରମଣ୍ଡି ତ ଡାର୍ନେ ! ଗୁପ୍ତ ଘାତକ ହାତରେ ତାଙ୍କ ପିତୃବ୍ୟ ଖୁନ୍ ହେବାପରେ ଡାର୍ନେ ବର୍ତ୍ତମାନ ମାର୍କୁଇସ୍‍ ବା ଜମିଦାର । ଏହି ଅଭିଶପ୍ତ ନାମ ସହିତ କୌଣସି ସମ୍ପର୍କ ରଖିବେ ନାହିଁ ବୋଲି ସେ ଇଂଲଣ୍ଡରେ ଡାର୍ନେ ନାମରେ ପରିଚିତ; କିନ୍ତୁ କିଏ ଏହି ଚିଠି ଲେଖିଛି !

 

ଡାର୍ନେ ଲରିଙ୍କୁ କହିଲେ—“ଏଭରମଣ୍ଡି ? ସେ ଭଦ୍ରଲୋକ ତ ମୋର ପରିଚିତ ! ଚିଠିଟି ମୋତେ ଦେଲେ ମୁଁ ଦେଇ ପାରିବି ।”

 

ଲରି ଖୁସି ହୋଇ ଡାର୍ନେଙ୍କୁ ପତ୍ରଟି ଦେଲେ । ଡାର୍ନେଙ୍କର ପ୍ରକୃତ ନାମଟି ଡାକ୍ତର ମ୍ୟାନେଟ୍‍ଙ୍କ ଛଡ଼ା ଆଉ କେହି ଜାଣନ୍ତି ନାହିଁ । ଲୁସିର ବିବାହ ଦିନ ମାନେଟ୍‍ ତାହା ଜାଣିଥିଲେ । ତାହା ଜାଣି ଏ ବିବାହ ଭାଙ୍ଗି ଦେବାକୁ ତାଙ୍କର ପ୍ରବଳ ଇଚ୍ଛା ହୋଇଥିଲା; କିନ୍ତୁ ଲୁସି ମୁହଁକୁ ଚାହିଁ ସେ ଭାଙ୍ଗି ପାରିନାହାନ୍ତି ।

 

କିନ୍ତୁ ମାନେଟ୍‍ ଡାର୍ନେଙ୍କୁ ସାବଧାନ କରି ଦେଇଥିଲେ ଯେ ସେ ଯେପରି ତାଙ୍କ ଅସଲ ନାମଟି ଲୁସି ବା ଲରିଙ୍କୁ ନ କୁହନ୍ତି ।

 

ଡାର୍ନେ ଚିଠି ପଢ଼ିଲେ । ତାଙ୍କର ଫ୍ରାନସ ଦେଶସ୍ଥ ଜମିଦାରୀର କର୍ମଚାରୀ ଗେବଲ୍ ଚିଠି ଲେଖିଛି; ସେ ଏଭରମଣ୍ଡିର ଗୁମାସ୍ତା ବୋଲି ବନ୍ଦୀ ହୋଇଛି–ମୃତ୍ୟୁଦଣ୍ଡ ଶୀଘ୍ର ହେବ । ତାକୁ ବଞ୍ଚାଇବାକୁ ହେଲେ ଏଭରମଣ୍ଡିର ମାର୍କୁଇସ୍‍ ଶୀଘ୍ର ଫ୍ରାନସକୁ ଆସିବା ପ୍ରୟୋଜନ । ତା ନହେଲେ ପ୍ରଭୁଙ୍କ ଅପରାଧ ପାଇଁ ଭୃତ୍ୟର ପ୍ରାଣ ଯିବ ।

Image

 

। ସାତ ।

 

ମିଷ୍ଟର ଲରି ଇଂରେଜ; ତେଣୁ ଫରାସୀ-ବିପ୍ଳବରେ ସେ ଟିକିଏ ନିରାପଦ । ଗୃହବିବାଦ ବେଳେ ସାଧାରଣତଃ ବିଦେଶୀ ଲୋକ ଉପରେ କେହି ଆକ୍ରମଣ କରିବାକୁ ପସନ୍ଦ କରିନଥାନ୍ତି । ତେଣୁ ଲରି ପ୍ୟାରିସ୍ ଅଫିସରେ ବସି କାର୍ଯ୍ୟ କରିବାକୁ ଲାଗିଲେ ଓ କେହି ଉତ୍ପାତ କରିବାକୁ ଆସିଲେ ନାହିଁ । ଯେତେଟା ସମ୍ଭବ ଟଙ୍କାପଇସା ଲଣ୍ଡନ ପଠାଇ ଦିଆଯାଇଥିଲା । ବଳକା କେତେକ କାଗଜପତ୍ର ସେ ପୋଡ଼ିଦେଲେ ଓ କେତେକ ମାଟିତଳେ ପୋତିଦେଲେ । ସୀମାନ୍ତର କଡ଼ାପହରା ଭିତରେ ହିସାବ କାଗଜ ବାହାର କରି ସେ ନେବାକୁ ସାହସ କରିପାରିଲେ ନାହିଁ ।

 

ବ୍ୟାଙ୍କ କୋଠାର ଗୋଟିଏ ଅଂଶରେ ଲରି ବାସ କରୁଛନ୍ତି । ଘର ଭିତରଟା ନିର୍ଜନ । ଆଜିକାଲି ପ୍ୟାରିସରେ ଅନେକ ଘର ନିର୍ଜନ । ଗୋଟାଏ ଶାଣ ଦେବା ଯନ୍ତ୍ର ଘର ଆଗରେ ରଖାଯାଇଛି ଓ ସେଠାରେ ଅବିରତ ଶାଣଦିଆ କାମ ଚାଲିଛି । ଶହ ଶହ ଲୋକ ଆସୁଛନ୍ତି, ଯାଉଛନ୍ତି । ସମସ୍ତେ ହାତରେ କିଛି ନା କିଛି ଅସ୍ତ୍ର ଧରି ଶଣାପାଇଁ ଧାଇଁ ଆସୁଛନ୍ତି । ଯେଉଁମାନେ ଆସୁଛନ୍ତି ସେମାନଙ୍କ ହାତରେ ରକ୍ତ, ଲୁଗାପଟାରେ ରକ୍ତ ଓ ହତିଆରରେ ରକ୍ତ ।

 

ଦିନେ ରାତିରେ ଲରି ଘର ଭିତରେ ଏକାକୀ ରହି ଭଗବାନଙ୍କୁ ସ୍ମରଣ କରୁଛନ୍ତି ଯେ ଏହି ଯଜ୍ଞ କୁଣ୍ଡରେ ତାଙ୍କର କୌଣସି ପ୍ରିୟଜନ ନାହିଁ, ହଠାତ୍ ଅଫିସ ଘରର କଡ଼ା ହଲି ଉଠିଲା । ଲରି ସାବଧାନରେ ଦ୍ଵାର ଖୋଲିଲେ—ହୁଏତ କେହି ଦୁର୍ଭାଗା ମହକିଲ ରାତିରେ ଆଶ୍ରୟ ନେବାକୁ ଆସିଛି । ବ୍ୟାଙ୍କରେ ଜମା ଥିବା ଟଙ୍କା ପାଇଲେ ଏ ଅଭିଶପ୍ତ ପୁରୀ ଛାଡ଼ି ହୁଏତ ଚାଲିଯିବ । ଏପରି ଗଭୀର ରାତ୍ରୀରେ ଲରି ଅନେକଙ୍କୁ ଟଙ୍କା ଦେଇଛନ୍ତି—ଅବଶ୍ୟ ବ୍ୟାଙ୍କର ଟଙ୍କା ।

 

କିନ୍ତୁ ଏମାନେ କିଏ ? ମହକିଲ ତ ନୁହନ୍ତି । ଲରି ଚକିତ ହୋଇ ପଡ଼ିଲେ—ଏ ଯେ ଲୁସି, ଡାକ୍ତର ମାନେଟ୍‍ ଓ ଲୁସିର ଟିକି ଝିଅ । ଏବେ ସେ ଭଗବାନଙ୍କୁ ପ୍ରାର୍ଥାନା କରୁଥିଲେ ଯେ ତାଙ୍କର କେହି ନିଜ ଲୋକ ଏହି ପ୍ରଳୟଙ୍କରୀ ଯଜ୍ଞକୁଣ୍ଡରେ ନାହିଁ ! ହେ ଈଶ୍ଵର ! ଏପରି ନିଷ୍ଠୁର ପରିହାସ କଣ କାହା ସଙ୍ଗରେ କରିବା କଥା ?

 

ଘର ଖୋଲିବାମାତ୍ରେ ସେମାନେ ଭିତରକୁ ପଶିଗଲେ ଓ ମାନେଟ୍‍ ଧଇଁସଇଁ ହୋଇ ନିଜର କାହାଣୀ କହିଲେ—ଲରି ଯେଉଁ ଦିନ ଆସନ୍ତି, ତା’ ପରଦିନ ଡାର୍ନେ ଆସିଛନ୍ତି । ସେ କୁଆଡ଼େ ଫ୍ରାନସରୁ କଣ ଚିଠି ପାଇଥିଲେ ଯେ ଜଣକର ଜୀବନ ରକ୍ଷାପାଇଁ ତାଙ୍କର ଫ୍ରାନସ୍‍କୁ ଆସିବା ଏକାନ୍ତ ପ୍ରୟୋଜନ । ଡାର୍ନେ କାହାକୁ କିଛି ନକହି ଲୁସି ନାମରେ ‘ବୁଲିବାକୁ ଯାଉଛି’ ବୋଲି ଏକ ଚିଠି ରଖି ଘରୁ ବାହାରି ଆସିଛନ୍ତି । ଡାକ୍ତର ମାନେଟ୍‍ ସେ ଚିଠି ଦେଖି ଫ୍ରାନସକୁ ଆସିଛନ୍ତି । ଡାର୍ନେଙ୍କର ପ୍ରକୃତ ପରିଚୟ ସେ ଜାଣନ୍ତି । ବିଦ୍ରୋହୀ ରକ୍ତପାଗଳ ଫରାସୀ ଜନସାଧାରଣ ହାତରେ ପଡ଼ିଲେ ଏଭରମଣ୍ଡି ଜମିଦାରଙ୍କର ନିଶ୍ଚୟ ଜୀବନ ଯିବ । ତେଣୁ ତାଙ୍କୁ ବଞ୍ଚାଇବାକୁ ଆସିଛନ୍ତି ଡାକ୍ତର ମାନେଟ୍‍ । ଲୁସିକୁ ସାଥିରେ ଆଣିବାକୁ ସେ ଇଚ୍ଛା କରି ନଥିଲେ; କିନ୍ତୁ ଲୁସି ଲଣ୍ଡନରେ ଏକାକିନୀ କଣ ରହିପାରିବ ? ସ୍ଵାମୀ ଯେତେବେଳେ ଶତ୍ରୁ ହାତରେ, ପତିବ୍ରତା ପତ୍ନୀ କଣ ସେଠାରୁ ଦୂରରେ ନିରାପଦରେ ରହିପାରେ ?

 

ସବୁ ଶୁଣି କପାଳରେ କରାଘାତ କରି ଲରି ହତାଶାରେ କହିଲେ—“ତମେ ଯେ ମାନେଟ୍‍ ପଳାଇ ଆସିଛ, କଣ କରିବ ତମେ ? ଡାର୍ନେଙ୍କୁ ବଞ୍ଚାଇବାକୁ ତମର କଣ ଟିକିଏ ହେଲେ ଶକ୍ତି ଅଛି ?”

 

—“ତାହା ଅଛି । କାରଣ ମୁଁ ଏଇ ବ୍ୟାଷ୍ଟିଲରେ ଅଠର ବର୍ଷ କାଳ ବନ୍ଦୀ ହୋଇ ରହିଥିଲି । ମୋ ନାମ ସମସ୍ତେ ଜାଣନ୍ତି—ବିଦ୍ରୋହୀମାନେ ମୋତେ ଖାତିର କରିବେ । ଡାର୍ନେଙ୍କର ଖବର ମୁଁ ସୀମାନ୍ତ ଅଫିସରେ ପାଇପାରିଛି—ଅନ୍ୟ କେହି ତାହା ପାରିବେ କି ?”

 

—‘‘କଣ ଖବର ପାଇଛ ଶୁଣେ ?”

 

—“ଡାର୍ନେଙ୍କୁ ବନ୍ଦୀକରି ଲାଫୋର୍ସ କାରାଗାରରେ ରଖାଯାଇଛି ।”

 

ଲରି ଏହା ଶୁଣି ଶିହରି ଉଠିଲେ—“ଲାଫୋର୍ସ ? ସେଠାରୁ ଜୀବନ ନେଇ ଫେରିଆସିବାର ଦେଖିନାହିଁ କାହାକୁ । ଯଦି କିଛି କରିପାର ଡାକ୍ତର, ତେବେ ବର୍ତ୍ତମାନ ବାହାରିପଡ଼–ଏବେ ବି ସମୟ ଅଛି । କିଛି ଗୋଟାଏ ଉପାୟ କର ବର୍ତ୍ତମାନ । ନ ହେଲେ ଦେଖିବ କାଲିକି ସବୁ ସରିଯାଇଛି । ବିଦ୍ରୋହୀମାନେ ଦଣ୍ଡ ଦେବାକୁ ଅଧିକ ସମୟ ନିଅନ୍ତି ନାହିଁ । ଗୋଟାଏ କିଛି ଅଭିଯୋଗ ହେଲେ, ହେଲା । ମୃତ୍ୟଦଣ୍ଡ ଦେବାପାଇଁ ଜଜ୍‍ ଓ ଜୁରିମାନେ ବସିଛନ୍ତି । ଗିଲୋଟିନ୍ ପ୍ରସ୍ତୁତ । ଯାଅ, ଯାଅ ଡାକ୍ତର ! ଲୁସି ଏଠାରେ ଥାଉ—ତମେ ଚେଷ୍ଟା କର—କିଛି ଯଦି କରିପାରିବ-।”

 

ଘର ବାହାରେ କେତେ ଶହ ଲୋକ ସେତେବେଳେ ଅସ୍ତ୍ରରେ ଶାଣ ଦେଉଥିଲେ—ରକ୍ତାକ୍ତ ଅସ୍ତ୍ର—ରକ୍ତାକ୍ତ ମନୁଷ୍ୟ । ସେହି ଲୋକଙ୍କ ଭିତରେ ଶୁକ୍ଳକେଶ ମାନେଟ୍‍ ପଶିଗଲେ । ଅଫିସ ଘରର ଦରଜା ଟିକିଏ ଖୋଲି ଲରି ଦେଖିବାକୁ ପାଇଲେ ମାନେଟ୍‍ ଯେପରି କେତେ କଣ କହୁଛନ୍ତି । ସହସା ଭିଡ଼ ଭିତରେ ଚିତ୍କାର ଶୁଭିଲା—“ବ୍ୟାଷ୍ଟିଲ ବନ୍ଦୀ ମାନେଟ୍‍, ଦୀର୍ଘଜୀବୀ ହୁଅ । ବ୍ୟାଷ୍ଟିଲ ବନ୍ଦୀର ଆତ୍ମୀୟ ଏଭରମଣ୍ଡି ଆମର ଦରକାର । ମୁକ୍ତ କର ବ୍ୟାଷ୍ଟିଲ୍ ବନ୍ଦୀର ଆତ୍ମୀୟଙ୍କୁ । ଚାଲ ସମସ୍ତେ ଲାଫୋର୍ସ ।”

 

ସେହି କେତେ ଶହ ଲୋକ ଡାକ୍ତର ମ୍ୟାନେଟ୍‍ଙ୍କୁ କାନ୍ଧରେ ବୋହି ନେଇ ଲାଫୋର୍ସ ଆଡ଼କୁ ଚାଲିଲେ । ଲୁସି ଆଶାରେ ଉତ୍‍ଫୁଲ୍ଲ ହୋଇ ଭୂଇଁ ଉପରେ ଜାନୁପାତ କରି ଭଗବାନଙ୍କୁ ପ୍ରାର୍ଥନା କଲା । ଲରିଙ୍କର ଆଶା ଉଦୟ ହେଲା ସତ; କିନ୍ତୁ ସେ ଜାଣନ୍ତି ବନ୍ଦୀକୁ ଖଲାସ କରି ଆଣିବା କେତେ କଠିନ ଏ ଦିନମାନଙ୍କରେ ।

 

ଚାରିଦିନ ପରେ ଫେରିଆସିଲେ ମାନେଟ୍‍ । ଲରି ସହିତ ତାଙ୍କର ଗୋପନ ଆଲୋଚନା ହେଲା । ଜନତା ତାଙ୍କୁ କାନ୍ଧରେ ଲାଫୋର୍ସକୁ ନେଇଯାଇଥିଲା । ସମଗ୍ର ରାସ୍ତା ରକ୍ତାକ୍ତ ଓ ଗଦା ଗଦା ମୃତଦେହରେ ଭରପୂର । ଜନତାର ଶତ୍ରୁକୁ ଜନତା ହତ୍ୟା କରିଛନ୍ତି । ବନ୍ଦିଶାଳାରେ ମଧ୍ୟ ହତ୍ୟା ଚାଲିଛି । ବନ୍ଦିଶାଳା ଭିତରେ ବସିଛି ବିଚାରସଭା । ଦେହ ଜୋରରେ ସାଧାରଣ ଲୋକମାନେ ବିଚାରକ ହୋଇ ବସିଛନ୍ତି । ସେମାନଙ୍କ ଆଗକୁ ଜଣ ଜଣ କରି ବନ୍ଦୀମାନଙ୍କୁ ଅଣାଯାଉଛି । ପ୍ରାୟ କେତେକ ବନ୍ଦୀଙ୍କୁ ଜନତା ହାତରେ ଦିଆହେଉଛି ଏବଂ ସେମାନେ କାଟି ଟୁକୁରା ଟୁକୁରା କରି ଦେଉଛନ୍ତି । ଅବଶ୍ୟ ଦି ଚାରିଜଣ ମୁକ୍ତି ପାଉଛନ୍ତି ଓ ଫେରୁଛନ୍ତି ବନ୍ଦିଶାଳାରୁ । ଜୁରିମାନଙ୍କ ଭିତରେ ବସିଛି ମ୍ୟାନେଟ୍‍ଙ୍କର ପୁରାତନ ଭୃତ୍ୟ ଡିଫାର୍ଜ ।

 

ମାନେଟ୍‍ ଶୁଣିଲେ ଯେ ଡାର୍ନେ ଏବେ ବି ଜୀବିତ । ସ୍ଵୟଂନିଯୁକ୍ତ ଅଦାଲତ ଆଗରେ ଜାମାତାଙ୍କ ସପକ୍ଷରେ ଦରଦ ଢାଳି ସେ ଅନେକ କହିଲେ । ମ୍ୟାନେଟ୍‍ଙ୍କର ବ୍ୟାଷ୍ଟିଲରେ ଅଠର ବର୍ଷର ବନ୍ଦୀ-ଜୀବନର କାହାଣୀ ଯେ ଶୁଣିଲା, ସେ କହିଛି ଡାର୍ନେ ମୁକ୍ତି ପାଇବ ଆବଶ୍ୟକ । ପ୍ରତି ମୁହୂର୍ତ୍ତରେ ଡାକ୍ତର ଆଶା କରିଛନ୍ତି ଯେ ଡାର୍ନେଙ୍କୁ ମୁକ୍ତିର ଆଦେଶ ମିଳିବକିନ୍ତୁ ପରିସ୍ଥିତି ବଦଳିଗଲା । ଜୁରିମାନେ ବିଚାର କଲେ—“ମୁକ୍ତି ବର୍ତ୍ତମାନ ସମ୍ଭବ ନୁହେଁ, ତେବେ ତାଙ୍କୁ କାରାଗାରରେ ନିରାପଦରେ ରଖାହେବ—ଜନତା ହାତକୁ ଦିଆଯିବ ନାହିଁ ।” ଡାର୍ନେଙ୍କୁ ପୁଣି କାରାଗାରରେ ଆବଦ୍ଧ କରାଗଲା ।

 

ଡାକ୍ତର କାତର ପ୍ରାର୍ଥନା କଲେ ଯେ ତାଙ୍କୁ ସେହିଠାରେ ରଖାଯାଉ ଯେତେ ସମୟ ପର୍ଯ୍ୟନ୍ତ ଉନ୍ମତ୍ତ ଜନତା କାରାଗାର ଛାଡ଼ି ନ ଯାଇଛନ୍ତି । ଚାରିଦିନ ପରେ ସେମାନେ ଗଲେ ଏବଂ ଏହି ଚାରିଦିନ ଡାକ୍ତରଙ୍କୁ ଲାଫୋର୍ସରେ ପହରା ଦେବାକୁ ହୋଇଛି; ଯେପରିକି କାରାଗାର ଭିତରୁ ଡାର୍ନେଙ୍କୁ ଟାଣି ବାହାରକରି ରକ୍ତପାଗଳ ଜନତା ହତ୍ୟା କରି ନ ପାରିବେ ।

 

ଏହି ଚାରିଦିନ ଭିତରେ ଲରି, ଲୁସି ଓ ମ୍ୟାନେଟ୍‍ଙ୍କ ପାଇଁ ଗୋଟିଏ ବସାଘର ଠିକ୍ କରିଛନ୍ତି । ଲୁସି ଓ ମାନେଟ୍‍ ସେଠାରେ ବାସ କରିବାକୁ ଲାଗିଲେ । ଡାର୍ନେଙ୍କୁ କେବେ ମୁକ୍ତି ମିଳିବ ଠିକ୍ ନାହିଁ । ମୁକ୍ତି ମିଳିଲେ ମଧ୍ୟ ଫ୍ରାନସ ତ୍ୟାଗ କରିବା ଡାର୍ନେଙ୍କ ପକ୍ଷରେ ଅସମ୍ଭବ । ହୁଏତ ପ୍ୟାରିସରେ ଦୀର୍ଘଦିନ ରହିବାକୁ ପଡ଼ିବ ।

 

ଅଳ୍ପ କେତେଟା ଦିନରେ ଡାକ୍ତର ମ୍ୟାନେଟ୍‍ଙ୍କର ଖ୍ୟାତି ଚିକିତ୍ସକ ରୂପେ ଚତୁର୍ଦ୍ଦିଗ ବ୍ୟାପିଗଲା । ବିଦ୍ରୋହୀ ନେତାମାନେ ତାଙ୍କୁ ଲାଫୋର୍ସ ଓ ଅନ୍ୟ ତିନୋଟି କାରାଗାରର ପରିଦର୍ଶକରୂପେ ନିଯୁକ୍ତ କଲେ । କେବଳ ଚିକିତ୍ସକ ବୋଲି ନୁହେଁ, ପୂର୍ବେ ବ୍ୟାଷ୍ଟିଲରେ ବନ୍ଦୀଥିଲେ ବୋଲି ସେ ଏହି କାର୍ଯ୍ୟ ପାଇଲେ । ତା ଫଳରେ ଡାର୍ନେଙ୍କ ସହିତ ତାଙ୍କର ମଝିରେ ମଝିରେ ଦେଖା ସାକ୍ଷାତ ହୁଏ । ମ୍ୟାନେଟ୍‍ଙ୍କ ହାତରେ ଲୁସିକୁ ଚିଠି ଦେବାକୁ ଡାର୍ନେ ସୁଯୋଗ ପାଇଲେ । ଏପରି ଦୀର୍ଘ ବର୍ଷଟିଏ କଟିଗଲା । ବିଚାର ହେଲା ନାହିଁ ବା ମୁକ୍ତି ମିଳିଲା ନାହିଁ । ମାନେଟ୍‍ ଏବେ ଲୁସି ବା ଲରିଙ୍କ ସାହାଯ୍ୟ ଉପରେ ନିର୍ଭର କରନ୍ତି ନାହିଁ; ବରଂ ଏମାନେ ତାଙ୍କ ଉପରେ ନିର୍ଭର କରନ୍ତି । ଆଜି ମ୍ୟାନେଟ୍‍ଙ୍କର ଯେପରି ପ୍ରଚୁର ସମ୍ମାନ, ସେପରି କର୍ମଶକ୍ତି ଓ ମନର ଜୋର୍ । ବର୍ଷଟିଏ କଟିଗଲା, ଡାର୍ନେର ମୁକ୍ତିପାଇଁ ମାନେଟ୍‍ ଅବିରତ ଚେଷ୍ଟା କରୁଥାନ୍ତି; କିନ୍ତୁ ମୁକ୍ତି କଥା ଦୂରେ ଥାଉ, ବିଚାର ମଧ୍ୟ ହେଲା ନାହିଁ ।

 

ଏ ପ୍ରକାର ତୁଚ୍ଛ ବ୍ୟାପାରରେ ମୁଣ୍ଡ ପୂରାଇବା ପାଇଁ ନୂତନ ଶାସକମାନଙ୍କର ସମୟ କାହିଁ ? ନୂତନ ଯୁଗର ଢେଉ ଆସିଛି । ରାଜାଙ୍କର ବିଚାର ହୋଇ ମୃତ୍ୟଦଣ୍ଡ ଆଦେଶ ହୋଇଛି ଏବଂ ଘାତକର ତରବାରି ଆଘାତରେ ମସ୍ତକ ଛିନ୍ନ ହୋଇଛି । ଫରାସୀ ଦେଶରେ ସାଧାରଣତନ୍ତ୍ର ପ୍ରତିଷ୍ଠିତ ହୋଇଛି । ଦେଶର ନୂତନ ନୀତି ହେଲା—ସାମ୍ୟ, ମୈତ୍ରୀ, ସ୍ଵାଧୀନତା ଓ ତାହାର ଅଭାବରେ ମୃତ୍ୟୁ । ସମଗ୍ର ପୃଥିବୀ ଭୀତ ହୋଇ ଏ ନୂତନ ସାଧାରଣନ୍ତ୍ର ବିରୁଦ୍ଧରେ ଅଣ୍ଟାଭିଡ଼ି ବାହାରିଛି; କିନ୍ତୁ ଏହି ସାଧାରଣନ୍ତ୍ର କାହାରି ଭୟରେ ଭୀତ ନୁହେଁ, କାହାର ଭ୍ରୂକୁଟିକୁ ଖାତିର ନାହିଁ–ହୁଏତ ଜୟ, ନ ହେଲେ ମୃତ୍ୟୁ ହିଁ ପଣ । ନୋଟରଡାମ୍ ଗୀର୍ଜାର ଆକାଶଚୁମ୍ବୀ ଚୂଡ଼ାରେ ଅହର୍ନିଶ ଉଡ଼ୁଛି କୃଷ୍ଣ ପତାକା । ପୃଥିବୀରେ ଯେଉଁଠାରେ ଅତ୍ୟାଚାରୀ ଅଛନ୍ତି ତାଙ୍କୁ ନାଶ କରିବା ପାଇଁ ତିନି ଲକ୍ଷ କ୍ଷୁଧାର୍ତ୍ତ ଓ ପଦଦଳିତ ବ୍ୟକ୍ତି ଫରାସୀ ଦେଶର ଗ୍ରାମ ଓ ସହରରୁ ଡେଇଁ ପଡ଼ିଛନ୍ତି-। ଦକ୍ଷିଣର ରୌଦ୍ର ଝଲ୍ ଝଲ୍ ଆକାଶ ତଳେ ଓ ମେଘଢ଼ଙ୍କା ଉତ୍ତର ଫ୍ରାନସର ଆକାଶତଳେ, ଦ୍ରାକ୍ଷା ଉଦ୍ୟାନରେ ଓ ଶସ୍ୟହୀନ କ୍ଷେନ୍ତ୍ରରେ, ନଦୀତୀରରେ ଓ ସାଗର ଉପକୂଳରେ ସର୍ବତ୍ର ଜାଗିଛନ୍ତି ଦଳ ଦଳ ଦୈତ୍ୟ । ରକ୍ତ-ପିପାସାରେ ଲେଲିହାନ ଜିହ୍ୱା ମେଲି ବିଭିନ୍ନ ଦିଗକୁ ସେମାନେ ଛୁଟିଛନ୍ତି-। ଦେଶର କୋଣେ କୋଣେ ଛୁଟିଛି ଧ୍ଵଂସର ବନ୍ୟା । ତୁଚ୍ଛ ଡାର୍ନେ କଥା ଭାସିଗଲା ସେ ବନ୍ୟାରେ-

 

ସେଇଟା କଣ ? ରାଜାଙ୍କର ଛିନ୍ନ ମୁଣ୍ଡ ? ସେ କଣ ରାଣୀଙ୍କର ? ତରୁଣୀ ରାଣୀଙ୍କର ମସ୍ତକରେ ଧଳା କେଶ ଆସିଲା କିପରି ? ହାୟରେ, କେଶ ଧଳା ହେବାକୁ କଣ ସମୟ ଲାଗେ ? ରଜାଙ୍କ ମୃତ୍ୟୁପରେ ନଅ ମାସ ବଞ୍ଚିଥିଲେ ରାଣୀ । ସେହି ନଅ ମାସ ଭିତରେ ପ୍ରତି ମୁହୂର୍ତ୍ତରେ ତାଙ୍କୁ ସହିବାକୁ ହୋଇଛି ତୀବ୍ର ଅପମାନ । ଏହି ଚରମ ଅପମାନର ଗ୍ଳାନି ଓ ଆଶଙ୍କାରେ ଯୁବତୀର କୃଷ୍ଣକେଶ ଅକ୍ଳେଶରେ ଶୁକ୍ଳ ପାଲଟିଛି ।

 

ସବୁ ଭାଙ୍ଗି ଯାଉଛି—ଓଲଟପାଲଟ ହୋଇଯାଉଛି । ସବୁ ବୋହି ଚାଲିଛି ସେହି ଧ୍ଵଂସ ଆଡ଼କୁ । ଦେଶ ଉପରେ ନଇଁ ଆସୁଛି ମୃତ୍ୟୁର କଳା ଛାଇ । ସେ ଛାଇ ଗିଲୋଟିନର । ପୂର୍ବେ ଲୋକେ ଶପଥ କରିବା ପାଇଁ କ୍ରୁଶର ଚିହ୍ନ ଆଙ୍କୁଥିଲେ, ଏବେ ଆଙ୍କୁଛନ୍ତି ଗିଲୋଟିନର । ଗିଲୋଟିନ୍‍ର ଛବି ସମସ୍ତଙ୍କ ଘରେ, ପୋଷାକର ପକେଟରେ । ଗୋଟାଏ ଗୋଟାଏ ମୁଣ୍ଡ ମିନିଟକରେ କାଟିପକାଏ ଗିଲୋଟିନ୍—ଏତେ ଶୀଘ୍ର କେହି କେବେ ହାତ ଚଳାଇପାରି ନାହିଁ ।

 

ନଦୀରେ ଡୁବାଇ ମାରିବା, ଲାଇନ କରି ଠିଆକରାଇ ଗୁଳି କରି ମାରିଦେବା ମଧ୍ୟ ଅଛି–ସର୍ବତ୍ର ମୃତ୍ୟୁ । ଏହି ମୃତ୍ୟୁ ତାଣ୍ଡବଳୀଲା ବର୍ଷେ ହେଲା ଚାଲିଛି । ଡାର୍ନେ ପଡ଼ିଛି ବନ୍ଦୀଶାଳାରେ, ଲୁସି ପଡ଼ିଛି ଶିଶୁ କନ୍ୟାକୁ ନେଇ ଲରିଙ୍କ ତତ୍ତ୍ଵାବଧାନରେ ଏବଂ ମାନେଟ୍‍ ବନ୍ଦୀମାନଙ୍କ ତଦାରଖରେ ବ୍ୟସ୍ତ ।

 

ଶେଷରେ ଡାକ୍ତର ଦିନେ ଖବର ନେଇ ଆସିଲେ ଯେ ଦୀର୍ଘ ପ୍ରତୀକ୍ଷାର ଅବସାନ ହୋଇଛି । କାଲି ହେବ ଡାର୍ନେର ବିଚାର ।

 

ଦୀର୍ଘ ପ୍ରତୀକ୍ଷା ପରେ—ସଂଶୟରେ ଆନ୍ଦୋଳିତ ହୋଇ ଡାର୍ନେ ପାଇଛନ୍ତି ମୁକ୍ତି । ଡାକ୍ତର ମ୍ୟାନେଟ୍‍ଙ୍କର ଅଠର ବର୍ଷର କରୁଣ ଇତିହାସ ଶୁଣି ଜନତା ମନରେ ଗଭୀର ସହାନୁଭୂତି ଜନ୍ମିଛି । ଜଜ୍ ଓ ଜୁରି ପ୍ରକାଶ କରିଛନ୍ତି—‘ଡାର୍ନେ ମୁକ୍ତ ।’

 

ସେଦିନ ମ୍ୟାନେଟ୍‍ଙ୍କ ଘରେ କି ଆନନ୍ଦ ! ମୃତ୍ୟୁର କରାଳ କବଳରୁ ମୁକ୍ତି ପାଇ ଫେରିଛନ୍ତି ପ୍ରିୟତମ । ଲୁସି ଆଖିରେ ଜଳଭରି ନତଜାନୁ ହୋଇ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ବହୁଦିନ ପରେ ପିତାଙ୍କୁ ଦେଖି ଛୋଟ ଶିଶୁ ଲୁସି ହୋଇଛି ମୁଖରା । ମ୍ୟାନେଟ୍‍ଙ୍କ ମନରେ ଆନନ୍ଦ, ଆତ୍ମପ୍ରସାଦରେ ମନ ପୁରିଉଠିଛି । ଲରିଙ୍କ ଆନନ୍ଦର ମଧ୍ୟ ସୀମା ନାହିଁ ।

 

ଯେତେବେଳେ ଏଠାରେ ଆନନ୍ଦର ପ୍ଳାବନ, ଅନ୍ୟତ୍ର ଡାର୍ନେଙ୍କ ସମ୍ବନ୍ଧରେ ବଢ଼ୁଛି ଉତ୍ତେଜନା । ଡିଫାର୍ଜ ଘରେ ସେହି ଉତ୍ତେଜନା ପ୍ରବଳ ହୋଇ ଉଠିଛି । ମାଡ଼ାମ ଡିଫାର୍ଜର ଏଭରମଣ୍ଡି ବଂଶ ଉପରେ ପ୍ରଚଣ୍ଡ କ୍ରୋଧ । ବିପ୍ଳବ ଆଜି ନାରୀ ଅନ୍ତରର ସମସ୍ତ ସ୍ନେହ, ମାୟା ଓ କ୍ଷମାର ନୀଡ଼କୁ ଚୁରମାର କରିଦେଇଛି । ତା’ ଛଡ଼ା କ୍ରୋଧର ଆହୁରି ଅନେକ କାରଣ ମଧ୍ୟ ଅଛି । ମାଡ଼ାମ୍‍ ଡିଫାର୍ଜର ପ୍ରତିଜ୍ଞା—ଏଭରମଣ୍ଡି ବଂଶକୁ ନିର୍ମୂଳ କରିବାକୁ ହେବ । ଏଭରମଣ୍ଡି ବଂଶର ପିଲା, ବୁଢ଼ା, ସ୍ତ୍ରୀ ପୁରୁଷ ସମସ୍ତଙ୍କ ନାମ ମାଡ଼ାମ୍ ଡିଫାର୍ଜର ସିଲାଇରେ ବୁଣା ହୋଇଛି । ଦୁର୍ବୋଧ୍ୟ ଭାଷାରେ ନା ଲେଖାସରିଛି । ଆଉ ଉପାୟ ନାହିଁ ।

 

ଏହି ଏଭରମଣ୍ଡି ପରିବାରର ଭୂତପୂର୍ବ ମାର୍କୁଇସ୍—ଗେସ୍‍ପାର୍ଡ଼ ଯାହା ବୁକୁରେ ଛୁରା ବିଦ୍ଧ କରି ଚାଳିଶଫୁଟ ଉଚ୍ଚ ଫାଶୀ ଖୁଣ୍ଟରେ ଝୁଲୁଥିଲା; ସେହି ମାର୍କୁଇସ୍‍ର ପ୍ରଥମ ଯୌବନର କୀର୍ତ୍ତି କଥା ଜଣାଯାଇଛି । ଦରିଦ୍ର ପ୍ରଜାଘରେ ସୁନ୍ଦରୀ ରମଣୀ ଦେଖିଲେ ତାହାର କାମନା-ନିଆଁ ଜଳି ଉଠୁଥିଲା । ଛଳେ, ବଳେ, କୌଶଳେ ବହୁ ଲୋକଙ୍କର ସେ ସର୍ବନାଶ କରିଛି । ଗୋଟିଏ ବାଳିକା ଏହିପରି ଭାବରେ ତାରିଦ୍ଵାରା ଲାଞ୍ଛିତା ହୋଇଥିଲା । ମନୋବେଦନାର ଦାରୁଣ ଦୁଃଖରେ ସେ ଆକ୍ରାନ୍ତ ହୋଇ ମଲା ସେହି ମାର୍କୁଇସ୍ ଘରେ । ବାଳିକାର ବାପା କ୍ଷୀଣ ପ୍ରତିବାଦ କରିଥିଲା; କିନ୍ତୁ ସେଥିପାଇଁ ତାଙ୍କୁ ଛୁରିକାଘାତରେ ଜୀବନ ଦେବାକୁ ହୋଇଥିଲା । ବାଳିକାର ଭାଇ ଦ୍ଵନ୍ଦ୍ୱଯୁଦ୍ଧ ପାଇଁ ମାର୍କୁଇସ୍‍କୁ ଆହ୍ୱାନ କରିଥିଲା । ଅସ୍ତ୍ରବିଦ୍ୟାରେ ଅଶିକ୍ଷିତ କୃଷକ ଯୁବକ ମଲା ଖଣ୍ଡାର ଆଘାତରେ-

 

ସେହି ଦରିଦ୍ର କୃଷକ ପରିବାରରେ ରହିଥିଲା ଗୋଟିଏ ଶିଶୁ କନ୍ୟା, ସେହି ଧର୍ଷିତା ଯୁବତୀର ସାନଭଉଣୀ । ଆତ୍ମୀୟମାନେ ତାକୁ ଦୂରକୁ ପଠାଇଦେଲେ ସମୁଦ୍ରତୀରର ଏକ ଧୀବର ପଲ୍ଲୀକୁ । ସେଇଠି ସେ ମଣିଷ ହେଲା ଓ ପ୍ରତିଦିନ ମନ୍ତ୍ର ଜପିଲା—‘ପ୍ରତିହିଂସା’ । ସେହି ଝିଅ ଆଜିର ଏହି ମାଡ଼ାମ୍‍ ଡିଫାର୍ଜ ।

 

ସେହି ମାଡ଼ାମ ଡିର୍ଫାଜ ଏଭରମଣ୍ଡି ବଂଶର ମାର୍କୁଇସ୍ ଡାର୍ନେ ଏତେ ସହଜରେ ‘ମୁକ୍ତ ହେବାର ଦେଖି କଣ ନିଶ୍ଚିନ୍ତ ରହିପାରେ ? ମାର୍କୁଇସ୍ ବଂଶକୁ ସମୂଳେ ନିର୍ମୂଳ କରି ସେ ତାର ବ୍ରତ ଉଦ୍‍ଯାପନ କରିବ । ଡାର୍ନେ ସେଇ ଅତ୍ୟାଚାରୀ ମାର୍କୁଇସ୍‍ର ଭାଇର ପୁଅ—ତାର ମୃତ୍ୟୁ ପ୍ରୟୋଜନ—ତାକୁ ବଞ୍ଚାଇ ରଖିବା ଅସମ୍ଭବ ।

 

ମାଡ଼ାମ୍‍ ଡିଫାର୍ଜ ଜେକ୍‌ସ ସଙ୍ଘର କେତେକ ନେତାଙ୍କ ସହିତ ଗୋପନରେ ପରାମର୍ଶ କଲା । ମାତ୍ର ସ୍ଵାମୀକୁ ଡାକିନାହିଁ; କାରଣ ତାର ସ୍ୱାମୀ ଡାକ୍ତର ମାନେଟ୍‍ଙ୍କର ଯେ ଦିନେ ଅନୁରକ୍ତ ଭୃତ୍ୟ ଥିଲା—ସେ କଥା ଆଜି ବି ସେ ଭୁଲିନାହିଁ । ସେ ଜାଣେ, ତାର ସ୍ୱାମୀ ଡାକ୍ତର ମ୍ୟାନେଟ୍‍ଙ୍କ ଜାମାତାକୁ ହତ୍ୟା କରିବାକୁ ସହଜରେ ମତ ଦେଇ ନ ପାରେ । ଜେକ୍‌ସ ସଙ୍ଘରେ ରକ୍ତପିପାସୁ ଲୋକଙ୍କର ଅଭାବ ନାହିଁ । ତେଣୁ ଏହି ଗୋପନ ଚକ୍ରାନ୍ତର ଫଳ ଫଳିବାକୁ ବିଳମ୍ବ ହେଲାନାହିଁ ।

 

ଡାର୍ନେ ମୁକ୍ତି ଉପଲକ୍ଷରେ ସେଦିନ ସଞ୍ଜରେ ପାରିବାରିକ ଉତ୍ସବ ଆୟୋଜନ କରିଛନ୍ତି; ଠିକ୍ ଏତିକି ବେଳେ ଅସ୍ତ୍ରଶସ୍ତ୍ରଧାରୀ କେତେକ ନାଗରିକ ସାଧାରଣତନ୍ତ୍ର ନାମରେ ଡାର୍ନେଙ୍କୁ ପୁଣି ବନ୍ଦୀ କଲେ । ଅପରାଧ—ଦେଶଦ୍ରୋହଜନସାଧାରଣଙ୍କ ଉପରେ ଅତ୍ୟାଚାର—ସେ ନ କରୁ, ତାର ପୂର୍ବପୁରୁଷମାନେ ତ କରିଯାଇଛନ୍ତି ।

 

ଏହି ଆକସ୍ମିକ ବିପଦରେ ସମସ୍ତଙ୍କ ମୁଣ୍ଡରେ ଯପରି ବଜ୍ର ପଡ଼ିଲା ।

 

ଡାର୍ନେ ପୁଣି ବନ୍ଦୀଶାଳାରେ । ତା ପରଦିନ ବିଚାର । କଥା ଉଠିଲା—ମୁକ୍ତି ଦେଇ ବନ୍ଦୀ କରାହେଲା କାହିଁକି ? ଏହାର ଉତ୍ତରରେ ଖଣ୍ଡିଏ କାଗଜ ଅଦାଲତରେ ଦାଖଲ କରାଗଲା ।

 

ବ୍ୟାଷ୍ଟିଲ ଅଧିକାର ଦିନ ଡାକ୍ତର ମାନେଟ୍‍ ବନ୍ଦୀ ଥିବା ୧୦୫ ନମ୍ବର କାରାଗୃହରୁ ଯେଉଁ କାଗଜ ଡିର୍ପାଜ ଉଦ୍ଧାର କରିଥିଲା, ଏଇଟି ସେଇ କାଗଜ । ମାନେଟ୍‍ ବନ୍ଦୀ ହେବାଦିନ ନିଜ ହାତରେ ଲେଖି ରଖିଥିଲେ ଏ ଅତ୍ୟାଚାର ବିରୁଦ୍ଧରେ ତାଙ୍କରି ଅଭିଯୋଗ । କିଏ ସେ ଅତ୍ୟାଚାରୀ-? ଅତ୍ୟାଚାରୀ ମାର୍କୁଇସ୍‍ ଏଭରମଣ୍ଡି । ଏଭରମଣ୍ଡି ମାର୍କୁଇସ୍‍ର ଆବେଦନରେ ମାନେଟ୍‍ ବିନା ବିଚାରରେ ଅଠର ବର୍ଷ ନିର୍ଜ୍ଜନ କାରାରେ ଆବେଦନରେ ମାନେଟ୍‍ ବିନା ବିଚାରରେ ଅଠର ବର୍ଷ ନିର୍ଜ୍ଜନ କାରାରେ ବନ୍ଦୀ ଥିଲେ ।

 

ଦୁର୍ଭାଗା ମାନେଟ୍‍—ଏହି କାଗଜ ଖଣ୍ଡିକ କଥା ତାଙ୍କର ମୋଟେ ମନେ ନ ଥିଲା ।

 

ହଁ, ଏଭରମଣ୍ଡି ବଂଶ ଯେ ତାଙ୍କର କାରାବାସର କାରଣ ସେ ତାହା ଜାଣନ୍ତି । ମାର୍କୁଇସ୍‍ର ଆହ୍ୱାନରେ ଥରେ ତାଙ୍କୁ ଗୋଟିଏ ପୀଡ଼ିତା ନାରୀକୁ ଚିକିତ୍ସା କରିବା ପାଇଁ ଯିବାକୁ ହୋଇଥିଲା । ସେଠାକୁ ଯାଇ ବିକାରଗ୍ରସ୍ତା ରୋଗିଣୀର ପ୍ରଳାପରୁ ଗୋଟିଏ ଭୟାବହ କାହାଣୀ ସେ ଶୁଣିଲେ । ରୋଗିଣୀ ଭାଇକୁ ମଧ୍ୟ ସେ ଘରେ ଦେଖିଥିଲେ । ସେତେବେଳେ ସେ ମରିବା ଉପରେ ଏବଂ ତାର ବୁକୁ ତଲୁଆରରେ ବିଦ୍ଧ ହୋଇଥାଏ । ରୋଗିଣୀର ପିତା ମଧ୍ୟ ସେ ଘରେ ନିହତ ହେବାର ବୃତ୍ତାନ୍ତ ମାନେଟ୍‍ ଶୁଣନ୍ତି ।

 

ମାନେଟ୍‍ ଫେରିଆସିଲେ; ମାତ୍ର ମାର୍କୁଇସ୍‍ର ଭୟ ହେଲା କାଳେ ଡାକ୍ତର ଏହି ପାଶବିକ ଅତ୍ୟାଚାର-କାହାଣୀ ଦିନେ ପ୍ରକାଶ କରଦେବେ । ଦଣ୍ଡର ଭୟ ନଥାଉ; କିନ୍ତୁ କଳଙ୍କର ଭୟ ଥିଲା । ତେଣୁ ମାର୍କୁଇସ୍‍ଙ୍କ ବ୍ୟବସ୍ଥାରେ ମ୍ୟାନେଟ୍‍ଙ୍କୁ ବ୍ୟାଷ୍ଟିଲରେ ବନ୍ଦୀ କରାହେଲା ।

 

ରାଗ, ଦୁଖ ଓ ପ୍ରତିହିଂସା ସାଧନର ପ୍ରେରଣାରେ ବୁକୁର ରକ୍ତ ଦେଇ ଲେଖିଥିଲେ ମାନେଟ୍‍ ଏଭରମଣ୍ଡି ବିରୁଦ୍ଧରେ ତାଙ୍କର ଅଭିଯୋଗର ବିବରଣ । ପ୍ରତିହିଂସାରେ ଅନ୍ଧ ହୋଇ ମାନେଟ୍‍ ସ୍ଵପ୍ନରେ ସେଦିନ ଭାବି ନ ଥିଲେ ଯେ ଏହି ବିବରଣୀ ପାଇଁ ପ୍ରାଣର କନ୍ୟାର ପ୍ରିୟତମ ସ୍ୱାମୀର ମୃତ୍ୟୁ ଘଟିବ । ଏହାଠାରୁ ଆଉ କଣ ନିଷ୍ଠୁରତର ପରିହାସ ବିଧାତାର ଥାଇପାରେ ? ଏଭରମଣ୍ଡି—ମ୍ୟାନେଟ୍‍ଙ୍କର ଏକମାତ୍ର ଶତ୍ରୁ ! କିନ୍ତୁ କନ୍ୟାର ମୁହଁ ଚାହିଁ ହୃଦୟରେ ତାକୁ ସ୍ଥାନ ଦେଇଛନ୍ତି । ସେତେବଳେ ସେ କଣ ଜାଣିଥିଲେ ଯେ ନିଜେ ଏଭରମଣ୍ଡିକୁ କ୍ଷମା ଦେଲେ ମଧ୍ୟ ଆହୁରି ଏପରି କେହି ପୃଥିବୀରେ ଅଛି, ଯାହା ନିକଟରେ ଏଭରମଣ୍ଡି ବଂଶର କ୍ଷମା ନାହିଁ ।

 

ହଁ ଏ ଦୁନିଆରେ ଜଣେ ଅଛି—ସେ ମାଡ଼ାମ ଡିଫାର୍ଜ ।

 

ଡାର୍ନେଙ୍କ ସପକ୍ଷରେ ମାନେଟ୍‍ ତଥାପି କିଛି କହିବାକୁ ଯାଇଥିଲେ; କିନ୍ତୁ ଅଦାଲତ କର୍ଣ୍ଣପାତ କଲାନାହିଁ । ଏଭରମଣ୍ଡି ବଂଶର ପୈଶାଚିକ ବିବରଣ ମାନେଟ୍‍ ଲିଖିତ ଅଭିଯୋଗରେ ଯେ ପ୍ରକାରେ ପ୍ରକାଶ ପାଇଛି, ସେଥିରେ ଅପରାଧୀ ପକ୍ଷର କରୁଣ ଆବେଦନ କେହି ଶୁଣିଲେ ନାହିଁ । ମୃତ୍ୟୁଦଣ୍ଡର ଆଦେଶ ପ୍ରଚାରିତ ହୋଇଗଲା ।

 

ଡାର୍ନେଙ୍କ ପାଦ ପାଖରେ ମାନେଟ୍‍ ଲୋଟିପଡ଼ିଲେ । ସେ ଠେଲି ଦେଇଛନ୍ତି ପ୍ରିୟ ଜାମାତାଙ୍କୁ ମୃତ୍ୟୁମୁଖକୁ । କନ୍ୟାର ବୈଧବ୍ୟ ପାଇଁ ସେ ଦାୟୀ । ଶିଶୁ ଲୁସି ହେବ ପିତୃହୀନ ।

 

କିନ୍ତୁ ଡାର୍ନେ ସ୍ଥିର, ଗମ୍ଭୀର ଓ ଅବିଚଳିତ । ଲୁସି ମଧ୍ୟ କିଛି ମାତ୍ର ବିଚଳିତ ନ ହୋଇ ତାଙ୍କୁ ବିଦାୟ ଦେଲେ—“ଯାଅ ପ୍ରିୟତମ, ମୋ ପାଇଁ ବେଶି ଦିନ ତୁମକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।” ଏହା ହେଲା ପ୍ରିୟତମା ଲୁସିର ବିଦାୟବାର୍ତ୍ତା ।

 

ଜଣାଗଲା, ଅଭିଶପ୍ତ ଏଭରମଣ୍ଡି ବଂଶର ଶେଷ ସନ୍ତାନକୁ ପରଦିନ ତିନିଟା ବେଳେ ଗିଲୋଟିନରେ ନିକ୍ଷେପ କରାହେବ ।

Image

 

। ଶେଷ ।

 

ସହରର ରାସ୍ତାରେ ରାସ୍ତାରେ ଡାକ୍ତର ମାନେଟ୍‍ ପାଗଳପରି ବୁଲିବାକୁ ଲାଗିଲେ । ଯେଉଁଠାରେ ତାଙ୍କର ବନ୍ଧୁ ଅଛନ୍ତି ସେଠାରେ ସହାନୁଭୂତି ଆଶାରେ ଦ୍ଵାର ଦ୍ଵାର ବୁଲିବାକୁ ଲାଗିଲେ-। ଏଇ କେତେ ଦିନ ଭିତରେ ଡାକ୍ତରରୂପେ ବହୁଲୋକର ବହୁ ଉପକାର ସେ କରିଛନ୍ତି; କିନ୍ତୁ ପାଗଳ ବିଦ୍ରୋହୀଙ୍କ ବିରୁଦ୍ଧରେ ଡାକ୍ତରଙ୍କୁ ସାହାଯ୍ୟ କରିବାକୁ କେହି ରାଜି ହେଲେ ନାହିଁ-

 

ସିଡ଼୍‍ନି କାର୍ଟନ୍ ! ସୁରାସକ୍ତ ଉତ୍ସୃଙ୍ଖଳ, ଚିରିତ୍ରହୀନ ଯୁବକ ବହୁଦିନ ହେଲା ଫ୍ରାନସରେ ରହିଛି । ଲୁସି ଡାର୍ନେଙ୍କୁ ଅନୁସରଣ କରି ସେ ଆସିଛି । ଘଟଣାର ଗତି ଲକ୍ଷ୍ୟ କରିବା ଛଡ଼ା ସେ ଆଉ କିଛି କରିନାହିଁ । କଣ ବା କରିବାର ଅଛି—ଯେଉଁଠାରେ ବିଜ୍ଞ ଡାକ୍ତର ମାନେଟ୍‍ ସମ୍ମାନିତ ବ୍ୟକ୍ତି ହୋଇ ସୁଦ୍ଧା ଅପମାନିତ । ଲୁସି ନିକଟରେ ସମବେଦନା ମଧ୍ୟ ଜ୍ଞାପନ କରିନାହିଁ—ଉଦ୍ୟମ ମଧ୍ୟ କରିନି । ଆଜି ଯେତେବେଳେ ଡାର୍ନେର ଭାଗ୍ୟର ଚୂଡ଼ାନ୍ତ ନିଷ୍ପତ୍ତି ହୋଇଗଲା, ଲରିଙ୍କ ଅଫିସରେ ବସି ସେ ତାହା ଶୁଣିଥିଲା ।

 

ସେ ଦିନ ଲଣ୍ଡନର ବିଚାର ପରେ କାର୍ଟନ ଲୁସିକୁ ଚିହ୍ନିଲା ଓ ଭଲ ପାଇଥିଲା । ଲଣ୍ଡନର ଅନ୍ଧାରୁଆ ଗାଁ, ଅନ୍ଧକାର ହୋଟେଲ, ଦୁଶ୍ଚରିତ୍ର ଲୋକଙ୍କ ସହିତ ସେ ଘୂରିବୁଲେ । କାର୍ଟନ ଆସ୍ତେ ଆସ୍ତେ ନିଜ ଇଚ୍ଛାରେ ଲୁସିର ଘରକୁ ଯିବା-ଆସିବା ବନ୍ଦ କରିଦେଲେ ବି ଲୁସିକୁ କେବେ କେମିତି ଦେଖିବା ଲାଳସାରେ ସେ ହଠାତ୍ ଉପସ୍ଥିତ ହୁଏ । ଲୁସି ସଙ୍ଗରେ ସେପରି କଥାବାର୍ତ୍ତା ନାହିଁ, କେବଳ ଲୁସିର ଝିଅକୁ ଆଦର କରି ଚାଲିଯାଏ । ଯେତେବେଳେ ପର୍ଯ୍ୟନ୍ତ ସେ ଲୁସିର ଘରେ ଥାଏ ତାର କଥାବାର୍ତ୍ତା, ଆଚରଣରେ ବିନ୍ଦୁଏ ସୁଦ୍ଧା ଆପତ୍ତିର ସ୍ଵର ନ ଥାଏ । ଲୁସି ଘରକୁ ନ ଆସି ମଧ୍ୟ ସେ ତାର ସବୁ ଖବର ରଖେ । ଗୋପନରେ ଭଲ ପାଇବାର ତାର ଏକମାତ୍ର ଲକ୍ଷ୍ୟ ଥିଲା । କୌଣସି ପ୍ରକାରେ ଲୁସିର ସାହାଯ୍ୟରେ କିପରି ଆସିବ । ଯେତେବେଳେ ସେ ଶୁଣିଲା ଡାର୍ନେ ଫ୍ରାନସକୁ ଯାଇ ବିପନ୍ନ ହୋଇଛି ଓ ତାକୁ ଉଦ୍ଧାର କରିବାପାଇଁ ଲୁସି ପିତା ଫ୍ରାନସକୁ ଯାଇଛନ୍ତି, ସେ ଲଣ୍ଡନରେ ନୀରବରେ ବସି ପାରିଲା ନାହିଁ ।

 

ଏ ଭିତରେ ସିଡ଼୍‍ନି ଗୋଟିଏ କାମ କରିଛି । ଗୁପ୍ତଚର ବରସାଦ୍‍—ସେ ବର୍ତ୍ତମାନ ଫରାସୀ ସାଧାରଣତନ୍ତ୍ରରେ ଚାକିରି କରେ—ସେହି ବରସାଦ୍ ସହିତ କଥାବାର୍ତ୍ତା କରିଛି ସିଡ଼୍‍ନି । ଲଣ୍ଡନର ଓଲ୍‍ଡ ବେଲି କୋର୍ଟରେ ଡାର୍ନେ ବିରୁଦ୍ଧରେ ଯେତେବେଳେ ମୋକଦ୍ଦମା ହୁଏ ସେତେବେଳେ ଏହି ବରସାଦ୍ ସରକାରୀ ପକ୍ଷର ସାକ୍ଷୀ ଥିଲା । ମୋକଦ୍ଦମାରେ ବରସାଦ୍‍ ସରକାରୀ ଗୋଇନ୍ଦା ବୋଲି ପ୍ରାୟ ପ୍ରମାଣିତ ହୋଇସାରିଥିଲା । ସିଡ଼୍‍ନି ସେ କଥା ଜାଣେ । ବରସାଦ୍‍ ଇଂଲଣ୍ଡରୁ ତଡ଼ା ଖାଇ ବିଦ୍ରୋହୀଙ୍କ ଦରଦୀରୂପେ ଫରାସୀ ସାଧାରଣତନ୍ତ୍ରରେ ଚାକିରି ପାଇଛି; ମାତ୍ର ତାର ପୂର୍ବ-ଇତିହାସ ଯଦି ପ୍ରକାଶ ପାଏ, ଚାକିରି ଖଣ୍ଡ ତ ଯିବ, ଏହି ମୁହୂର୍ତ୍ତରେ ବିଦ୍ରୋହୀମାନେ ତାକୁ ଗିଲୋଟିନ୍ ମୁହଁରେ ପକାଇଦେବେ ।

 

ସିଡ଼୍‍ନି ଭଲଭାବରେ ଜାଣେ—ବରସାଦ୍‍ର ପୂର୍ବ-ଇତିହାସ । ସେ ଯଦି ଚାହିଁବ ମିନିଟକରେ ବରସାଦ୍‍ର ସର୍ବନାଶ କରିପାରିବ । ଇଂଲଣ୍ଡର ସରକାରୀ ଗୋଇନ୍ଦାର ଗୋଟିଏ ମାତ୍ର ସ୍ଥାନ ଫରାସୀ ସାଧାରଣତନ୍ତ୍ରରେ ଅଛି—ଗିଲୋଟିନ୍ ତଳେ । ସୁତରାଂ ବରସାଦ୍ ଆଜି ସିଡ଼୍‍ନିର ଆଜ୍ଞାବହ । ବରସାଦ୍ କନସିୟେଜାରି ବନ୍ଦିଶାଳାରେ ପ୍ରହରୀ । ସେହି କନସିୟେଜାରି ବନ୍ଦିଶାଳାରେ ଥାଆନ୍ତି ବନ୍ଦୀମାନେ, ଯେଉଁମାନଙ୍କ ଉପରେ ପ୍ରାଣଦଣ୍ଡର ଆଦେଶ ହୋଇଛି । ଡାର୍ନେ ମଧ୍ୟ ସେଇଠି ।

 

ମ୍ୟାନେଟ୍‍ଙ୍କ ପ୍ରତୀକ୍ଷାରେ ବସି ବସି ସିଡ଼୍‍ନି ଚଞ୍ଚଳ ହୋଇଉଠିଲେ । ମାନେଟ୍‍ ଯାହା ଇଚ୍ଛା କରନ୍ତୁ—ଧରି ନିଆଯାଉ ସେ ବ୍ୟର୍ଥ ହେଲେ—ତାପରେ କଣ ହେବ ? ଏହି ଆସନ୍ନ ସର୍ବନାଶରୁ ଲୁସିକୁ ବଞ୍ଛାଇବାକୁ କଣ ସେ କିଛି କରି ପାରିବ ନାହିଁ ?

 

ସିଡ଼୍‍ନି ଲରିଙ୍କୁ କହିଲା, “ଆପଣ ବସନ୍ତୁ—ମୁଁ ବୁଲି ଆସୁଛି ।” ସିଡ଼୍‍ନି ବରସାଦ୍‍ର ସନ୍ଧାନରେ ବାହାରିଗଲା । ତାକୁ ଖୋଜି ବାହାର କରି, ଗୋପନରେ ଓ ଅତି ସାବଧାନରେ କଣ ଗୋଟିଏ କଥା କହିଲା—ଗୋଟିଏ ମିନତି—ଅନୁରୋଧ—ଆଦେଶ । ସେ ଆଦେଶ ଅବଜ୍ଞା କରିବାର ସାହସ ବରସାଦ୍‍ର ନାହିଁ; କାରଣ ସେଥିରେ ବରସାଦ୍‍ର ମୃତ୍ୟୁ ସମ୍ଭାବନା ନିଶ୍ଚିତ ।

 

କିନ୍ତୁ ସେ ଆଦେଶ ପାଳନ କଲେ କଣ ମୃତ୍ୟୁରୁ ନିସ୍ତାର ମିଳିବ ? ଏତେ ବଡ଼ ବିପଜ୍ଜନକ କାର୍ଯ୍ୟର ପରିକଳ୍ପନା ସିଡ଼୍‍ନି କଲା କିପରି ତାହା ଭାବିପାରିଲା ନାହିଁ ବିଚରା ଗୁପ୍ତଚର ବରସାଦ୍ ।

 

ସିଡ଼୍‍ନି କିନ୍ତୁ କଠୋର—କୌଣସି କାରଣରୁ ତାର ସଂକଳ୍ପରୁ ସେ ଓହରି ଯାଇ ନ ପାରେ । ବରସାଦ୍‍କୁ ଏ ଆଦେଶ ମାନିବାକୁ ପଡ଼ିବ, ନ ହେଲେ ସିଡ଼୍‍ନି ତାର ଇତିହାସ ଖୋଲିଦେବ । ବରସାଦ୍ ଭାବି ଦେଖିଲା ଯେ ସିଡ଼୍‍ନିକୁ ସାହାଯ୍ୟ କଲେ ତାର ପ୍ରାଣ ରହିପାରେ; କିନ୍ତୁ ସାହାଯ୍ୟ ନ କଲେ ପ୍ରାଣ ଯିବ । ତେଣୁ ବରସାଦ୍ ସହିତ ସମସ୍ତ ପରାମର୍ଶ କରି ସିଡ଼୍‍ନି ଗୋଟିଏ ଔଷଧ ଦୋକାନକୁ ଗଲା ଓ କେତେଟା ଔଷଧ କିଣିଲା । ବିକ୍ରେତା ସାବଧାନ କରି କହିଲା—“ଔଷଧଗୁଡ଼ିକ ଏକାସାଙ୍ଗରେ ମିଶାଇବେ ନାହିଁ—ସେଥିରେ କଣ ଆଶଙ୍କା ଅଛି ଜାଣନ୍ତି ତ ?”

 

ସିଡ଼୍‍ନି କହିଲା—“ଜାଣେ ।”

 

ତା’ପରେ ସେ ଡିଫାର୍ଜର ମଦ ଦୋକାନକୁ ଗଲା । ମଝିରେ ମଝିରେ ସେ ସେଠାକୁ ଯାଏ । ଡିଫାର୍ଜ ଦୋକାନର ସମସ୍ତେ ଜାଣନ୍ତି ଏହି ଇଂରେଜର ମାର୍କୁଇସ୍ ଏଭରମଣ୍ଡିର ଚେହେରା ସହିତ ଖୁବ୍ ମେଳ ଅଛି । ଏ କଥାଟା ସମସ୍ତେ ଜାଣନ୍ତୁ ଏହା ବି ତାର ଇଚ୍ଛା ।

 

ମଦଦୋକାନରେ ବହୁସମୟ ସେ ବସିରହିଲା । ମଦ ଖାଇବାର ପ୍ରହସନ କଲା; କିନ୍ତୁ ଖାଇଲା କମ୍ । ଆଜି ତାର ମଥାଟିକୁ ଠିକ୍ ରଖିବା କଥା, ତେଣୁ ଆଜି ମଦ ଖାଇଲେ ଚଳିବ କିପରି-? ଖବରକାଗଜ ଆଢ଼ୁଆଳରେ ରହି ମଦ ଖାଇବାଭଳି ଅଭିନୟ କଲା ଓ ଶେଷରେ ମଦତକ ମାଟିରେ ଢାଳିଦେଇ ବାହାରି ଆସିଲା ।

 

ରାତିର ଦ୍ଵିତୀୟ ପ୍ରହର—

 

ଲରି ନିଜ ଘରେ ଏକ ବସିଛନ୍ତି—ତେବେ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଲା ନାହିଁ । ମାନେଟ୍‍ ସିଡ଼ିରେ ଧୀରେ ଧୀରେ ଉଠିବାର ଶୁଣାଗଲା । ସେ ଧୀରେ ଧୀରେ ଘରଭିତରେ ପଶିଲେ । ଖବର ପଚାରି ଜାଣିବାକୁ ହେଲା ନାହିଁ । ମ୍ୟାନେଟ୍‍ଙ୍କର କରୁଣ ଦୃଷ୍ଟି, କମ୍ପିତ ପଦକ୍ଷେପ, ଅଲରା କେଶରାଶି ଘୋଷଣା କରୁଥିଲା ଯେ—ନା, କିଛି ହୋଇନାହିଁ, କିଛି କରିପାରିନି–କେହି ଆଶା ଦେଇପାରିନି; କିନ୍ତୁ ମ୍ୟାନେଟ୍‍ଙ୍କର କଣ ହେଲା ସେ ପାଗଳପରି ଚାରିଆଡ଼କୁ ଅନାଇଛନ୍ତି ? ତାଙ୍କର ଭାବ ଦେଖି ଲରିଙ୍କର ଭୟ ହେଲା—ସେ ପ୍ରକୃତରେ କଣ ପ୍ରକୃତିସ୍ଥ ନୁହନ୍ତି-? ଲରିଙ୍କ ମନରେ ଏକ ମହା ଆଶଙ୍କା ଜାଗିଉଠିଲା । ଏହି ଦୁଃଖର ଧକ୍‍କାରେ ମାନେଟ୍‍ କଣ ପୁଣି ପାଗଳ ହୋଇଯିବେ ? କିଛି ସମୟ କାତର ଭାବରେ ଏପଟେ ସେପଟେ ଅନାଇ ଅତି କ୍ଷୀଣ ସ୍ଵରରେ ଡାକ୍ତର ମାନେଟ୍‍ ପଚାରିଲେ—“ସେଗୁଡ଼ାକ କୁଆଡ଼େ ଗଲା ? ମୋର ଜୋତା ସିଲାଇ ସରଞ୍ଜାମଗୁଡ଼ାକ କୁଆଡ଼େ ଗଲା ?”

 

ଲରିଙ୍କର ମଥା ଉପରେ ଯେପରି ଆକାଶ ଭାଜିପଡ଼ିଲା । ମାନେଟ୍‍ ତାହାହେଲେ ପୁଣି ପାଗଳ ହୋଇଛନ୍ତି । ମନ ଫେରିଯାଇଛି ବ୍ୟାଷ୍ଟିଲର ୧୦୫ ନର୍ଥଟାୱାରର ଗହ୍ୱରକୁ, ଯେଉଁଠାରେ ସାରାଦିନ ତାଙ୍କର କାମ ଥିଲା କେବଳ ଜୋତା ସିଲାଇ । ଦୀର୍ଘ ଦଶ ବର୍ଷ ସଂସାର–ପ୍ରୀତି ନିମିଷକରେ ଭୁଲିଯାଇଛନ୍ତି—ଲୁସିକୁ ମଧ୍ୟ—ଯେ ଆଖିର ପିତୁଳା, ବୁକୁର ରକ୍ତ ଏକମାତ୍ର ଅବଲମ୍ବନ ।

 

ଲରି ଓ କାର୍ଟନ ତାଙ୍କୁ ଧରିନେଇ ଶୋଫା ଉପରେ ଶୁଆଇ ଦେଲେ । ଶ୍ରାନ୍ତ ଦେହରେ ପାଗଳ ସୋଫା ଉପରେ ଶୋଇପଡ଼ିଲେ ପ୍ରାୟ ଅଚେତ ହୋଇ ।

 

ସିଡ଼୍‍ନି ଓ ଲରି ଦୁହେଁ ଦୁହିଁକୁ ଅନାଇଲେ । ଲରିଙ୍କ ଆଖିରେ ଗଭୀର ନୈରାଶ୍ୟ ଓ ସିଡ଼୍‍ନିର ଆଖିର ଗଭୀର ନୈରାଶ୍ୟ ଭିତରେ ଟିକିଏ ଉତ୍ତେଜନାର ଛଟା ।

 

ସେ କହିଲା—“ପ୍ରାୟ ସବୁ ଶେଷ ହୋଇଗଲା କହିଲେ ଚଳେ । ନିଶ୍ଵାସ ଚାଲିଛି କେବଳ । କାଲି ଦିନ ତିନିଟାବେଳେ ଡାର୍ନେଙ୍କ ଶେଷ ନିଶ୍ଵାସ ଚାଲିଯିବ । ସେ ପର୍ଯ୍ୟନ୍ତ ଦେଖାଯାଉ-। ଆପଣଙ୍କର ପାସପୋର୍ଟ ଗୁଡ଼ିକ ପ୍ରସ୍ତୁତ ତ ?”

 

ଲରି କିଛି ବୁଝିପାରିଲେ ନାହିଁ—ଏ ପାସପୋର୍ଟ କଥା କାହିଁକି ? ତଥାପି ସେ ତାଡ଼ାଏ କାଗଜ ବାହାରକରି ଦେଖାଇଲେ । ସେଗୁଡ଼ିକ ଫ୍ରାନସ ଛାଡ଼ିଯିବାର ଅନୁମତିପତ୍ର । ଲରି, ମାନେଟ୍‍, ଲୁସି, ଡାର୍ନେ, ଲୁସିର ଝିଅ, ଦାସୀ, ଲରିର ଚାକର—ସମସ୍ତଙ୍କପାଇଁ ଖଣ୍ଡିଏ ଖଣ୍ଡିଏ । ସିଡ଼୍‍ନି ନିଜ ପକେଟରୁ ଏ ପ୍ରକାର ଆଉ ଖଣ୍ଡିଏ ପାସପୋର୍ଟ ବାହାର କରି ଲରି ହାତରେ ଦେଲେ । ଲେଖାହୋଇଛି—“ସିଡ଼୍‍ନି କାର୍ଟନ, ଏଡ଼ଭୋକେଟ,ଇଂରେଜ ।” ଲରି ସିଡ଼୍‍ନି ଆଡ଼କୁ ପ୍ରଶ୍ନବାଚକ ଦୃଷ୍ଟିରେ ଅନାଇଲେ ।

 

ସିଡ଼୍‍ନି କହିଲା—“କାଲି ବେଳ ଦୁଇଟାରେ ମ୍ୟାନେଟ୍‍ଙ୍କ ଘରକୁ ମୁଁ ଆସିବି । ଆପଣମାନେ ସମସ୍ତେ ଗାଡ଼ିରେ ଉଠି ବସିଥିବେ ଓ ମୋ ପାଇଁ ପ୍ରତୀକ୍ଷା କରିଥିବେ । ମୁଁ ଯେଉଁ ଅବସ୍ଥାରେ ଆସେ ନା କାହିଁକି ମୋତେ ଉଠାଇନେଇ ସୀମାନ୍ତଆଡ଼କୁ ଗାଡ଼ି ଚଳାଇ ଦେବେ—କାରଣ ବିପଦର ଆଶଙ୍କା ରହିଛି । ଡାର୍ନେଙ୍କର ପ୍ରାଣ ଯିବା ପରେ ଡାର୍ନେଙ୍କ ସ୍ତ୍ରୀ ଓ କନ୍ୟାକୁ ବନ୍ଦୀ କରିବା ପାଇଁ ସେମାନେ ପ୍ରସ୍ତୁତ ହେଲେଣି—ଏଭରମଣ୍ଡିର ଚିର ଶତ୍ରୁ ମାଡ଼ାମ ଡିଫାର୍ଜ ।”

 

ଏ ପରାମର୍ଶରେ ଲରି ଆନନ୍ଦିତ ହେଲେ । ନିଜ ପାଇଁ ବା ମ୍ୟାନେଟ୍‍ଙ୍କ ପାଇଁ ସେ ଯେତେଟା ଚିନ୍ତିତ ନୁହନ୍ତି, ଲୁସି ଓ ତାଙ୍କ କନ୍ୟା ବିପନ୍ନ ହେବାର ଆଶଙ୍କା ତାଙ୍କୁ ସେତେ ବିଚଳିତ କରି ପକାଉଥାଏ । ଗଭୀର ଦୁଃଖରେ ଦୀର୍ଘ ନିଶ୍ଵାସ ପକାଇ ସେ ସ୍ୱୀକାର କଲେ ଯେ କାଲି ଦ୍ଵିପହର ଦୁଇଟା ବେଳେ ସେ ଗାଡ଼ିରେ ସମସ୍ତଙ୍କୁ ନେଇ ପ୍ରସ୍ତୁତ ଥିବେ ପ୍ୟାରିସ ଛାଡ଼ି ଯିବା ପାଇଁ । ସିଡ଼୍‍ନି ଆସି ପହଞ୍ଚିଲେ ତାକୁ ନେଇ ଗାଡ଼ି ଛାଡ଼ିଦେବେ ।

 

ଡାର୍ନେ ଶୁଣିଛନ୍ତି ତିନିଟାବେଳେ ତାଙ୍କ ବେକରେ ଗିଲୋଟିନର ଛୁରି ପଡ଼ିବ । ଏକା ତାଙ୍କର ନୁହେଁ ତାଙ୍କପରି ଆଉ ଏକାବନ ଜଣ ବନ୍ଦୀଙ୍କର ବେକରେ ପଡ଼ିବ ଗିଲୋଟିନ୍‍ର ସୁତୀକ୍ଷ୍‍ଣ ଛୁରିକା । ସାଧାରଣତନ୍ତ୍ରର ବାଉନ ଜଣ ଶତ୍ରୁ ନିପାତ ହେବେ ଏକସମୟରେ । ସକାଳୁ ଘଡ଼ିର କଣ୍ଟାଗୁଡ଼ିକ ଡାର୍ନେଙ୍କ କାନରେ ବିଶେଷ ବାର୍ତ୍ତା ଶୁଣାଇଗଲା । ସାତଟା ବାଜିଲା । ଆଠଟା—ଆଠଟାର ଶବ୍ଦ ଶେଷ ଥର ପାଇଁ ଡାର୍ନେ ଶୁଣିଲେ । ନଅଟା—ବାରଟା—ଗୋଟାଏ ।

 

ଦୁଇଟାବେଳକୁ ପ୍ରସ୍ତୁତ ହୋଇ ରହିଥିବାକୁ ଡାର୍ନେଙ୍କୁ ବିଦ୍ରୋହୀମାନେ ନିର୍ଦ୍ଦେଶ ଦେଇଥିଲେ, ଯାହାଫଳରେ ମାର୍କୁଇସ୍‍ ଏଭରମଣ୍ଡି ପାଇଁ ଗୋଟିଏ ସେକେଣ୍ଡ ଯେପରି ସେମାନଙ୍କ ନଷ୍ଟ ନ ହୁଏ ।

 

କିନ୍ତୁ ଏ କିଏ ? ସିଡ଼୍‍ନି କାର୍ଟନ ଯେ !

 

ସିଡ଼୍‍ନି କାର୍ଟନ ଲଣ୍ଡନରୁ ଆସି ପ୍ୟାରିସରେ—ଏ ସମୟରେ ! ସେ ଯାହା ମନେକରି ଆସିଥାଉ ନା କାହିଁକି ତା ହାତରେ ଲୁସିକୁ ଶେଷ ଖବର ଅନ୍ତତଃ ଦିଆଯାଇ ପାରିବ—ଗୋଟାଏ ବିଦାୟବାଣୀ । କାର୍ଟନ ପ୍ରବେଶ କରି କଣ ଗୋଟାଏ ଦି’ଟା କଥା କହିଲା ଯେପରି ସେ ସବୁଦିନେ କହେ । ତା ପରେ ସେ ଡାର୍ନେଙ୍କୁ କହିଲା, ‘‘ଗୋଟିଏ ଚିଠି ତମ ସ୍ତ୍ରୀ ପାଖକୁ ଲେଖ—ମୁଁ ପହଞ୍ଚାଇ ଦେବି ।”

 

ଡାର୍ନେ ଲେଖି ବସିଲେ । ମନ ସ୍ଥିରକରି ଚିଠି ଲେଖିବା ଏତେ ବେଳେ କଣ ସମ୍ଭବ ହୋଇପାରେ ? ତେବେ ଡାର୍ନେଙ୍କ ମନଟି ଏ ଅବସ୍ଥାରେ ମଧ୍ୟ ସ୍ଥିର ଅଛି, ତା ନ ହେଲେ ଏ ବର୍ଷକର ନିର୍ଯାତନ ଓ ଯାତନାରେ ସେ ଭାଙ୍ଗି ପଡ଼ିଥାନ୍ତେ ।

 

ଚିଠି ଲେଖୁ ଲେଖୁ ହଠାତ୍ ଡାର୍ନେଙ୍କ ନଜର ପଡ଼ିଲା ଯେ ସିଡ଼୍‍ନି ତା ଛାତିପାଖରେ ପୋଷାକ ତଳେ ହାତ ପୂରାଇଛି—କଣ ଯେପରି ଟାଣି ବାହାର କରୁଛି । ଲୋକଟା କଣ କିଛି ଅସ୍ତ୍ର ଧରି ହଜାର ହଜାର ପ୍ରହରୀ ଭିତରେ ବନ୍ଦୀଶାଳାକୁ ଆସିଛି ? ସେ ପଚାରିଲେ, “ତମ ହାତରେ ସେଇଟା କଣ କାର୍ଟନ ?”

 

ଉତ୍ତର ଶୁଣିବା ପୂର୍ବରୁ ଡାର୍ନେଙ୍କ ନାକ ଉପରେ ଗୋଟିଏ ରୁମାଲ ଆସି ଚାପାପଡ଼ିଲା । କଥାଟା ନ ବୁଝି ଡାର୍ନେ ଧସ୍ତାଧସ୍ତି କଲେ; କିନ୍ତୁ ହଠାତ୍ ଆକ୍ରମଣ କରିଛି ସିଡ଼୍‍ନି । ଔଷଧଟା ମଧ୍ୟ ଶୀଘ୍ର କାର୍ଯ୍ୟ କରିଛି । ସେ ହାତ ଛଡ଼ାଇ ନପାରି ଅଜ୍ଞାନ ହୋଇପଡ଼ିଲେ ।

 

ସିଡ଼୍‍ନି ଜାଣିଥିଲା ଯେ ଡାର୍ନେ ସଜ୍ଞାନରେ କେବେ ନିଜର ଜୀବନ ପାଇଁ ଅନ୍ୟର ଜୀବନକୁ ନଷ୍ଟ କରିବାକୁ ଦେବେନାହିଁ । ତେଣୁ ସିଡ଼୍‍ନିର ଏହାଁହିଁ ଥିଲା କୌଶଳ । ଘରର ଦରଜା ବନ୍ଦକରି ସେ ନିଜର ଲୁଗାପଟା, ଟୋପି, ଜୋତା ଡାର୍ନେଙ୍କୁ ପିନ୍ଧାଇଦେଲା । ଡାର୍ନେଙ୍କ କେଶ ମଧ୍ୟ ତା’ ପରି କୁଣ୍ଡାଇ ଦେଲା ଓ ତା’ପରେ ଡାର୍ନେଙ୍କ ଲୁଗାପଟା ନିଜେ ପିନ୍ଧି ଦ୍ଵାରରେ ଆଘାତ କଲା । ବାହାରେ ପହରାଦାର ବରସାଦ୍ । ସେ ଦରଜା ଖୋଲିଦେଲା । ସିଡ଼୍‍ନି ଆଖିମାରି କହିଲା–“ମୋର ବନ୍ଧୁଟି ମୂର୍ଚ୍ଛା ହୋଇ ଯାଇଛନ୍ତି ପ୍ରହରୀ, ଏହାଙ୍କୁ ବାହାରକୁ ନେଇଯାଅ ।’’

 

ଆଖିମିଟିକା ମାରି ବରସାଦ୍ ମଧ୍ୟ ସ୍ଵୀକାର କଲା । ଦୁଇଜଣ ପ୍ରହରୀ ଆସି ବରସାଦ୍‍ର କଥାନୁଯାୟୀ ଅଚେତ ଡାର୍ନେଙ୍କୁ ଦୁର୍ଗ ବାହାରକୁ ନେଇଗଲେ । ଦ୍ଵାର ବନ୍ଦ କରି ବରସାଦ୍‍ ମଧ୍ୟ ତାଙ୍କ ପଛରେ ଚାଲିଲା । ସିଡ଼୍‍ନିର ଶେଷ ଆଦେଶ ଥିଲା—ଡାର୍ନେଙ୍କୁ ମାନେଟ୍‍ ଘରେ ଦୁଇଟା ଭିତରେ ପହଞ୍ଚାଇ ଦେବାକୁ ହେବ । ତା’ ନହେଲେ ଶେଷ ମୂହୁର୍ତ୍ତରେ ବରସାଦ୍‍କୁ ସେ ଅଭିଯୁକ୍ତ କରିବ ଇଂରେଜ ଗୋଇନ୍ଦା ବୋଲି ।’’

 

ବରସାଦ୍ ଯାଉଁ ଯାଉଁ ସମସ୍ତେ ଶୁଣିବା ଭଳି ଉଚ୍ଚ ସ୍ଵରରେ କହି କହି ଗଲା—“ତୁମେ ମଧ୍ୟ ପ୍ରସ୍ତୁତ ହୁଅ ଏଭରମଣ୍ଡି ! ତିନିଟା ବାଜିବାକୁ ଆଉ ବେଶି ଡେରିନାହିଁ !” ଡାର୍ନେଙ୍କ ବାହକମାନେ ଏ କଥାରେ ହସିଉଠିଲେ ।

 

ଫ୍ରାନସର ସୀମାନ୍ତ ଆଡ଼କୁ ଘୋଡ଼ାଗାଡ଼ି ଛୁଟିଚାଲିଛି । ସୀମାନ୍ତ ଏଠାରେ ଯାତ୍ରୀମାନଙ୍କର କାଗଜପତ୍ର ପରୀକ୍ଷା ହେବ । ଗାଡ଼ି ରହିଲା । ଲରି ଗାଡ଼ିରୁ ଓହ୍ଲାଇ ଆସି ସବୁ କାଗଜପତ୍ର ଅଫିସର୍ ହାତରେ ଦେଲେ । ଜଣ ଜଣ କରି ନାମ ଡକାହେଲା ।

 

—“ଆଲେକଜାଣ୍ଡର ମାନେଟ୍‍ ! ଡାକ୍ତର !”

 

ଲରି ଦେଖାଇଦେଲେ । ଗାଡ଼ିର ଗୋଟିଏ କୋଣରେ ବସି ବୃଦ୍ଧ ଡାକ୍ତର କାତର କଣ୍ଠରେ କେବଳ କାନ୍ଦୁଛନ୍ତି । ଲରି ବୁଝାଇ ଦେଲେ—“ସେ ଏଭରଣ୍ଡିଙ୍କ ଶଶ୍ୱୁର; ତେଣୁ— । ଏଭରମଣ୍ଡି ଏହି ସମୟରେ ଯେ ଗିଲୋଟିନରେ ଚଢ଼ୁଛନ୍ତି ଏହା ଭାବି ବୃଦ୍ଧଙ୍କର କାତରତା । ଅଠରବର୍ଷ ବ୍ୟାଷ୍ଟିଲ ବନ୍ଦିଶାଳାରେ ରହି ସେ ମନର ଦୃଢ଼ତା ହରାଇଛନ୍ତି ।”

 

ଅଫିସର ରାଗି ଉଠିଥିଲା—“ଏଭରମଣ୍ଡି ପାଇଁ ମ୍ୟାନେଟ୍‍ର ପୁଣି ଶୋକ ? ସାଧାରଣତନ୍ତ୍ରର ଶତ୍ରୁ ପାଇଁ ଯେ କାନ୍ଦେ, ସେ ମଧ୍ୟ ସାଧାରଣତନ୍ତ୍ରର ଶତ୍ରୁ ନିଶ୍ଚୟ ।” କିନ୍ତୁ ଚତୁର ମିଷ୍ଟର ଲରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ବ୍ୟାଷ୍ଟିଲ କାରାବାସର କରୁଣ କାହାଣୀ ଅତି କରୁଣ ଭାଷାରେ କହିଗଲେ । ଅଫିସର ଥମିଗଲା—ଯେ ଅଠରବର୍ଷ କାରାବାସରେ ରହିଛି ସେ ସାଧାରଣତନ୍ତ୍ରର ଶତ୍ରୁ ହୋଇପାରେନା ।

 

—“ଲୁସି ଏଭରମଣ୍ଡି । ଏଭରମଣ୍ଡିର ସ୍ତ୍ରୀ ।”

 

ଲରି ଜଣାଇଦେଲେ ଯେ ଡାକ୍ତର ମ୍ୟାନେଟ୍‍ଙ୍କର ସେ ଆଦରଣୀୟ କନ୍ୟା ।

 

—“ଲୁସି ଏଭରମଣ୍ଡି । ଏଭରମଣ୍ଡିର କନ୍ୟା ।”

 

ଛୋଟ ଲୁସିକୁ ଦେଖାଇଦେଲେ ଲରି ।

 

—“ସିଡ଼୍‍ନି କାର୍ଟନ—ଆଡଭୋକେଟ, ଇଂରେଜ ।”

 

ଗାଡ଼ିର ଗୋଟିଏ କୋଣରେ ମୁହଁରେ ଲୁଗା ଚାପା ଦେଇ କାର୍ଟନ ପଡ଼ିଛନ୍ତି ।

 

ଅଫିସର କହିଲା—“କ’ଣ, ଭଦ୍ରଲୋକ ଅଜ୍ଞାନ ହୋଇପଡ଼ିଛନ୍ତି ?”

 

—ହଁ, ଏଭରମଣ୍ଡିର ବନ୍ଧୁତ୍ଵ—ଶେଷ ସାକ୍ଷତ୍ ପରେ ଅଚୈତନ୍ୟ ।”

 

—“ଜାର୍ଭିସ୍ ଲରି—ବ୍ୟାଙ୍କର, ଇଂରେଜ ।”

 

—“ମୁଁ ।”

 

—“ଯାଇପାରନ୍ତି ।”

 

ଗାଡ଼ି ଚାଲିଛି । ମଝିରେ ମଝିରେ ନିର୍ଦ୍ଦିଷ୍ଟ ସ୍ଥାନରେ ଘୋଡ଼ା ବଦଳା ହେଉଛି । ଥରେ ଥରେ ଗାଡ଼ି ଅଟକେ—ସମସ୍ତେ ଅସ୍ଥିର ହୋଇଉଠନ୍ତି । କଣ ଗାଡ଼ି ଛାଡ଼ିବ ନାହିଁ କି ? ନୂଆ ଘୋଡ଼ା କେତେବେଳେ ଆସିବ ? ପଛରୁ ଯଦି କେହି ଆସେ ? ଯଦି ଏହି ବିରାଟ ଛଳନା ପ୍ରକାଶ ପାଇଯାଏ ?

 

“ଦେଖନ୍ତୁ, ଦେଖନ୍ତୁ ମିଷ୍ଟର ଲରି, ପଛରୁ ଏ କଣ ଶବ୍ଦ ଆସୁଛି ?”

 

—“ନାଁ—ସେ କିଛି ନୁହେଁ ।”

 

ହଠାତ୍ ଗାଡ଼ିର କୋଣରୁ ଚେତନା ଲାଭ କରି କାର୍ଟନ ବେଶଧାରୀ ଡାର୍ନେ କହି ଉଠିଲେ—“ତମର ପୋଷାକତଳେ ସେଇଟା କଣ ଲୁଚାଇ ରଖିଛ କାର୍ଟନ ?”

 

କ୍ରନ୍ଦନରତା ଲୁସି ତାଙ୍କ ମୁହଁରେ ହାତ ପକାଇଲା । କେହି ଶୁଣିନାହିଁ ତ ? ଧୀରେ ଧୀରେ ଡାର୍ନେଙ୍କର ମୂର୍ଚ୍ଛା କଟିଯାଉଥାଏ ।

 

ଗାଡ଼ି ଚାଲିଛି । ପଳାତକ ଆସାମୀକୁ ଧରିବା ପାଇଁ ପଛରେ କେହି ଆସି ନାହିଁ । ପଛରେ ଛୁଟିଛି ଖାଲି ପାଗଳ ପବନ—କଳା କଳା ମେଘ । ନୀଳ ଆକାଶରେ ଭାସି ଆସୁଛି ଚତୁର୍ଥୀର ଚନ୍ଦ୍ରମା । ଲୁସି ଏସବୁ ଦେଖୁଛି ଏବଂ ତାର ଅନ୍ତର କହି ଉଠୁଛି—‘‘ଧନ୍ୟ ତମେ ଭଗବାନ-!” ଅନ୍ତରରେ ତାର ଭରିଉଠୁଛି କୃତଜ୍ଞତା; କିନ୍ତୁ ସବୁ ମିଳିବା ଭିତରେ ଯେପରି ଏକ ଗଭୀର ଶୂନ୍ୟତା ତାର ଅନ୍ତରରେ ବିରାଜିଛି ।

 

ସମୟ ତିନିଟା ହେବ ।

 

ପ୍ୟାରିସର ରାଜପଥରେ ଚାଲିଛି ଛ’ଖଣ୍ଡି ଖୋଲା ଗାଡ଼ି । ବାଉନଜଣ ବନ୍ଦୀ ସେହି ଗାଡ଼ିରେ ଅଛନ୍ତି । ଯୁବକ, ବୃଦ୍ଧ, ଯୁବତୀ, ବୃଦ୍ଧା—ଦୁଇଜଣ ଶିଶୁ; ଧନୀ—ମାନୀ—ଜମିଦାର, ମଧ୍ୟବିତ୍ତ ବ୍ୟବସାୟୀ; ଦରିଦ୍ର, ଶ୍ରମିକ ସମସ୍ତେ ଅଛନ୍ତି ସେହି ଗାଡ଼ିରେ ।

 

ଅଶ୍ଵାରୋହୀ ପ୍ରହରୀମାନେ ଛଅଟିଯାକ ଗାଡ଼ିକୁ ବେଢ଼ି ଚାଲିଛନ୍ତି । ସେମାନେ ଖଣ୍ଡା ଉଠାଇ ଏକ ବିଶେଷ ବନ୍ଦୀକୁ ଦେଖାଇ ଦେଉଛନ୍ତି “ଦେଖ ଦେଖ, ଏହି ସେଇ ଅତ୍ୟାଚାରୀ ଏଭରମଣ୍ଡିର ବଂଶଧର । ମୁକ୍ତି ପାଉ ପାଉ ଧରାପଡ଼ିଛି ପୁଣି । ଗିଲୋଟିନକୁ ଫାଙ୍କି ଦେବା କଣ ଏତେ ସହଜ ?”

 

ଏଭରମଣ୍ଡି ବେଶଧାରୀ କାର୍ଟନ ଗୋଟିଏ ଯୁବତୀ ସହିତ କଥା ହେବାରେ ବ୍ୟସ୍ତ । ଆଉ କେଉଁଆଡ଼େ ତାର ଦୃଷ୍ଟି ନାହିଁ । ଯୁବତୀଟିର ବୟସ ଅଠର ଉଣେଇଶରୁ ବେଶି ହେବ ନାହିଁ–ବଡ଼ ନିରୀହ । ସାଧାରଣତନ୍ତ୍ରର ଶତ୍ରୁ ବୋଲି ତାକୁ ମଧ୍ୟ ଧରି ଅଣାହୋଇଛି । ଗୋଟାଏ କିଛି ଅଭିଯୋଗ ଥିଲେ ହେଲା–ବିଚାର ସିଧା ଗିଲୋଟିନ୍ !!

 

ଯୁବତୀଟି କାତର ହୋଇ ଏଭରମଣ୍ଡି ପାଖରେ ଠିଆ ହୋଇଛି । ସେ ତାକୁ ସାନ୍ତ୍ଵନା ଦେଇଛି, ଆଶା ଦେଇଛି, ମରଣକୁ ହସି ହସି ବରଣ କରିବାକୁ ସାହସ ଦେଇଛି ।

 

ଜନତା ଚିତ୍କାର କଲା—“ଏଭରମଣ୍ଡି ନିପାତ ହେଉ—ସାଧାରଣତନ୍ତ୍ରର ଶତ୍ରୁ ସବୁ ନିପାତ ହୁଅନ୍ତୁ—ଅଭିଜାତ ବଡ଼ ଲୋକମାନେ ସବୁ ନିପାତ ହୁଅନ୍ତୁ ।”

 

ଗୋଟାଏ ଲୋକ କହିଉଠିଲା—“ବନ୍ଦ କର ! ଏଭରମଣ୍ଡି ତ ନିଜର ମଥା ପାତି ଦେବାକୁ ଆସିଛି—ଆଉ ଅଭିଶାପ କାହିଁକି ?”

 

ଏ ହେଲା ବରସାଦ୍‍ର କଣ୍ଠ ।

 

ତିନିଟା ବାଜିଲା ।

 

ଗୋଟାଏ ମୁଣ୍ଡ ତଳକୁ ଖସି ପଡ଼ିଲା ଗିଲୋଟିନ୍‍ର ଆଘାତରେ ।

 

ପୁଣି ଆଉ ଗୋଟାଏ ।

 

ମାଡ଼ାମ ଡିଫାର୍ଜ ଓ ତାର ସଙ୍ଗିନୀମାନେ ଗିଲୋଟିନର ଅଦୂରରେ ବସିଛନ୍ତି ଚୌକିରେ-। ହାତରେ ଉଲ୍ ଓ କଣ୍ଟା ସେମାନେ ଗଣୁଛନ୍ତି ଏକ—ଦୁଇ—ତିନି—ଚାରି—ପାଞ୍ଚ—ଛଅ...

 

ସେହି ନିରୀହ ବାଳିକାଟି ଏଭରମଣ୍ଡିକୁ କହୁଛି—“ଶେଷ ସମୟରେ ତମ ସହିତ ଭଗବାନ ମିଳାଇଦେଇଛନ୍ତି । ତୁମକୁ ପାଇ ମୁଁ ଭଗବାନଙ୍କୁ ସ୍ମରଣ କରିପାରିଛି ।”

 

“କିଛି ଭାବ ନାହିଁ ଭଉଣୀ—ମୋ ଆଡ଼କୁ ଅନାଇଁ ରହିବ କେବଳ । ଅନ୍ୟ କୁଆଡ଼କୁ ଅନାଇଁବ ନାହିଁ–ଗୋଟାଏ ସେକେଣ୍ଡରେ ସବୁ ଶେଷ । ତା’ ପରେ ଭଗବାନଙ୍କ ରାଜ୍ୟ–ଆନନ୍ଦର ଦିନ । କିଛି ଭୟ କରନା ।”

 

ଏପରି ସମୟରେ ଝିଅଟିକୁ ଡାକରା ଆସିଲା ।

 

ଏଭରମଣ୍ଡି ବେଶୀ ସିଡ଼୍‍ନି ଧୀରଭାବରେ ଝିଅଟିକୁ ଆଗକୁ ଠେଲିଦେଲା । ସିଡ଼୍‍ନି ଆଡ଼କୁ ଚାହିଁ ରହି ସେ ମଥା ଅବନତ କଲା ଗିଲୋଟିନ୍ ତଳେ । ସେ ଦୃଷ୍ଟିରେ ଭୟ ନାହିଁ—ଅଛି ଗଭୀର ବିଶ୍ୱାସ ।

 

ସେହି ଅନ୍ତିମ ଦୃଷ୍ଟିରେ ଝିଅଟି ସ୍ପଷ୍ଟ ଦେଖିଲା—ସିଡ଼୍‍ନି ପରିବର୍ତ୍ତେ ତା ଆଗରେ ଦଣ୍ଡାୟମାନ ଆଲୋକଦୀପ୍ତ ଯିଶୁ !!! ସିଡ଼୍‍ନି ମୁହଁରୁ ଶାନ୍ତ କଣ୍ଠରେ ଉଚ୍ଚାରିତ ହେଲା ଯିଶୁଙ୍କର ପରମ ଆଶ୍ଵାସନା ବାଣୀ—

 

“ମୁଁ ପୁନର୍ଜୀବନ—ମୁଁ ଅନନ୍ତ ଜୀବନ । ମୋତେ ଯେ ବିଶ୍ୱାସ କରେ ସେ ମରି ମଧ୍ୟ ବଞ୍ଚେ । ମୋତେ ଯେ ବିଶ୍ୱାସ କରେ, ତାର ମୃତ୍ୟୁ ନାହିଁ—ସେ ମୃତ୍ୟୁହୀନ ।”

 

ଶେଷ ମୁହୂର୍ତ୍ତରେ ଯୁବତୀଟିର ମନ ଆନନ୍ଦରେ ଭରିଉଠିଲା । ସାମାନ୍ୟ କେବଳ ଗୋଟିଏ ଶବ୍ଦ—ଯୁବତୀର ଛିନ୍ନ ମସ୍ତକ ତଳେ ଯାଇ ପଡ଼ିଲା ।

 

ଉଲ୍ ବୁଣୁ ବୁଣୁ ମହିଳାମାନେ ଗଣିଲେ—ବାଇଶ ।

 

ଏଥର ଡାକ ପଡ଼ିଲା ‘ଏଭରମଣ୍ଡି’ ! ସିଡ଼୍‍ନି ବୁକୁ ଫୁଲାଇ ଗିଲୋଟିନ୍ ତଳେ ଠିଆହେଲା । ଲକ୍ଷ ଲକ୍ଷ କଣ୍ଠର ସ୍ତିମିତ କଳରବ ତା କାନକୁ ଆସିଲା; ଆଖିରେ ପଡ଼ିଲା ଲକ୍ଷ ଲକ୍ଷ ମୁଖ । ଉନ୍ମତ୍ତ ଜନତାର ଆନନ୍ଦଧ୍ଵନି ଢେଉପରି ଅଜାଡ଼ି ପଡ଼ିଲା; କିନ୍ତୁ ସିଡ଼୍‍ନି ଆଖିରେ ସେତେବେଳେ ଦିଶୁଛି ଏକ ଆଲୋକ । କିଏ ଯେପରି କହୁଛି କାନରେ—

 

“ଆସ ବନ୍ଧୁ; ଆସ କ୍ଳାନ୍ତ ପଥିକ !”

 

ଉପରୁ ନଇଁଆସିଲା ଗିଲୋଟିନ୍‍ର ଧାରୁଆ ଛୁରି । ଉଲ୍ ବୁଣୁଥିବା ମହିଳାମାନେ ଚିତ୍କାର କରି ଉଠିଲେ—ତେଇଶ୍ ।

Image